ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୮ ତାରିଖରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଏହି ଧର୍ମଘଟ କରାଯାଉଛି। ଗୁରୁବାର ଦିନ କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶ୍ରମିକ ସଂଗଠନ ନେତାମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରମିକମାନଙ୍କ କଲ୍ୟାଣ  ପାଇଁ ମୋଦୀ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲା। ତେବେ ଶ୍ରମିକ ସଂଗଠନ ପକ୍ଷରୁ ଏହାକୁ ଏକ ବିଫଳ ଆଲୋଚନା ବୋଲି କହିବା ସହିତ ଧର୍ମଘଟ ଡାକରାକୁ କାଏମ ରଖାଯାଇଛି ବୋଲି ଘୋଷଣା କରାଯାଇଛି।

ଏଆଇଟିୟୁସି, ହିନ୍ଦ ମଜଦୂର ସଭା, ସିଟୁ ଏହିଭଳି ୮ଟି ସଂଗଠନ ଏହି ଧର୍ମଘଟରେ ସାମିଲ ହେବେ। ବିଭିନ୍ନ ରାଜ୍ୟର ଚାଷୀ ମୂଲିଆ ସଂଗଠନ ମଧ୍ୟ ଏହି ଧର୍ମଘଟରେ ସାମିଲ ହେଉଥିବା ଜଣାପଡ଼ିଛି।

ଦେଶରେ ବଢୁଥିବା ବେରୋଜଗାରୀ, ସର୍ବନିମ୍ନ ଦରମା ଓ ସାମାଜିକ ସୁରକ୍ଷା ବ୍ୟତୀତ ପ୍ରସ୍ତାବିତ ଲେବର କୋଡ୍‌କୁ ଏହି ସଂଗଠନ ପକ୍ଷରୁ ବିରୋଧ କରାଯାଇଛି। ଗଣତାନ୍ତ୍ରିକ ଅଧିକାରକୁ ଛିନ୍ନ କରିବା ଓ ୨୦୧୫ ପରଠାରୁ ଭାରତୀୟ ଶ୍ରମିକ ସମ୍ମେଳନ ଡକାଯାଇନାହିଁ ବୋଲି ମଧ୍ୟ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି। କେନ୍ଦ୍ର ସରକାର ଶ୍ରମିକ ବିରୋଧୀ ନୀତି ପରିହାର ନକଲେ ଆନ୍ଦୋଳନକୁ ଆଗାମୀ ଦିନରେ ତୀବ୍ର କରାଯିବ ବୋଲି ଶ୍ରମିକ ସଂଗଠନମାନେ ଚେତାବନୀ ଦେଇଛନ୍ତି। ୮ ତାରିଖର ସାଧାରଣ ଧର୍ମଘଟ ବଡ଼ ଆକାରର ହେବ ବୋଲି ଅନୁମାନ କରାଯାଉଛି।

Comment