ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଚାରି ଅପରାଧୀଙ୍କୁ ଖୁବ୍ ଶୀଘ୍ର ଫାଶୀ ଦିଆଯିବ। ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଚାଲିଛି। ଏହି କାମ ପାଇଁ ଫାଶୀର ଦଉଡ଼ି ପ୍ରସ୍ତୁତ କରାଯାଉଛି ବୋଲି ଖବର ମିଳିଛି। ବିହାରର ବକ୍ସର ଜେଲରେ ଯେଉଁ କଏଦୀମାନେ ଅଛନ୍ତି ସେମାନଙ୍କ ଦ୍ୱାରା ଏହି ଦଉଡ଼ି ବଳା ଯାଉଛି।

୨୦୧୩ରେ ସଂସଦ ଉପରେ ଆକ୍ରମଣର ଷଡ଼ଯନ୍ତ୍ର କରିଥିବା ଦୋଷୀ ଅଫଜଲ ଗୁରୁ ପାଇଁ ମଧ୍ୟ ବକ୍ସର ଜେଲରୁ ଦଉଡ଼ି ତିଆରି କରାଯାଇ ଦିଲ୍ଲୀର ତିହାର ଜେଲକୁ ପଠାଯାଇଥିଲା।

ଗଙ୍ଗା ନଦୀ କୂଳରେ ଥିବା ବକ୍ସର ଜେଲ ଫାଶୀ ଦଉଡ଼ି ତିଆରି ପାଇଁ ଦେଶରେ ପ୍ରସିଦ୍ଧି ଲାଭ କରିଛି। ଶୁଣାଯାଏ, ଏହି ଜେଲରେ ଯେଉଁ ଦଉଡି ପ୍ରସ୍ତୁତ କରାଯାଏ ତାହା ଅତି ମଜବୁତ। ବ୍ରିଟିଶ ଅମଳରୁ ଏହି ଜେଲରେ ଫାଶୀ ଦଉଡ଼ି ତିଆରି କରାଯାଇ ଆସିଛି। ଜେଲର ସୁପେରିଟେଣ୍ଡେଣ୍ଟ ବିଜୟ ଅରୋରା କହିଛନ୍ତି, ‘ଦଶଟି ଫାଶୀ ଦଉଡ଼ି ତିଆରି କରିବା ପାଇଁ ମୋତେ ବରିଷ୍ଠ ଅଧିକାରୀମାନେ କହିଛନ୍ତି। କେଉଁ ଅପରାଧୀଙ୍କ ପାଇଁ ଏହା କାମରେ ଲାଗିବ ସେ କଥା ମୁଁ ଜାଣେ ନାହିଁ, କିନ୍ତୁ ଏହା ପ୍ରସ୍ତୁତ ହେବା ଉପରେ।’

ତିନି ଦିନ ତଳେ ଏହି ନିର୍ଦ୍ଦେଶ ଦିଆଯାଇଥିବାରୁ ଅନୁମାନ କରାଯାଉଛି ନିର୍ଭୟା ମାମଲାରେ ଜଡ଼ିତ ଅପରାଧୀଙ୍କ ପାଇଁ ଏହା ନିର୍ଦ୍ଧାରଣ କରାଯାଇଛି। ନିକଟରେ ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଭୟା ଦୋଷୀଙ୍କ ରାଜକ୍ଷମା ମଞ୍ଜୁର ନକରିବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ସୁପାରିଶ ଯାଇଛି। ଏଣୁ ଏହି ‘ଫାଶୀକା ଫନ୍ଦା’ ସେମାନଙ୍କ ପାଇଁ ହିଁ ଉଦ୍ଦିଷ୍ଟ ଥାଇପାରେ।

ଯେଉଁ କଏଦୀମାନେ ଅଫଜଲ ଗୁରୁର ଫାଶୀ ଦଉଡ଼ି ବଳିଥିଲେ ସେମାନେ ଏବେ ବି ଅଛନ୍ତି। ଏହି କଏଦୀମାନେ ଭଲ ରଶି ତିଆରି କରିପାରନ୍ତି ବୋଲି କହିଛନ୍ତି ଜେଲ ଅଧିକାରୀ।

ତଥ୍ୟ ଅନୁଯାୟୀ, ଅଫଜଲ ଗୁରୁ ପାଇଁ ଯେଉଁ ରଶି ତିଆରି ହୋଇଥିଲା ତାହାର ଦାମ୍‌ ଥିଲା ୧୭୨୫ ଟଙ୍କା। ସାଧାରଣତଃ ଜଣେ ଅପରାଧୀଙ୍କ ଫାଶୀ ଦଉଡ଼ି ତିଆରି କରିବା ପାଇଁ ୭ ଜଣ କଏଦୀ କାମରେ ଲାଗନ୍ତି ଓ ସେମାନଙ୍କୁ ଏଥିପାଇଁ ଚାରି ଦିନ ସମୟ ଲାଗେ। ଯେହେତୁ ସବୁ ସାମଗ୍ରୀର ଦରଦାମ ବଢ଼ିଲାଣି ଏବେ ଯେଉଁ ରଶି ତିଆରି ହେଉଛି ତାହାର ଦାମ ବି ବଢ଼ିକି ଆସିବ ବୋଲି କହିଛନ୍ତି ସେହି ଅଧିକାରୀ। ଫାଶୀ ଦଉଡ଼ିର ଲମ୍ବା ଫାଶୀ ପାଇବାକୁ ଥିବା ଅପରାଧୀର ଲମ୍ବାଠାରୁ ପ୍ରାୟ ଦେଢ଼ ଗୁଣ ଅଧିକ ହୋଇଥାଏ।

ବକ୍ସର ଜେଲ ଅଧିକ୍ଷକଙ୍କୁ ଦଶଟି ରଶି ପ୍ରସ୍ତୁତ କରିବାକୁ କୁହାଯାଇଥିବାରୁ ଆଗାମୀ ଦିନରେ ଆଉ କିଛି ଜଘନ୍ୟ ଅପରାଧୀ ବି ଫାଶୀ ଖୁଣ୍ଟରେ ଝୁଲି ପାରନ୍ତି ବୋଲି ଆକଳନ କରାଯାଉଛି।

Comment