ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଇଦ୍ରାବାଦ ଏନ୍‌କାଉଣ୍ଟରକୁ ପ୍ରଶଂସା କଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନମୋହନ ରେଡ୍ଡୀ। ହାଇଦ୍ରାବାଦ ଦିଶା ଗଣ ଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତ ତେଲେଙ୍ଗାନା ପୋଲିସର ଏନ୍‌କାଉଣ୍ଟରରେ ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ସୋମବାର ଜଗନମୋହନ ରେଡ୍ଡୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଏବଂ ତେଲେଙ୍ଗାନା ପୋଲିସକୁ ପ୍ରଶଂସା କରିଛନ୍ତି।

ସୋମବାର ହାଇଦ୍ରାବାଦ ଏନ୍‌କାଉଣ୍ଟରକୁ ଆନ୍ଧ୍ରପ୍ରଦେଶ ବିଧାନସଭାରେ ଚର୍ଚ୍ଚା ଜୋର ଧରିଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଗନମୋହନ କହିଥିଲେ,”ମୁଁ ମଧ୍ୟ ଦୁଇଟି ଝିଅର ବାପା। ମୋର ବି ମା, ଭଉଣୀ ଓ ପତ୍ନୀ ଅଛନ୍ତି। ଯଦି ସେମାନଙ୍କ ସହ କିଛି ହେଉଛି, ତେବେ ଜଣେ ବାପା ହିସାବରେ ମୋର ଏହି ପ୍ରତିକ୍ରିୟା ରହିବ।”

ଆମ ଦେଶର ଦୁଷ୍କର୍ମକାରୀଙ୍କ ପାଇଁ ଆଇନ ବ୍ୟବସ୍ଥାରେ ସଂସ୍କାର ଆଣିବା ଦରକାର। ଏଭଳି କ୍ଷେତ୍ରରେ ତୁରନ୍ତ ନ୍ୟାୟ ଦେବାର ଆବଶ୍ୟକତା ରହିଛି।

ଗତ ଶୁକ୍ରବାର ହାଇଦ୍ରାବାଦ ଗଣଦୁଷ୍କର୍ମର ୪ ଅପରାଧୀ ପୋଲିସ୍ ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ। ପୋଲିସ୍ ହାତରୁ ଖସି ପଳାଇଯାଉଥିବା ସମୟରେ ପୋଲିସ୍ ସେମାନଙ୍କୁ ଏନକାଉଣ୍ଟର କରିଥିଲା। ଏହାପରେ ତେଲେଙ୍ଗାନା ପୋଲିସକୁ ସାଧାରଣ ଲୋକଙ୍କ ପ୍ରଶଂସାର ସୁଅ ଛୁଟିଥିଲା। ଅନେକ ଏହାକୁ ବିରୋଧ କରିବା ସହ ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି।

Comment