ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯେତେ ହୋଟେଲ ବା ରେସ୍ତୋରାଁ ଖାଦ୍ୟ ଖାଇଲେ ବି ଘର ଖାଦ୍ୟର ବାସ୍ନା ସବୁଠୁ ନିଆରା। କୁହାଯାଏ, ପୁରୁଣା କାଳର ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟର ସ୍ୱାଦ ଆଉ କେଉଁଠି ମିଳେନି। ଏହାର କାରଣ ହେଉଛି ଏଥିରେ ବ୍ୟବହାର ହେଉଥିବା ମସଲା। ଆଗକାଳରେ ଖାଇବା ପାଇଁ ବ୍ୟବହୃତ ହେଉଥିବା ମସଲା ଶିଳପୁଆରେ ବଟାଯାଉଥିଲା। ଆଉ ଶିଳରେ ବଟା ମସଲା ଖାଦ୍ୟକୁ ଅଧିକ ସ୍ୱାଦିଷ୍ଟ କରିଥାଏ। ହେଲେ ଶିଳପୁଆରେ ପ୍ରସ୍ତୁତ ମସଲାର ଖାଦ୍ୟରେ ଅନେକ ଉପକାରିତା ରହିଛି ତାହା ଅଧିକାଂଶ ଲୋକ ଜାଣି ନଥିବେ। ଜାଣନ୍ତୁ, ଶିଳପୁଆରେ ମସଲା ବାଟିଲେ କ’ଣ ଲାଭ ହୋଇଥାଏ।

ଖାଦ୍ୟକୁ କରିଥାଏ ଅଧିକ ସ୍ଵାଦିଷ୍ଟ

ଆଜିକାଲି ମସଲା ବାଟିବା ପାଇଁ ଇଲେକ୍ଟ୍ରୋନିକ ଯନ୍ତ୍ରପାତି ବ୍ୟବହାର ହେଉଛି। ଅଧିକ ଉତ୍ତାପ ଯୋଗୁଁ ଏଥିରେ ଥିବା ମସଲାଗୁଡ଼ିକର ସ୍ୱାଦରେ ପରିବର୍ତ୍ତନ ଆସିଥାଏ। କିନ୍ତୁ ଶିଳପୁଆରେ ମସଲା ବାଟିଲେ ମସଲାଗୁଡ଼ିକର ଅସଲି ସ୍ଵାଦ ବଜାୟ ରହିଥାଏ। ଫଳରେ ଏଥିରେ ପ୍ରସ୍ତୁତ ଖାଦ୍ୟ ଅତ୍ୟନ୍ତ ସୁସ୍ୱାଦୁ ହୋଇଥାଏ ଏବଂ ଏହି ରୋଷେଇର ବାସ୍ନାରେ ଚାରିଆଡ଼ ମହକି ଉଠେ।

ଦୁର୍ବଳତାରୁ ମୁକ୍ତି ଦିଏ

ଆଗକାଳରେ ଲୋକମାନେ ଅଧିକ ନିରୋଗୀ ଥିଲେ। ଏହାର ମୁଖ୍ୟ କାରଣ ହେଉଛି ସେମାନଙ୍କ ଖାଦ୍ୟପେୟ। ପୂର୍ବରୁ ଖାଦ୍ୟରେ କୌଣସି କେମିକାଲ ଜିନିଷ ବ୍ୟବହାର ହେଉନଥିଲା। ପୂର୍ବରୁ ଖାଦ୍ୟ ପାଇଁ ପ୍ରସ୍ତୁତ ମସଲା ଶିଳପୁଆରେ ବଟା ଯାଉଥିଲା। ଶିଳପୁଆରେ ବଟା ମସଲା ସତେଜ ଥାଏ। ଏହାକୁ ସବୁଦିନ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳେ ଏବଂ ଦୁର୍ବଳ ଲାଗି ନଥାଏ।।

ଓଜନ ହ୍ରାସ ହୋଇଥାଏ

ସବୁଦିନ ଶିଳପୁଆରେ ବାଟିବା ଏକ ପ୍ରକାର ବ୍ୟାୟାମ ହୋଇଥାଏ। ଫଳରେ ଶରୀରରେ ଥିବା ଚର୍ବି ଧୀରେ ଧୀରେ ହ୍ରାସ କମିଥାଏ ।

ବିଜୁଳି ଖର୍ଚ୍ଚ ବଞ୍ଚିଥାଏ

ଖାଇବା ସ୍ଵାଦିଷ୍ଟ କରିବାଠାରୁ ଆରମ୍ଭ କରି ଶାରୀରିକ ବ୍ୟାୟାମ ପର୍ଯ୍ୟନ୍ତ ସବୁ ପ୍ରକାର ଲାଭଦାୟକ ହୋଇଥାଏ ଶିଳପୁଆର ବ୍ୟବହାର। ହେଲେ ଏହା ସହ ଵିଜୁଳି ଖର୍ଚ୍ଚ ମଧ୍ୟ ବଞ୍ଚାଇଥାଏ। ମସଲା କିମ୍ବା ଅନ୍ୟାନ୍ୟ ଦ୍ରବ୍ୟ ବଟାବଟି ପାଇଁ କୌଣସି ଇଲେକ୍ଟ୍ରୋନିକ ଯନ୍ତ୍ରପାତି ବ୍ୟବହାର କରିବା ପରିବର୍ତ୍ତେ ଶିଳପୁଆର ବ୍ୟବହାର କଲେ ବିଜୁଳି ବିଲକୁ ମଧ୍ୟ ନିୟନ୍ତ୍ରଣ କରିପାରିବେ।

Comment