ଓଡ଼ିଶାଲାଇଭ୍ ବ୍ୟୁରୋ

ଅନେକ ସମୟରେ କିଛି ଖାଦ୍ୟର ପାର୍ଶ୍ଵପ୍ରତିକ୍ରିୟା ଯୋଗୁଁ ଲୋକମାନେ ଫୁଡ୍ ପଏଜନିଂର ଶିକାର ହୋଇଥା’ନ୍ତି। ଡାକ୍ତରଙ୍କ ପାଖକୁ ଯିବା ସମ୍ଭବପର ନଥିଲେ ଘରୋଇ ଭାବେ ମଧ୍ୟ ଆପଣ ତା’ର ପ୍ରାଥମିକ ଚିକିତ୍ସା କରିପାରିବେ।

ରସୁଣ: ରସୁଣରେ ଆଣ୍ଟିଭାଇରାଲ, ଆଣ୍ଟିବ୍ୟାକ୍ଟେରିଆଲ ଏବଂ ଆଣ୍ଟିଫଙ୍ଗାଲ ଗୁଣ ପ୍ରଚୁର ପରିମାଣରେ ମହଜୁଦ ରହିଛି। ତେଣୁ ଫୁଡ୍‌ ପଏଜନିଂ ହୋଇଥିଲେ ଏହା ମହୌଷଧି ଭଳି କାମ କରିଥାଏ। ଗୋଟିଏ କୋଲା ରସୁଣ ନେଇ ତାକୁ ଗ୍ଲାସେ ଗରମ ପାଣି ସହ ପିଅନ୍ତୁ। ନ ହେଲେ ଅଳ୍ପ ପାଣି ଉଷୁମ କରି ସେଥିରେ କେଇକୋଲା ରସୁଣ ପକାଇ ସେହି ପାଣିକୁ ଅଳ୍ପ ଅଳ୍ପ କରି ପିଇ ପାରିବେ।

ଲେମ୍ବୁ: ଲେମ୍ବୁରେ ଥିବା ଅମ୍ଳୀୟ ଗୁଣ ଯୋଗୁଁ ଏହା ପେଟରେ ଥିବା ବ୍ୟାକ୍ଟେରିଆଗୁଡ଼ିକୁ ନଷ୍ଟ କରିଦେଇଥାଏ। ତେଣୁ ଫୁଡ୍‌ ପଏଜନିଂ ହୋଇଥିଲେ ଏକ ଚାମଚ ଲେମ୍ବୁ ରସରେ ଅଳ୍ପ ଚିନି ପକାଇ ୨-୩ ଥର ପିଅନ୍ତୁ। ନ ହେଲେ ଗୋଟିଏ ଗ୍ଲାସ ଉଷୁମ ପାଣିରେ ଗୋଟିଏ ଲେମ୍ବୁ ଚିପୁଡ଼ି ତାକୁ ଅଳ୍ପ ଅଳ୍ପ କରି ପିଇପାରିବେ।

ଆପଲ ସାଇଡର ଭିନେଗାର: ଲେମ୍ବୁ ଭଳି ଆପଲ ସାଇଡର ଭିନେଗାରରେ ମଧ୍ୟ ଅମ୍ଳୀୟ ଗୁଣ ରହିଥାଏ। ତେଣୁ ଏହା ଅନ୍ତଃନଳୀରେ ଜମା ହୋଇଥିବା ବିଷାକ୍ତ ପଦାର୍ଥକୁ ବାହାର କରିଦେଇ ତୁରନ୍ତ ଆରାମ ପ୍ରଦାନ କରେ। ଗୋଟିଏ ଗ୍ଲାସ ଗରମ ପାଣିରେ ୨ ଚାମଚ ଆପଲ ସାଇଡର ଭିନେଗାର ପକାଇ ଖାଇବା ପୂର୍ବରୁ ପିଅନ୍ତୁ।

ତୁଳସୀ ପତ୍ର: ତୁଳସୀ ପତ୍ରରେ ଥିବା ଆଣ୍ଟିମାଇକ୍ରୋବିଆଲ ଗୁଣ ଯୋଗୁଁ ଏହା ପେଟରେ ଥିବା ବ୍ୟାକ୍ଟେରିଆଗୁଡ଼ିକୁ ନଷ୍ଟ କରି ଦେଇଥାଏ। ଫୁଡ ପଏଜନିଂ ହୋଇଥିଲେ ୨-୩ କପ୍‌ ପାଣିରେ ମୁଠାଏ ତୁଳସୀପତ୍ର ପକାଇ ତାକୁ ଫୁଟାନ୍ତୁ। ଥଣ୍ଡା ହେବା ପରେ ସେଥିରେ କିଛି ମହୁ ମିଶାଇ ଚାମଚେ ଲେଖାଏଁ ଦିନରେ ୪-୫ ଥର ପିଅନ୍ତୁ। ତୁରନ୍ତ ଆରାମ ମିଳିବ।

ଜିରା: ଫୁଡ୍ ପଏଜନିଂ ପାଇଁ ଜିରା ମଧ୍ୟ ଏକ ଭଲ ଔଷଧ। ଏହାକୁ ଆପଣ ପାଣିରେ ପକାଇ ଫୁଟାଇ ପିଇପାରିବେ। ନହେଲେ ଉଷୁମ ପାଣି ନେଇ ତା’ ସହିତ ଜିରାକୁ ଖାଇପାରିବେ। ଦିନରେ ୨-୩ ଥର ଏପରି କଲେ ପେଟ ସଫା ହୋଇଯାଇଥାଏ।

ମହୁ: ଫୁଡ୍‌ ପଏଜନିଂ ରୋଗୀଙ୍କ ପାଇଁ ମହୁ ମଧ୍ୟ ଭଲ କାମ କରିଥାଏ। ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍‌ ଗୁଣ ଥିବାରୁ ଏହା ହଜମକୁ ଭଲ କରିଥାଏ। ଦିନକୁ ୩-୪ ଥର ଚାମଚେ ଲେଖାଏଁ ମହୁ ଖାଇଲେ ଏହା ପେଟରେ ହୋଇଥିବା ଅତ୍ୟଧିକ ଅମ୍ଳକୁ ନଷ୍ଟ କରିଦିଏ। ତେଣୁ ପେଟଯନ୍ତ୍ରଣା କମିଯାଏ। ପରୋକ୍ଷରେ ଯକୃତକୁ ସୁସ୍ଥ ହେବାରେ ଏହା ସହାୟକ ହୁଏ।

ପାଚିଲା କଦଳୀ: ଫୁଡ୍‌ ପଏଜନିଂ ହେଲେ ଅଧିକାଂଶ ସ୍ଥଳରେ ରୋଗୀମାନେ ଡାଇରିଆ, ବାନ୍ତି ଭଳି ସମସ୍ୟା ଭୋଗିଥା’ନ୍ତି। ଏହାଯୋଗୁଁ ଶରୀରରେ ପୋଟାସିୟମର ମାତ୍ରା କମିଯାଇଥାଏ। ଏଭଳି କ୍ଷେତ୍ରରେ ପାଚିଲା କଦଳୀ ଖୁବ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ପାଚିଲା କଦଳୀକୁ ଆପଣ ଅଳ୍ପ ପାଣି ଓ ଡାଲଚିନି ନେଇ ସେକ ମଧ୍ୟ ପ୍ରସ୍ତୁତ କରିପାରିବେ।

Comment