ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଇତିହାସ ରଚିଲେ ଫିନ୍‌ଲାଣ୍ଡ୍‌ର ସୋସିଆଲ ଡେମୋକ୍ରେଟିକ୍‌ ପାର୍ଟି ନେତ୍ରୀ ସନା ମିରେଲା ମରୀନ୍‌। ନିକଟରେ ସେ ଫିନ୍‌ଲାଣ୍ଡ୍‌ର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ଏଥିସହିତ ୩୪ ବର୍ଷୀୟା ସନା ଫିନ୍‌ଲ୍ୟାଣ୍ଡ ସହ ସାରା ଦୁନିଆର ସବୁଠୁ ସାନ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି।

ଫିନ୍‌ଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଏଣ୍ଟି ରେନେଙ୍କ ଇସ୍ତଫା ଦେବା ପରେ ସନା ମରୀନ୍‌ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ମୋନୋନୀତ ହୋଇଥିଲେ। ବର୍ତ୍ତମାନ ସେ ଫିନ୍‌ଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ସେ ହେଉଛନ୍ତି ଫିନ୍‌ଲ୍ୟାଣ୍ଡର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ଏବଂ ଦୁନିଆର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ। ଏହା ପୂର୍ବରୁ ସେ ଫିନ୍‌ଲ୍ୟାଣ୍ଡର ପରିବହନ ଓ ସଞ୍ଚାର ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ।

ଏନେଇ ସନା କହିଛନ୍ତି, “ମତଦାତାମାନେ ମୋ ଉପରେ ଯେଉଁ ବିଶ୍ୱାସ କରିଛନ୍ତି ତାକୁ ସମ୍ମାନ ଜଣାଉଛି। ଆମକୁ ଆଗକୁ ବହୁତ କାମ କରିବାର ଅଛି। ମୁଁ ମୋ ବୟସ କିମ୍ବା ଲିଙ୍ଗ ବିଷୟରେ କେବେ ଭାବିନି। ମତଦାତାମାନେ ଯେଉଁ ବିଶ୍ୱାସରେ ମତେ ପ୍ରଧାନମନ୍ତ୍ରୀ କରିଛନ୍ତି, ମୁଁ ସେମାନଙ୍କ ବିଶ୍ୱାସ ରଖିବା ଦିଗରେ କାମ କରିବି।”

ସନା ମରୀନ କିଏ?

୧୯୮୫ ମସିହା ନଭେମ୍ବର ୧୬ରେ ସନା ମରୀନ ଫିନ୍‌ଲାଣ୍ଡରେ ଜନ୍ମ ଗ୍ରହଣ କରିଥିଲେ। ସେ ୨୦୧୭ ମସିହାରେ ପ୍ରଶାସନିକ ବିଜ୍ଞାନରେ ଟାମ୍ପେର୍‌ ବିଶ୍ୱବିଦ୍ୟାଳୟରେ ସ୍ନାତକ ପାସ୍‌ କରିଥିଲେ। ୨୦୧୦-୨୦୧୨ ଯାଏଁ ସେ ସୋସିଆଲ ଡେମୋକ୍ରେଟିକ୍‌ ପାର୍ଟିର ଅଧ୍ୟକ୍ଷ ହୋଇଥିଲେ।

୨୦୧୫ରେ ପ୍ରଥମଥର ପାଇଁ ସଂସଦକୁ ନିର୍ବାଚିତ ହୋଇଥିଲେ। ଜୁନ୍‌ ୨୦୧୯ରେ ସେ ସରକାରରେ ପରିବହନ ଓ ସଞ୍ଚାର ମନ୍ତ୍ରୀ ହୋଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଏଣ୍ଟି ରେନେଙ୍କ ଇସ୍ତଫା ଦେବା ପରେ ୨୦୧୯ ଡିସେମ୍ବରରେ ସେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି।

ଫିନ୍‌ଲାଣ୍ଡ ହେଉଛି ଉତ୍ତର ୟୁରୋପ୍‌ର ଏକ ଦେଶ। ଏହାର ରାଜଧାନୀ ହେଉଛି ହେଲ୍‌ସିଙ୍କି। ଏହାର ସୀମା ପଶ୍ଚିମରେ ସ୍ୱୀଡେନ୍‌, ପୂର୍ବରେ ଋଷ୍‌ ଏବଂ ଉତ୍ତରରେ ନର୍‌ୱେ ଯାଏଁ ବ୍ୟାପ୍ତ। ଏହି ଦେଶର ମୋଟ ଜନସଂଖ୍ୟା ପାଖାପାଖି ୫୩ ଲକ୍ଷ।

Comment