ଓଡ଼ିଶାଲାଇଭ୍ ବ୍ୟୁରୋ

ନନ୍ଦନକାନନରେ ପୁଣି ଆରମ୍ଭ ହେବ ରୋପ୍‌-ୱେ ବ୍ୟବସ୍ଥା। ଏନେଇ ଶୁକ୍ରବାର ରାଜ୍ୟ ବନ୍ୟଜନ୍ତୁ ସୁରକ୍ଷା ବୋର୍ଡ ଷ୍ଟାଣ୍ଡିଂ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଖୁବ୍‌ଶୀଘ୍ର ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏହି ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ବୈଠକ ଶେଷରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ କହିଛନ୍ତି।

‘‘ପର୍ଯ୍ୟଟକମାନେ ନନ୍ଦନକାନନରେ ରୋପ-ୱେ ମଜା ନେବାକୁ ଅପେକ୍ଷା କରି ରହିଛନ୍ତି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏହି ବ୍ୟବସ୍ଥା ଆରମ୍ଭ କରାଯିବ। ଏଥିପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ରୋପ୍‌-ୱେ ବ୍ୟବସ୍ଥା ପାଇଁ ୩୬ଟି ଗଛ କଟାଯିବ। ଏ ବିଷୟରେ ବୈଠକରେ ଆଲୋଚନା ହୋଇଛି’’, କହିଛନ୍ତି ମନ୍ତ୍ରୀ ବିକ୍ରମକେଶରୀ ଆରୁଖ।

୧୯୯୪ରୁ ନନ୍ଦନକାନନରେ ରୋପ-ୱେ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ପର୍ଯ୍ୟଟକମାନେ ଏହାର ମଜା ନେଉଥିଲେ। ହେଲେ ୨୦୧୦ରେ ଏକ ଦୁର୍ଘଟଣା ଘଟିବାରୁ ୧୩ ଜଣ ପର୍ଯ୍ୟଟକ ଆହତ ହୋଇଥିଲେ। ଏହାକୁ ନେଇ ବିବାଦ ଦେଖାଦେଇଥିଲା। ଫଳରେ ୨୦୧୧ରୁ ଏହି ବ୍ୟବସ୍ଥାକୁ ରାଜ୍ୟ ସରକାର ବନ୍ଦ କରି ଦେଇଥିଲେ।

ନନ୍ଦନକାନନରେ ପୁଣିଥରେ ରୋପ-ୱେ ବ୍ୟବସ୍ଥା ଆରମ୍ଭ କରିବାକୁ ପର୍ଯ୍ୟଟକମାନେ ଦାବି କରୁଥିଲେ। ଏହି ଦାବିକୁ ବିଚାର କରି ସରକାର ଆଜି ବୈଠକରେ ରୋପ-ୱେ ବ୍ୟବସ୍ଥା ଚାଲୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Comment