ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ବିଏମ୍‌ସିର ବକେୟା ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବା ସହ ଟ୍ରେଡ୍‌ ଲାଇସେନ୍ସ ଯାଞ୍ଚ କରିବେ କିନ୍ନର। ଏନେଇ ବୁଧବାର ବିଏମ୍‌ସି ଓ କିନ୍ନର ସ୍ଵୀକୃତି ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରେ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଛି।

ବିଏମ୍‌ସି ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର କହିଛନ୍ତି, ‘‘ବିଏମ୍‌ସିର କୋଟି କୋଟି ହୋଲ୍ଡିଂ ଟ୍ୟାକ୍ସ ବାକି ପଡ଼ିଛି। ଶତାଧିକ ଲୋକ ହୋଲ୍ଡିଂ ଟିକସ ଦେଉନାହାନ୍ତି। ସେମାନଙ୍କୁ ବାରମ୍ବାର ନୋଟିସ୍‌ ଦେବା ସତ୍ତ୍ୱେ ସେମାନେ ଟ୍ୟାକ୍ସ ଦେଉନାହାନ୍ତି। ଏଥିପାଇଁ କିନ୍ନରଙ୍କୁ ନିୟୋଜିତ କରାଯାଇଛି।’’

କିନ୍ନରମାନଙ୍କୁ ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀଙ୍କ ତାଲିକା ପ୍ରଦାନ କରାଯିବ। ସେମାନେ ଏହି ତାଲିକା ଅନୁସାରେ ଖିଲାପକାରୀଙ୍କ ପାଖରୁ ବକେୟା ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବା ସହ ଟ୍ରେଡ୍‌ ଟ୍ୟାକ୍ସ ଯାଞ୍ଚ କରିବେ। ସେମାନେ ଯେତିକି ଟ୍ୟାକ୍ସ ଆଦାୟ କରିବେ ତା’ର ଏକ ପ୍ରତିଶତ କିନ୍ନରଙ୍କୁ ଦିଆଯିବ ବୋଲି ବିଏମ୍‌ସି ଡେପୁଟି କମିସନର କହିଛନ୍ତି।

୪୦ ଲକ୍ଷ ଟଙ୍କା ମଧ୍ୟରେ ଟିକସ ଆଦାୟ କଲେ କିନ୍ନରମାନଙ୍କୁ ୧ ପ୍ରତିଶତ, ୪୦ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଆଦାୟ କଲେ ୧.୫ ପ୍ରତିଶତ, ୬୦ ଲକ୍ଷରୁ ଅଧିକ ଟିକସ ଆଦାୟ କଲେ ୨ ପ୍ରତିଶତ ରାଶି କିନ୍ନରମାନଙ୍କୁ ପ୍ରୋତ୍ସାହନ ଆକରରେ ପ୍ରଦାନ କରିବେ ବିଏମ୍‌ସି।

ଟ୍ୟାକ୍ସ ଆଦାୟ କରିବା ପାଇଁ କିନ୍ନର ଗୋଷ୍ଠୀଙ୍କୁ ବିଏମ୍‌ସି ୟୁନିଫର୍ମ, ବ୍ୟାଚ୍‌ ଓ ପରିଚୟ ପତ୍ର ପ୍ରଦାନ କରାଯିବ।

Comment