ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀ ଜଳ ବିବାଦ ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି ଟ୍ରିବ୍ୟୁନାଲ। ଫେବ୍ରୁଆରି ୧ ତାରିଖରେ ମହାନଦୀ ଜଳ ବିବାଦ ମାମଲା ଶୁଣାଣି ହେବ ବୋଲି ଟ୍ରିବ୍ୟୁନାଲରେ ନିଷ୍ପତ୍ତି ନିଆଯାଇଛି।

ପୁଣିଥରେ ଉଭୟ ରାଜ୍ୟ ପରସ୍ପର ମହାନଦୀ ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଜାନୁଆରୀ ମାସରେ ଉଭୟ ରାଜ୍ୟ ପରସ୍ପରର ମହାନଦୀ ପ୍ରକଳ୍ପଗୁଡ଼ିକୁ ଅନୁଧ୍ୟାନ କରିବେ। ଏହାପରେ ଯାଇ ଫେବୃଆରୀ ୧ ତାରିଖରେ ଏହି ମାମଲାର ଶୁଣାଣି କରାଯିବ ବୋଲି କୁହାଯାଇଛି।ବିଚାରପତି ଏ ଏମ୍ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲା ବିଚାର କରୁଛନ୍ତି। ଶନିବାର ଉଭୟ ରାଜ୍ୟ ନିଜ ନିଜର ପ୍ରଥମ ଅନୁଧ୍ୟାନ ରିପୋର୍ଟ ପ୍ରଦାନ କରିଥିଲେ। ଏହାପରେ ଟ୍ରିବ୍ୟୁନାଲ ପୁଣିଥରେ ପ୍ରକଳ୍ପଗୁଡ଼ିକର ଅନୁଧ୍ୟାନ କରିବା ପାଇଁ ଉଭୟ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି।ଏହା ପୂର୍ବରୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶରେ ଉଭୟ ରାଜ୍ୟର ପ୍ରତିନିଧି ଦଳ ପରସ୍ପରର ପ୍ରକଳ୍ପକୁ ବୁଲି ଦେଖିଥିଲେ। ଗତ ଅକ୍ଟୋବର ୨୯ ତାରିଖରୁ ନଭେମ୍ବର ୩ ପର୍ଯ୍ୟନ୍ତ ଓଡ଼ିଶାର ପ୍ରତିନିଧି ଦଳ ଛତିଶଗଡ଼ରେ ଥିବା ମହାନଦୀ ପ୍ରକଳ୍ପଗୁଡ଼ିକୁ ବୁଲିଦେଖିଥିଲା। ଏହାପରେ ନଭେମ୍ବର ଦ୍ୱିତୀୟ ସପ୍ତାହରେ ଛତିଶଗଡ଼ର ପ୍ରତିନିଧି ଦଳ ଓଡ଼ିଶା ଆସି ମହାନଦୀ ସମ୍ପର୍କିତ ପ୍ରକଳ୍ପଗୁଡ଼ିକର ଅନୁଧ୍ୟାନ କରିଥିଲା।

Comment