ଓଡ଼ିଶାଲାଇଭ୍ ବ୍ୟୁରୋ

ନାଗରିକତା ବିଲରେ କାହିଁକି ମୁସଲମାନଙ୍କୁ ରଖାଯାଇନି ସେନେଇ ରାଜ୍ୟସଭାରେ ଉତ୍ତର ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ନାଗରିକତା ବିଲକୁ ନେଇ ଏବେ ଚାରିଆଡ଼େ ଜୋରସୋରରେ ଚର୍ଚ୍ଚା। କାହିଁକି ଏହି ବିଲରେ ମୁସଲମାନଙ୍କୁ ରଖାଯାଇନି ସେନେଇ ବିରୋଧୀ ମଧ୍ୟ ଶାସକ ଦଳକୁ ପ୍ରଶ୍ନବାଣରେ ହାଲିଆ କରିସାରିଲେଣି। ତେବେ ଏନେଇ ଶେଷରେ ରାଜ୍ୟସଭାରେ ଉତ୍ତର ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

“ପାକିସ୍ତାନ, ଆଫଗାନିସ୍ତାନ ଓ ବାଙ୍ଗଲାଦେଶରେ ହିନ୍ଦୁ, ଜୈନ, ପାର୍ସୀ, ଶିଖ୍ ଧର୍ମର ଲୋକମାନଙ୍କୁ ପ୍ରତାଡ଼ିତ କରାଯାଇଛି। ନାଗରିକତା ବିଲରେ ଏହି ପ୍ରତାଡ଼ିତମାନଙ୍କୁ ସ୍ଥାନ ଦିଆଯାଇଛି। ଏହି ସମସ୍ତ ଦେଶରେ ମୁସଲମାନମାନଙ୍କ ସଂଖ୍ୟା ଅଧିକ। ତେଣୁ ମୁସଲମାନମାନେ କଦାପି ବି ଏହି ଦେଶମାନଙ୍କରେ ଧାର୍ମିକ ଉତ୍ପୀଡ଼ନର ଶିକାର ହେବେନାହିଁ”, କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ତେଣୁ ନାଗରିକତା ବିଲରେ ମୁସଲମାନମାନଙ୍କୁ ରଖାଯାଇନି ବୋଲି ସେ କହିଛନ୍ତି।ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବିଲ ଦ୍ୱାରା କେବଳ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ସଂଖ୍ୟାଲଘୁ ଶରଣାର୍ଥୀଙ୍କୁ ଭାରତ ଗ୍ରହଣ କରିବ। ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇଥିବା ଲୋକମାନେ ଏହି ବିଲ୍ ସାହାଯ୍ୟରେ ଭାରତର ନାଗରିକତ୍ୱ ପାଇପାରିବେ ବୋଲି ଅମିତ ଶାହ ରାଜ୍ୟସଭାରେ ଉତ୍ତର ରଖିଛନ୍ତି।ନାଗରିକତା ବିଲରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଶରଣାର୍ଥୀ ଭାବେ ଆସିଥିବା ବିଭିନ୍ନ ଧର୍ମର ଲୋକଙ୍କ କଥା ଉଲ୍ଲେଖ କରାଯାଇଛି। ଏହି ଲୋକମାନଙ୍କୁ ଭାରତରେ ନାଗରିକତା ମିଳିବ ବୋଲି ବିଲରେ ନିୟମ ମଧ୍ୟ କରାଯାଇଛି। ତେବେ ମୁସଲମାନମାନଙ୍କୁ ଏହି ବିଲରୁ ବାଦ ଦିଆଯାଇଛି। ତେଣୁ ଏହି ବିଲକୁ ନେଇ  ବିରୋଧୀମାନେ ହଟ୍ଟଗୋଳ ଜାରି ରଖିଛନ୍ତି। ଏହି ବିଲ ଭାରତୀୟ ସମ୍ବିଧାନର ଧାରା ୧୪ ସମାନତା ଅଧିକାର ଏବଂ ସମ୍ବିଧାନର ମୁଖବନ୍ଧ ବିରୋଧୀ ବୋଲି ଅଭିଯୋଗ ହେଉଛି।

Comment