ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ଲାଷ୍ଟିକ୍ ବୋତଲ ଦିଅନ୍ତୁ ଆଉ କ୍ଷୀର ପ୍ୟାକେଟ୍  ନିଅନ୍ତୁ। ଯେଉଁ ଲୋକ ଦଶଟି ପ୍ଲାଷ୍ଟିକ୍ ବୋତଲ ଆଣିବ ତାକୁ ଗୋଟିଏ ପ୍ୟାକେଟ୍ କ୍ଷୀର ମିଳିବ। ହରିୟାଣାର ପଞ୍ଚକୁଲା ନଗର ନିଗମ ପକ୍ଷରୁ ଏପରି ବ୍ୟବସ୍ଥା କରାଯାଇଛି।

ସହରରୁ ପ୍ଲାଷ୍ଟିକ ସାମଗ୍ରୀ କମ୍ କରିବା ସହ ସହରକୁ ଦେଶର ସ୍ୱଚ୍ଛ ସହର ଭାବେ ଗଢ଼ିତୋଳିବାକୁ ଏପରି ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହାଦ୍ୱାରା ସହରର ମାର୍କେଟ ଅଞ୍ଚଳରେ ପଡ଼ିରହୁଥିବା ପ୍ଲାଷ୍ଟିକ ସାମଗ୍ରୀକୁ ହଟାଯାଇପାରିବ। ଫଳରେ ସହର ସ୍ୱଚ୍ଛ ଓ ସୁନ୍ଦର ହୋଇ ରହିବ ବୋଲି ନଗର ନିଗମ ପ୍ରଶାସକ ରାଜେଶ ଜୋଗପାଲ ସୂଚନା ଦେଇଛନ୍ତି।ଏହି ବ୍ୟବସ୍ଥାରେ ଯେଉଁ ଲୋକମାନେ କ୍ଷୀର କାଉଣ୍ଟରରେ ୧୦ଟି ପ୍ଲାଷ୍ଟିକ ବୋତଲ ଆଣି ଦେବେ ସେମାନଙ୍କୁ ଅଧା ଲିଟର ପ୍ୟାକେଟ୍ କ୍ଷୀର ମିଳିପାରିବ। ସେହିପରି ୭ଟି ପ୍ଲାଷ୍ଟିକ ବୋତଲ ବା ୫୦୦ଗ୍ରାମ ପ୍ଲାଷ୍ଟିକ୍ ଦେଲେ ସେମାନଙ୍କୁ ଦୁଇ ଶହ ଗ୍ରାମ ଦହି ମିଳିପାରିବ ବୋଲି ପଞ୍ଚକୁଲା ନଗର ପ୍ରଶାସନ ପକ୍ଷରୁ କୁହାଯାଇଛି।

ଏହା ଫଳରେ ଅନେକ ଲୋକ ସହରରୁ ପ୍ଲାଷ୍ଟିକ ଆଣି କାଉଣ୍ଟରରେ ଦେବା ସହ କ୍ଷୀର ନେଉଥିବା ଦେଖାଯାଉଛି। ଫଳରେ ସହର ପ୍ଲାଷ୍ଟିକ ପରିମାଣ ହ୍ରାସ ଘଟିବା ସହ ସହର ଏକ ସ୍ୱଚ୍ଛ ସହରରେ ପରିଣତ ହୋଇପାରୁଛି।

Comment