ଓଡ଼ିଶାଲାଇଭ୍ ବ୍ୟୁରୋ

ବଞ୍ଚିବା ପାଇଁ ସଂଘର୍ଷ କରି ଶେଷରେ ହାରିଗଲେ ଉତ୍ତରପ୍ରଦେଶ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା। ଦିଲ୍ଲୀର ସଫଦରଗଂଜ ହସ୍ପିଟାଲରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି। ଯୁବତୀଙ୍କୁ ଗୁରୁବାର ସନ୍ଧ୍ୟାରେ ଏୟାରଲିଫ୍ଟ କରି ଲକ୍ଷ୍ନୌସ୍ଥିତ ଶ୍ୟାମାପ୍ରସାଦ ମୁଖାର୍ଜୀ ହସ୍ପିଟାଲରୁ ଦିଲ୍ଲୀ ନିଆଯାଇଥିଲା। ଅନେକ ଚେଷ୍ଟା ପରେ ପୀଡ଼ିତାଙ୍କୁ ଡାକ୍ତର ବଞ୍ଚାଇ ପାରିନାହାନ୍ତି।

କ’ଣ ଥିଲା ପୂରା ଘଟଣା

ପୋଲିସ ଏଫଆଇଆର ମୁତାବିକ, ଗତବର୍ଷ ଡିସେମ୍ବରରେ ପୀଡ଼ିତାଙ୍କ ଗଣଦୁଷ୍କର୍ମ ହୋଇଥିଲା। ଚଳିତବର୍ଷ ୨୦୧୯ ମାର୍ଚ୍ଚରେ ପୋଲିସ ଏହି ଦୁଷ୍କର୍ମର ଏଫଆଇଆର ଫାଇଲ୍‌ କରିଥିଲା, ଯାହାର ବିଚାର କରି ଅଭିଯୁକ୍ତମାନଙ୍କୁ ଜେଲ ଦଣ୍ଡାଦେଶ ହୋଇଥିଲା। ଗତ କିଛି ଦିନ ତଳେ ଅଭିଯୁକ୍ତମାନେ ଜାମିନ ପାଇ ଜେଲ୍‌ରୁ ମୁକୁଳିଥିଲେ।

ଗୁରୁବାର ପୀଡ଼ିତାଜଣକ ରାସ୍ତାରେ ଯାଉଥିବା ସମୟରେ ଅଭିଯୁକ୍ତମାନେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଯୁବତୀଜଣକୁ ଛୁରୀ ମାରିବା ସହ ପେଟ୍ରୋଲ ଢାଳି ଜିଅନ୍ତା ଜାଳି ଦେଇଥିଲେ। ଜଳନ୍ତା ଅବସ୍ଥାରେ ପୀଡ଼ିତା ପୋଲିସକୁ ଫୋନ୍‌ କରି ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ଘଟଣାସ୍ଥଳରେ ପୋଲିସ ଏବଂ ଆମ୍ବୁଲାନ୍ସ ପହଞ୍ଚି ଥିଲା।

ଜଳିବା ପରେ ବି ହାର ମାନି ନଥିଲେ ପୀଡ଼ିତା

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଯୁବତୀଜଣକ ୯୦ ପ୍ରତିଶତ ପୋଡ଼ିଯିବା ପରେ ବି ଗୋଟେ କିଲୋମିଟର ଯାଏଁ ଚାଲିଥିଲେ। ଏହାପରେ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କୁ ସହାୟତା ମାଗିଥିଲେ। ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୀଡ଼ିତାଙ୍କୁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରୁ ସେ ଲକ୍ଷ୍ନୌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏହାପରେ ପୀଡ଼ିତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା।

ପୀଡ଼ିତାଙ୍କ ଏତଲା ଅନୁଯାୟୀ, ପିଡ଼ିତା ଓ ଅଭିଯୁକ୍ତମାନେ ଗୋଟିଏ ଗାଁର ବାସିନ୍ଦା। ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ପୀଡ଼ିତାଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ରାୟବରେଲୀରେ ଦୁଷ୍କର୍ମ କରିଥିଲା ଏବଂ ତା’ର ଭିଡିଓ ବି ବନେଇଥିଲା। ଏହାପରେ ଅଭିଯୁକ୍ତଜଣକ ଧମକ ଦେଇ ଯୁବତୀଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲା। ଅଭିଯୁକ୍ତ ଜଣକ ଯୁବତୀଙ୍କୁ ରାୟବରେଲୀ ଆଣି ଗୋଟେ ଘରେ ବନ୍ଦ କରିଥିଲା ଏବଂ ଯୁବୁତୀଙ୍କୁ ଘର ବାହାରକୁ ନ ଯିବା ପାଇଁ ଧମକ ଦେଉଥିଲା। ଅଭିଯୋଗ ମୁତାବିକ, ଯୁବତୀଜଣକ ବିବାହ ପାଇଁ କହୁଥିଲେ, ହେଲେ ଅଭିଯୁକ୍ତ ବାରମ୍ବାର ମନା କରି ଶେଷରେ ଯୁବତୀଙ୍କୁ ତାଙ୍କ ଗାଁରେ ଛାଡ଼ିଦେଲା। ଶେଷରେ ଅଭିଯୁକ୍ତଜଣକ ବିବାହ କରିବାକୁ ମନା କରିଦେଲା।

ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁ ପରେ ପୂରା ଦେଶରେ ଉତ୍ତେଜନା ଲାଗି ରହିଛି।

Comment