ଓଡ଼ିଶାଲାଇଭ୍ ବ୍ୟୁରୋ

‘‘ଦିନେ ନରେନ୍ଦ୍ର ମୋଦୀ ଦିଲ୍ଲୀକୁ ରେପ୍‌ କ୍ୟାପିଟାଲ କହିଥିଲେ। ଏହାର ଭିଡିଓ କ୍ଲିପ୍‌ ମୋ’ ମୋବାଇଲରେ ରହିଛି। ଏହି କ୍ଲିପ୍‌କୁ ମୁଁ ଟୁଇଟରରେ ପୋଷ୍ଟ କରିଛି। ସାରା ଦେଶବାସୀ ଏହା ଦେଖିବେ’’, ବିଜେପିକୁ ରୋକ୍‌ଠୋକ୍‌ ଜବାବ ଦେଇ ଏହା କହିଛନ୍ତି ରାହୁଲ ଗାନ୍ଧୀ।

ରାହୁଲ ଗାନ୍ଧୀଙ୍କ ‘ରେପ୍‌ ଇଣ୍ଡିଆ’ ମନ୍ତବ୍ୟକୁ ନେଇ ବିଜେପି ସାରା ଦେଶରେ ବବାଲ କରୁଛି। ଲୋକସଭାରେ ବିଜେପି ସାଂସଦ ରାହୁଲଙ୍କୁ ସିଧାସଳଖ ଆଟାକ୍‌ କରିବା ସହ ଏହି ମନ୍ତବ୍ୟ ପାଇଁ ଦେଶବାସୀଙ୍କୁ କ୍ଷମା ମାଗିବାକୁ ଦାବି କରିଥିଲେ। ଏନେଇ ବିଜେପି ସାଂସଦ ନିର୍ବାଚନ କମିସନଙ୍କୁ ଫେରାଦ ମଧ୍ୟ ହୋଇଛନ୍ତି। ହେଲେ ରାହୁଲ ବିଜେପିକୁ ଜବାବ ଦେଇ ‘ମୁଁ କାହିଁକି କ୍ଷମା ମାଗିବି’ ପ୍ରଶ୍ନ କରିଛନ୍ତି। ମୋ’ କଥାକୁ କଦର୍ଥ କରାଯାଇଥିବା ରାହୁଲ କହିଛନ୍ତି।

ରାହୁଲ ଆହୁରି କହିଛନ୍ତି, ‘‘ଉତ୍ତର ପୂର୍ବ ରାଜ୍ୟରେ ମୋଦୀ ଏବଂ ଅମିତ ଶାହ ନିଆଁ ଲଗାଇଛନ୍ତି। ନାଗରିକତା ବିଲ୍‌କୁ ସେଠି ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି। ଏଥିରୁ ନଜର ହଟାଇବା ପାଇଁ ବିଜେପି ମୋ’ କଥାକୁ କଦର୍ଥ କରି ମତେ ଟାର୍ଗେଟ କରୁଛି।’’

ଝାଡ଼ଖଣ୍ଡର ଏକ ନିର୍ବାଚନ ରାଲିରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ‘‘ମୋଦି ମେକ୍‌ ଇନ୍‌ ଇଣ୍ଡିଆର ନାରା ଦେଉଛନ୍ତି। ହେଲେ ଏବେ ତାହା ରେପ୍‌ ଇନ୍‌ ଇଣ୍ଡିଆ ପାଲଟି ଯାଇଛି। ଦେଶର କୋଣ ଅନୁକୋଣରେ ପ୍ରତିଦିନ ଏଭଳି ଘଟଣା ଘଟୁଛି। ମୋଦୀ ‘ବେଟି ପଢ଼ାଓ, ବେଟି ବଚାଓ’ର ନାରା ଦେଉଛନ୍ତି। ହେଲେ କାହାଠୁ ବଞ୍ଚିବେ ତାହା ସ୍ପଷ୍ଟ କରୁ ନାହାନ୍ତି। ଉତ୍ତରପ୍ରଦେଶରେ ବିଜେପି ବିଧାୟକ ଦୁଷ୍କର୍ମରେ ସାମିଲ ହୋଇଥିବା ବେଳେ ମୋଦୀ ନୀରବ ରହୁଛନ୍ତି।’’

Comment