ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣଙ୍କ ଫୋନ୍ ଚୋରି ହୋଇଯାଇଛି କି? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ, ଏଣିକି ଫୋନ୍ ଚୋରିହେଲେ ଏହାକୁ ଖୋଜିବାର ଦାୟିତ୍ୱ ନେବାକୁ ଯାଉଛନ୍ତି ସରକାର। ଏଥିପାଇଁ ଏକ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ ମଧ୍ୟ ନିର୍ମାଣ କରାଯାଇଛି। ଏହି ୱେବ୍ ପୋର୍ଟାଲ ସାହାଯ୍ୟରେ ସରକାର ଜନସାଧାରଣଙ୍କ ଚୋରି ହୋଇଯାଇଥିବା ଫୋନକୁ ଖୋଜିବେ।

ଏହି ୱେବ୍ ପୋର୍ଟାଲଟି ହେଉଛି www.ceir.gov.in। ବର୍ତ୍ତମାନ କେବଳ ଦିଲ୍ଲୀ–ଏନସିଆର୍ ଅଞ୍ଚଳରେ ଏହାକୁ ବ୍ୟବହାର କରାଯାଉଛି। ଖୁବଶୀଘ୍ର ଏହାକୁ ସାରା ଦେଶରେ ଲାଗୁ କରାଯିବାକୁ ଯାଉଛି ବୋଲି କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି।ଏହି ୱେବ୍ ପୋର୍ଟାଲ ସାହାଯ୍ୟରେ ଆପଣ ନିଜର ଫୋନ୍ ହଜିବା ନେଇ ଅଭିଯୋଗ କରିପାରିବେ। ଏହାପରେ ପୋଲିସ୍ ପକ୍ଷରୁ ଆପଣଙ୍କ ଫୋନରେ ନଜର ରଖାଯିବ। ଯେଉଁ ସମୟରେ କୌଣସି ଲୋକ ଏହି ଫୋନକୁ ବ୍ୟବହାର କରିବ ସାଙ୍ଗେ ସାଙ୍ଗେ ଏନେଇ ପୋଲିସକୁ ସୂଚନା ମିଳିଯିବ। ଏହାଦ୍ୱାରା ପୋଲିସ୍ ଆପଣଙ୍କ ଫୋନକୁ ଖୋଜି ପାଇବାକୁ ସକ୍ଷମ ହେବ। ଏହାସହ ଆପଣ ଏହି ୱେବ୍ ପୋର୍ଟାଲ ସାହାଯ୍ୟରେ ଆପଣଙ୍କ ହଜି ଯାଇଥିବା ଫୋନକୁ ଅକାମୀ ମଧ୍ୟ କରିପାରିବେ।

ଦିନକୁ ଦିନ ସହରମାନଙ୍କରେ ମୋବାଇଲ୍ ଫୋନର ଚୋରି ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ସରକାରଙ୍କ ତରଫରୁ ଏପରି ବ୍ୟବସ୍ଥା ଅଣାଯାଇଛି ବୋଲି କୁହାଯାଇଛି।

Comment