ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଡିସେମ୍ବର ୧୫ରୁ ଆରମ୍ଭ ହେବ ତୋଷାଳି ମେଳା
  • ଜନତା ମଇଦାନରେ ୧୩ ଦିନ ଧରି ଚାଲିବ
  • ଏଥର ପଡ଼ିବ ୩୮୦ଟି ଷ୍ଟଲ୍‌
  • ରାଜ୍ୟ ବାହାରୁ ଆସିବେ ୫୦ ବୁଣାକାର

ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆସନ୍ତା ଡିସେମ୍ବର ୧୫ରୁ ଆରମ୍ଭ ହେବ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୧୯। ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେବାକୁ ଥିବା ଏହି ପ୍ରସିଦ୍ଧ ମେଳା ଡିସେମ୍ବର ୨୭ ଯାଏଁ ୧୩ ଦିନ ଧରି ଚାଲିବ। ଗୁରୁବାର ଏନେଇ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଚଳିତବର୍ଷ ତୋଷାଳି ମେଳାରେ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ନିର୍ମିତ ୩୮୦ ଗୋଟି ଷ୍ଟଲ୍‌ ତିଆରି ହୋଇଛି। ରାଜ୍ୟ ବାହାରୁ ୫୦ ଜଣ ବୁଣାକାର ସାମିଲ ହୋଇଥିବା ବେଳେ ଓଡ଼ିଶାରୁ ପ୍ରାୟ ୧୫୦ ଜଣ ହସ୍ତଶିଳ୍ପ କାରୀଗର ଓ ୮୦ ଜଣ ବୁଣାକାର ସାମିଲ ହେବେ। ଏହା ବ୍ୟତୀତ ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ ୧୨ଟି ଅନୁଷ୍ଠାନ ଚଳିତ ତୋଷାଳି ମେଳାରେ ନିଜର କାରୁକାର୍ଯ୍ୟ ପ୍ରଦର୍ଶନ କରିବେ।

୧୩ ଦିନ ଧରି ଚାଲିବାକୁ ଥିବା ଏହି ମେଳା ପ୍ରତିଦିନ ୧୧ଟାରୁ ଆରମ୍ଭ ହୋଇ ରାତି ୯.୩୦ ଯାଏଁ ଚାଲିବ। ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଦର୍ଶକମାନେ ଓଡ଼ିଶାର ପାରମ୍ପରିକ ଖାଦ୍ୟର ମଧ୍ୟ ମଜା ଉଠାଇପାରିବେ। ଏଥିପାଇଁ ରାଜ୍ୟର ପ୍ରମୁଖ ହୋଟେଲଗୁଡ଼ିକ ସାମିଲ କରାଯାଇ ୪୦ଟି ଫୁଡ୍‌ ଷ୍ଟଲ୍‌ରେ ଆୟୋଜନ କରାଯାଇଛି।

ଚଳିତ ବର୍ଷ ତୋଷାଳି ମେଳାରେ ପ୍ରାୟ ୨୨ ଲକ୍ଷ ଦର୍ଶକ ଆସିବା ନେଇ ଆକଳନ କରାଯାଇଛି। ଏହା ସହିତ ୨୧.୫୦ କୋଟି ଟଙ୍କାର ବିକ୍ରିବଟା ହେବାର ପୂର୍ବାନୁମାନ କରାଯାଇଛି। ୨୦୧୮ ମସିହା ତୋଷାଳି ମେଳାରେ ୨୧.୩୭ ଲକ୍ଷ ଦର୍ଶକ ଯୋଗ ଆସିବା ସହିତ ୨୦.୮୨ କୋଟି ଟଙ୍କାର ବିକ୍ରିବଟା ହୋଇଥିଲା।

Comment