ଓଡ଼ିଶାଲାଇଭ୍ ବ୍ୟୁରୋ

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ସବୁ ମହଲରେ ଖେଳାଇ ଦେଇଥିଲା ଆଲୋଡ଼ନ। ଏହି ମଉକାରେ କିଛି ଯୁବକ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ସୋସିଆଲ ମିଡିଆରେ ନିଜ ଫୋନ ନମ୍ବର ପୋଷ୍ଟ କରିଥିଲେ। ହେଲେ ଏହାକୁ ବିଶ୍ୱାସକୁ ନନେବାକୁ କଟକ-ଭୁବନେଶ୍ୱର କମିସନରେଟ୍‌ ପୋଲିସ ଟୁଇଟ୍‌ କରି ସତର୍କ କରିଛି।

ଯଦି କୌଣସି ମହିଳା ଅସୁବିଧାର ସମ୍ମୁଖୀନ ହୁଅନ୍ତି ତାହାଲେ ସେମାନେ ପୋଲିସ ହେଲ୍ପ ଲାଇନ୍‌ ନମ୍ବର ୧୦୦କୁ ଫୋନ୍‌ କରିବାକୁ ଟୁଇଟ୍‌ରେ କୁହାଯାଇଛି। ବିପଦରେ ପଡ଼ିଥିବା ମହିଳାଙ୍କୁ ସାହାଯ୍ୟ କରିବା ପାଇଁ କମିସନରେଟ୍‌ ପୋଲିସ ପାଖରେ ତାଲିମ୍‌ପ୍ରାପ୍ତ କର୍ମଚାରୀ ଅଛନ୍ତି। ଫୋନ୍‌ ଆସିବା ମାତ୍ରେ ସେମାନେ ମହିଳାଙ୍କ ପାଖରେ ତୁରନ୍ତ ପହଞ୍ଚିବେ ବୋଲି କମିସନରେଟ୍‌ ପୋଲିସ ପକ୍ଷରୁ କୁହାଯାଇଛି।

ଗତ କିଛିଦିନ ହେଲା କିଛି ଯୁବକ ଫେସ୍‌ବୁକ୍‌ରେ ସିଧାସଳଖ ନିଜ ଫୋନ୍‌ ନମ୍ବର ପୋଷ୍ଟ କରୁଥିଲେ। ବିପଦରେ ପଡୁଥିବା ମହିଳାମାନେ ତାଙ୍କୁ ଫୋନ୍‌ କରିବାକୁ ଅପିଲ୍‌ କରିଥିଲେ। ସେମାନେ ଭାଇ ଭଳି ସେମାନଙ୍କ ପାଖରେ ପହଞ୍ଚି ସାହଯ୍ୟ କରିବେ ବୋଲି କିଛି ଯୁବକ ମଧ୍ୟ ଫେସ୍‌ବୁକ୍‌ରେ ପୋଷ୍ଟ କରିଥିଲେ।

ସୋସିଆଲ ମିଡିଆରେ ଚାଲିଥିବା ଏଭଳି ପ୍ରଚାରକୁ ନେଇ ଚର୍ଚ୍ଚା ହେବା ପରେ କମିସନରେଟ୍‌ ପୋଲିସ ପଦକ୍ଷେପ ନେଇଛି। ଟୁଇଟ୍‌ କରି ସୋସିଆଲ ମିଡିଆରେ ଆସୁଥିବା ନମ୍ବରକୁ ବିଶ୍ୱାସ ନକରିବା ପାଇଁ ଅପିଲ୍‌ କରିଛି।

ପୂର୍ବରୁ ମଧ୍ୟ କମିସନରେଟ୍‌ ପୋଲିସ ଆଉ ଏକ ଆଡଭାଇଜରୀ ଜାରି କରିଥିଲା। କୌଣସି ଅଜଣା ଅପରିଚିତ ଲୋକଙ୍କୁ ବିଶ୍ୱାସ ନକରିବାକୁ ସଚେତନତା ଜାରି କରିଥିଲା। ଯଦି କୌଣସି ବ୍ୟକ୍ତି ଉପରେ ସନ୍ଦେହ ହେଉଛି ତାହାଲେ ୧୦୦କୁ ଫୋନ୍‌ କରିବାକୁ କୁହାଯାଇଥିଲା।

ଏହାସହ ଯଦି ସେ ବ୍ୟକ୍ତି ଆପଣଙ୍କ ପିଛା କରୁଛି ତାହାଲେ ନିକଟସ୍ଥ ସପିଂ ମଲ୍‌, ପେଟ୍ରୋଲ ଟାଙ୍କି କିମ୍ବା ଜନଗହଳିପୂର୍ଣ୍ଣ ଅଞ୍ଚଳରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ପିସିଆର୍‌ ଭ୍ୟାନ ନପହଞ୍ଚିବା ଯାଏଁ ସେ ସ୍ଥାନ ନଛାଡ଼ିବାକୁ ମଧ୍ୟ ପରାମର୍ଶ ଦେଇଥିଲା କମିସନରେଟ୍‌ ପୋଲିସ।

Comment