ଓଡ଼ିଶାଲାଇଭ୍ ବ୍ୟୁରୋ

ପଗଡ଼ି ଦେଖି ୧୩ ବର୍ଷ ତଳର ପୁରୁଣା ସାଙ୍ଗକୁ ଚିହ୍ନିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।

‘‘ମୁଁ ଆପଣଙ୍କ ପଗଡ଼ି ଦେଖି ଚିହ୍ନିପାରିଲି କାରଣ ଏଠି ଆଉ କେହି ଲୋକ ପଗଡ଼ି ପିନ୍ଧିନାହାନ୍ତି। ତେଣୁ ମୁଁ ଜାଣିଗଲି ଆପଣ ନିଶ୍ଚୟ ଏଠାରେ ଅଛନ୍ତି। ମୁଁ ରାଷ୍ଟ୍ରପତି ହେବାରେ ଆପଣ ଖୁସି ନାହାନ୍ତି ବୋଧେ? କାଇଁ ମତେ ଦେଖା କରିବାକୁ ରାଷ୍ଟ୍ରପତି ଭବନ ଆସୁ ନାହାନ୍ତି। କେବେ ସମୟ ବାହାର କରି ରାଷ୍ଟ୍ରପତି ଭବନ ଆସନ୍ତୁ’’, ଉତ୍କଳ ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ୧୩ ବର୍ଷ ତଳର ସାଙ୍ଗ ବୀରଭଦ୍ର ସିଂହଙ୍କୁ ଡାକି କିଛି ଏପରି କହିଛନ୍ତି।

ରବିବାର ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ ଜୁବୁଲି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଉତ୍ସବରେ ରାଷ୍ଟ୍ରପତିଙ୍କୁ ଭେଟିବାକୁ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ତଥା ପୂର୍ବତନ ରାଜ୍ୟସଭା ସାଂସଦ ବୀରଭଦ୍ର ସିଂହ ମଧ୍ୟ ଆସିଥିଲେ। ସେ କାର୍ଯ୍ୟକ୍ରମରେ ଦ୍ୱିତୀୟ ଧାଡ଼ିରେ ବସିଥିଲେ। ତେବେ କାର୍ଯ୍ୟକ୍ରମ ଶେଷ ପରେ ତାଙ୍କର ପୁରୁଣା ସାଙ୍ଗ ଥିବା ଜାଣିବା ପରେ ତାଙ୍କୁ ଭେଟିବା ପାଇଁ ରାଷ୍ଟପ୍ରତି କହିଥିଲେ। ପରେ ଧର୍ମେନ୍ଦ୍ର ପ୍ରଧାନ ମାଇକ୍‌ରେ କହିଥିଲେ ଯେ, ରାଷ୍ଟ୍ରପତି ତାଙ୍କୁ ସାକ୍ଷାତ କରିବାକୁ ଚାହୁଁଚନ୍ତି ଏହାପରେ ଦୁଇ ସାଙ୍ଗଙ୍କ ମିଳନ ହୋଇଥିଲା। ଏହାସହ ବୀରଭଦ୍ର ସିଂହଙ୍କୁ ଦିଲ୍ଲୀରେ ଥିବା ରାଷ୍ଟ୍ରପତି ଭବନକୁ ଆସିବାକୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି ରାଷ୍ଟ୍ରପତି।

କିଏ ଏହି ବୀରଭଦ୍ର ସିଂହ, କେମିତି ହେଲା ରାଷ୍ଟ୍ରପତିଙ୍କ ସହ ବନ୍ଧୁତା?

୨୦୦୦ ମସିହାରୁ୨୦୦୬ ମସିହା ପର୍ଯ୍ୟନ୍ତ ବୀରଭଦ୍ର ସିଂହ ଓଡ଼ିଶାରୁ ରାଜ୍ୟସଭା ସାଂସଦ ରହିଥିଲେ। ଏହି ସମୟରେ ରାମନାଥ କୋବିନ୍ଦ ମଧ୍ୟ ରାଜ୍ୟସଭାରେ ସାଂସଦ ଥିଲେ। ଏହି ଦୁଇଜଣ ସାଂସଦ ସେ ସମୟରେ ସଂସଦର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ସଦସ୍ୟ ରହିଥିଲେ। ଯେଉଁଠି ଦୁହିଁଙ୍କ ଭିତରେ ବନ୍ଧୁତା ଗଢ଼ିଉଠିଥିଲା। ଏପରିକି ବିଭିନ୍ନ ବିଷୟରେ ବୀରଭଦ୍ରଙ୍କ ଉପଦେଶ ଗ୍ରହଣ କରୁଥିଲେ ରାମନାଥ କୋବିନ୍ଦ।

ତେବେ ୨୦୦୬ ପରେ ବୀରଭଦ୍ର ଆଉ ସାଂସଦ ହୋଇପାରିନଥିଲେ। ତେଣୁ ସେହିଦିନଠାରୁ ସେମାନଙ୍କ ଭିତରେ ଆଉ ଦେଖାସାକ୍ଷାତ ହୋଇନଥିଲା। ଏହାପରେ ସେ ରବିବାର ଦୀର୍ଘ ୧୩ ବର୍ଷର ବ୍ୟବଧାନ ପରେ ନିଜ ବନ୍ଧୁଙ୍କ ସହ ସାକ୍ଷାତ କରିଛନ୍ତି।

Comment