ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କୁ ମୃତ୍ୟୁ ଦେଣ୍ଡ ଦେଲେ ପେଶଓ୍ଵାର କୋର୍ଟ।

ଦେଶଦ୍ରୋହ ଓ ଦେଶ ବିରୋଧୀ ଷଡ଼ଯନ୍ତ୍ର ପାଇଁ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି ପାକିସ୍ତାନର ପେଶଓ୍ଵାର କୋର୍ଟ। ପାକିସ୍ତାନର ପେଶାୱାର କୋର୍ଟରେ ଜଷ୍ଟିସ୍ ୱକାର୍ ଅହମ୍ମଦ ସେଠଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।

ଜାଣନ୍ତୁ ପୂରା ଘଟଣା

୧୯୯୯ ମସିହା କାରଗିଲ ଯୁଦ୍ଧ ସମୟରେ ପାକିସ୍ତାନର ସେନାଧ୍ୟକ୍ଷ ଥିଲେ ପରଭେଜ ମୁସାରଫ। ତାଙ୍କ ନେତୃତ୍ଵରେ ପାକିସ୍ତାନ ସେନା ଭାରତ ବିପକ୍ଷରେ ଆକ୍ରମଣ କରିଥିଲା। ଏଥିରେ ପାକିସ୍ତାନର ପରାଜୟ ହୋଇଥିଲା। ହେଲେ ମୁସାରଫ ପାକିସ୍ତାନରେ ଏକ ପରିଚିତ ଚେହେରା ହୋଇଯାଇଥିଲେ।

ପରେ ଏହାର ସୁଯୋଗ ନେଇ ସେ ନିଜକୁ ଦେଶର ରାଷ୍ଟ୍ରପତି ଘୋଷଣା କରିଥିଲେ। ପରେ ୨୦୦୨ ଏପ୍ରିଲ ମାସରେ ଏକ ଜନମତ ନେଇ ୫ ବର୍ଷ ପାଇଁ ରାଷ୍ଟ୍ରପତି ହୋଇଥିଲେ। ୨୦୦୭ରେ ମଧ୍ୟ ସେ ରାଷ୍ଟ୍ରପତି ନିର୍ବାଚନ ଜିତି ଥିଲେ।

ହେଲେ ଏହି ନିର୍ବାଚନ ବିରୋଧରେ ସୁପ୍ରିମ୍‌କୋର୍ଟରେ ଅଭିଯୋଗ ଦାଖଲ କରାଯାଇଥିଲା। ହେଲେ ଏହି ସମୟରେ ମୁସାରଫ ଦେଶର ସମ୍ଵିଧାନକୁ ରଦ୍ଦ କରିବା ସହ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଦେଇଥିଲେ। ଏହାସହ ଏହି ସମୟରେ ଏକାଧିକ ବିଚାରପତି ଓ ରାଜନେତାଙ୍କୁ ସେ ଗୃହ ବନ୍ଦୀ କରି ରଖିଥିଲେ। କିନ୍ତୁ ପରେ ୨୦୦୮ରେ ମୁସାରଫ ଇସ୍ତଫା ଦେଇଥିଲେ।

ନଓ୍ଵାଜ ସରିଫ ୨୦୧୩ରେ ପୁଣି ଗାଦିକୁ ଫେରିବା ପରେ ମୁସାରଫଙ୍କ ବିରୋଧରେ ଏହି ମାମଲା କରାଯାଇଥିଲା। ଏହି ମାମଲାରେ ୨୦୧୪ ମାର୍ଚ୍ଚ ୩୧ ତାରିଖରେ ମୁସାରଫଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

୨୦୧୬ରେ ମୁସାରଫ ମେଡିକାଲ୍‌ ଚେକଅପ୍‌ ପାଇଁ ଦୁବାଇ ଯାଇଥିଲେ। ସେବେଠାରୁ ସ୍ଵାସ୍ଥ୍ୟଗତ ସମସ୍ୟା ବାହାନାରେ ସେ ଆଉ ପାକିସ୍ତାନ ଫେରି ନାହାନ୍ତି। ଏହାପୂର୍ବରୁ ୨୦୦୮ରେ ମଧ୍ୟ ସେ ଦେଶ ଛାଡ଼ି ଦେଇଥିଲେ।

Comment