ଓଡ଼ିଶାଲାଇଭ୍ ବ୍ୟୁରୋ

ଏକାଦଶ ଶତାବ୍ଦୀରେ ନିର୍ମିତ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାଇଁ ଓଡ଼ିଶା ସରକାର ୭୦୦ କୋଟି ଟଙ୍କାର ଏକ ପ୍ୟାକେଜ ପ୍ରସ୍ତୁତ କରିଛନ୍ତି। ଆସନ୍ତା ୨୫ ତାରିଖରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିପାରନ୍ତି।

ପ୍ରସ୍ତାବ ଅନୁସାରେ, ଲିଙ୍ଗରାଜ ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ନିକଟରେ ଥିବା ସବୁ ଷ୍ଟ୍ରକଚରକୁ ହଟାଇ ଦିଆଯିବ ଯାହା ଫଳରେ କି ଶ୍ରଦ୍ଧାଳୁମାନେ ବିନା ଅସୁବିଧାରେ ଚଳ ପ୍ରଚଳ କରିପାରିବେ। ଲିଙ୍ଗରାଜ ମନ୍ଦିର ଥାନା ଓ ଟେମ୍ପୁଲ ଅଫିସକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସ୍ଥିର କରିଛନ୍ତି ସରକାର। ମନ୍ଦିର ସାମ୍ନାରେ ଥିବା ସ୍ଥାନକୁ ଯାତ୍ରୀମାନଙ୍କ ଯିବା ଆସିବା ପାଇଁ ବ୍ୟବହୃତ ହେବ।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଦଶ ଜଣିଆ କମିଟି ମନ୍ଦିରର ଚତୁର୍ଦିଗକୁ ସର୍ବାଙ୍ଗ ସୁନ୍ଦର କରିବା କାମରେ ଲାଗିଛନ୍ତି। ଏକାମ୍ର କ୍ଷେତ୍ରର ପୂର୍ଣ୍ଣାଙ୍ଗ ବିକାଶ ଏହି ଯୋଜନାର ଅନ୍ତର୍ଭୁକ୍ତ। ଯେହେତୁ ଏହି ଅଞ୍ଚଳରେ ଅନେକ ପ୍ରାଚୀନ କୀର୍ତ୍ତିରାଜି ରହିଛି ଓଲ୍ଡ ଟାଉନର ରାସ୍ତାଗୁଡ଼ିକୁ ଆହୁରି ଚୌଡ଼ା କରାଯିବ। ତା’ ଛଡ଼ା ପାର୍କିଙ୍ଗ ପାଇଁ ଯଥେଷ୍ଟ ଜାଗାର ବ୍ୟବସ୍ଥା କରାଯିବ। ଜନସାଧାରଣଙ୍କ ବ୍ୟବହାର ପାଇଁ ବିଭିନ୍ନ ପ୍ରକାର ସୁବିଧା ଓ ସୌନ୍ଦର୍ଯ୍ୟକରଣ କରାଯିବାର ଯୋଜନା ବି ରହିଛି।

ଲିଙ୍ଗରାଜ ମନ୍ଦିର ଚାରିପଟେ ଅନେକ ପୁଷ୍କରିଣୀ ଯଥା ବିନ୍ଦୁ ସାଗର, ମରିଚ କୁଣ୍ଡ ଓ ଗଙ୍ଗା ଯମୁନା ଆଦି ରହିଛି। ଏହି ସବୁ ପୁଷ୍କରିଣୀର ପୁନରୁଦ୍ଧାର ଓ ସଂରକ୍ଷଣ କରାଯିବ। ଇତି ମଧ୍ୟରେ ମନ୍ଦିରକୁ ଲାଗି ଥିବା ମାର୍କେଟ କମ୍ପ୍ଲେକ୍ସକୁ ଭାଙ୍ଗି ଦିଆଯାଇଛି। ମନ୍ଦିର ଚାରିପଟେ ଯେଉଁ ଜବର ଦଖଲ ରହିଛି ତାହାକୁ ବି ସଫା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଓଲ୍‌ଡ ଟାଉନରେ ଥିବା ଶହ ଶହ ମନ୍ଦିର ଭୁବନେଶ୍ୱରର ଗାରିମା ଓ ଗୁରୁତ୍ୱକୁ ବଢ଼ାଇବାରେ ସହାୟକ ହୋଇ ଆସିଥିବା କାରଣରୁ ଏଗୁଡ଼ିକର ରକ୍ଷଣା ବେକ୍ଷଣ ସହ ଏହାକୁ ଜବରଦଖଲ ମୁକ୍ତ କରାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ତେବେ ସୁରକ୍ଷା ଓ ଐତିହ୍ୟ ଦୃଷ୍ଟିକୋଣରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ୭୫ ମିଟର ବ୍ୟାସାର୍ଦ୍ଧ ଅଞ୍ଚଳରୁ ଜବର ଦଖଲ ହଟାଇବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଲିଙ୍ଗରାଜ ମନ୍ଦିର ପାଇଁ ସେଭଳି କିଛି ଧାର୍ଯ୍ୟ କରାଯାଇନାହିଁ।

ନିକଟରେ ୫ଟି ସଚିବ କାର୍ତ୍ତିକ ପାଣ୍ଡିଆନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଲିଙ୍ଗରାଜ ମନ୍ଦିର ଅଞ୍ଚଳ ପରିଦର୍ଶନ କରି ବର୍ତ୍ତମାନର ସ୍ଥିତିର ସମୀକ୍ଷା କରିଥିଲେ। ଲିଙ୍ଗରାଜ ମନ୍ଦିରର ଐତିହ୍ୟ ଓ ପରମ୍ପରାକୁ ଦୃଷ୍ଟିରେ ରଖି ଯାହା କିଛି କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଆହୁରି ମଧ୍ୟ, ପୁରୀ ମନ୍ଦିର ପାଇଁ ତିଆରି ହୋଇଥିବା ନୂଆ ଆଇନ ଭଳି ଲିଙ୍ଗରାଜ ମନ୍ଦିର ପାଇଁ ମଧ୍ୟ ଏକ ଟେମ୍ପୁଲ ଆକ୍ଟ ପ୍ରଣୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର।

Comment