ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ଭୟା ଗଣଦୁଷ୍କର୍ମ ଅଭିଯୁକ୍ତଙ୍କୁ ଦିଆଯିବ ଫାଶୀଦଣ୍ଡ। ରାଷ୍ଟ୍ରପତିଙ୍କ ପାଖକୁ ଗଲା ରାଜକ୍ଷମା ଆବେଦନ ଫାଇଲ୍।

ହାଇଦ୍ରାବାଦ ‘ଦିଶା’ ଗଣଦୁଷ୍କର୍ମକାରୀଙ୍କ ଏନକାଉଣ୍ଟର ହେବା ପରେ ଏବେ ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଦିଆଯିବ ଫାଶୀଦଣ୍ଡ। ତେବେ ଅଭିଯୁକ୍ତ ମଧ୍ୟରୁ ଜଣେ ରାଜକ୍ଷମା ପାଇଁ ରାଷ୍ଟ୍ରପତିଙ୍କ ପାଖରେ ଆବେଦନ କରିଥିଲେ। ଏନେଇ ଶୁକ୍ରବାର ଗୃହ ମନ୍ତ୍ରାଳୟ ରାଜକ୍ଷମା ଆବେଦନ ଫାଇଲ୍କୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଦେଇଛି। ରାଷ୍ଟ୍ରପତି ଯଦି ଏହି କ୍ଷମା ପ୍ରାର୍ଥନାକୁ ଗ୍ରହଣ ନକରନ୍ତି ତେବେ ଦୋଷୀମାନଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରାଯିବ।

୨୦୧୨ ମସିହାର ଚାଞ୍ଚଲ୍ୟକର ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ମୋଟ ୬ ଜଣ ଦୋଷୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ଭିତରୁ ଜଣେ ନାବାଳକ ଅପରାଧୀକୁ ୧୮ବର୍ଷ ହେବା ପରେ ଛାଡ଼ି ଦିଆଯାଇଥିଲା। ଅନ୍ୟଜଣେ ଦୋଷୀ ତିହାର ଜେଲରେ ହିଁ ଆତ୍ମହତ୍ୟା କରିଥିଲେ। ତେବେ ବାକି ଥିବା ଆଉ ୪ ଜଣ ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି।

ତେବେ ସେମାନଙ୍କ ଭିତରୁ ବିନୟ ଶର୍ମା ନାମକ ଜଣେ ଦୋଷୀ ଦିଲ୍ଲୀ ସରକାରଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ। ଯାହାକୁ ଦିଲ୍ଲୀର ଉପ-ରାଜ୍ୟପାଳ ଅନିଲ୍ ବାଇଜାଲ ଖାରଜ କରିଦେଇଛନ୍ତି। ଏହାପରେ ଦୋଷୀଙ୍କ କ୍ଷମା ଆବେଦନକୁ ଗୃହ ମନ୍ତ୍ରାଳୟକୁ ପଠାଯାଇଥିଲା। ଶୁକ୍ରବାର ଗୃହ ମନ୍ତ୍ରାଳୟ ଏହାକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଦେଇଛି। ରାଷ୍ଟ୍ରପତି ତାଙ୍କର ଚୂଡ଼ାନ୍ତ ରାୟ ଦେବାପରେ ଦୋଷୀମାନଙ୍କ ବିରୋଧରେ ଦଣ୍ଡାଦେଶ କରାଯିବ।

୨୦୧୨ରେ ଦିଲ୍ଲୀରେ ଜଣେ ୨୩ ବର୍ଷୀୟ ଝିଅଙ୍କୁ ଚଳନ୍ତା ବସରେ ଗଣଦୁଷ୍କର୍ମ କରାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ପୀଡ଼ିତା ଜଣକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ସେ ସମୟରେ ଏହି ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା।

Comment