ଓଡ଼ିଶାଲାଇଭ୍‌ ବ୍ୟୁରୋ

୬ଟି ଜିଲ୍ଲା ଡାକ୍ତରଖାନା ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୬ଟି ଜିଲ୍ଲା ଡାକ୍ତରଖାନା ସ୍ଵାସ୍ଥ୍ୟଭୂମିର ଉନ୍ନତିକରଣ ଏହି ପାଇଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି। ଜିଲ୍ଲାଗୁଡ଼ିକ ହେଲା ସମ୍ଵଲପୁର, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା, ବଲାଙ୍ଗିର ଓ ସୋନପୁର। ରାଜ୍ୟ ସରକାରଙ୍କ ‘ମୋ ସରକାର’ ଟିମ୍‌ର ପରିଦର୍ଶନ ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ୬ ଜିଲ୍ଲାର ରୋଗୀ କଲ୍ୟାଣ ସମିତିକୁ ୧୫ ଲକ୍ଷ ଲେଖାଏଁ ସହାୟତା ଘୋଷଣା ହୋଇଥିବା ବେଳେ ୬ ଜିଲ୍ଲାର ଏସ୍‌ପିଙ୍କୁ ରକ୍ତଦାନ କାର୍ଯ୍ୟକ୍ରମରେ ସହାୟତା ପାଇଁ ୧୦ ଲକ୍ଷ ଦିଆଯିବା ପାଇଁ ଘୋଷଣା ହୋଇଛି। ସେହିପରି ୬ ଜିଲ୍ଲାର ଡାକ୍ତରଖାନାରେ ରୋଗୀ ସହାୟକଙ୍କ ପାଇଁ ପ୍ରତୀକ୍ଷା ଗୃହ ନିର୍ମାଣ କରାଯିବ।

ସମ୍ଵଲପୁର ଜିଲ୍ଲା ହସ୍ପିଟାଲରେ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ୫୦ଟି ଅତିରିକ୍ତ ଶଯ୍ୟା ସହ ମା’ ଗୃହ ପାଇଁ ନୂତନ ବିଲ୍ଡିଂ ନିର୍ମାଣ କରାଯିବ। ସେହିପରି ଦେବଗଡ଼ ଓ କୋନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୨୦୦ ଓ ଅନୁଗୁଳ ଜିଲ୍ଲା ହସ୍ପିଟାଲରେ ୩୦୦କୁ ବୃଦ୍ଧି କରାଯିବ।

ସୋନପୁର ଜିଲ୍ଲା ହସ୍ପିଟାଲର ୨୦୦ ଶଯ୍ୟା ବିଶିଷ୍ଟ ନୂଆ ୭ ମହଲା ବିଲଡିଂର ନିର୍ମାଣ କାର୍ଯ୍ୟ ୧ ମାସ ମଧ୍ୟରେ ଆରମ୍ଭ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ନୂଆ ଘୋଷଣା ମୁତାବକ ବଲାଙ୍ଗୀର ସନ୍ଥ ଭୀମଭୋଇ ମେଡିକାଲ କଲେଜର ଶିକ୍ଷାଦାନ ଓ ହସ୍ପିଟାଲ ବିଲ୍ଡିଂ ନିର୍ମାଣ ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Comment