ଓଡ଼ିଶାଲାଇଭ୍ ବ୍ୟୁରୋ
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି ଗୃହ ମନ୍ତ୍ରାଳୟ। ଏଥିପାଇଁ ଗୃହ ମନ୍ତ୍ରାଳୟ ଏକ ସ୍ୱତନ୍ତ୍ର ଡେସ୍କର ଗଠନ କରିଛନ୍ତି। ଏହି ଡେସ୍କ ଏବେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ସମସ୍ତ ନିଷ୍ପତ୍ତି ଗ୍ରହଣ କରିବ।ଗୃହ ମନ୍ତ୍ରାଳୟର ଅତିରିକ୍ତ ସଚିବ ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ଏହି ସ୍ୱତନ୍ତ୍ର ଡେସ୍କର ଗଠନ କରାଯାଇଛି। ଏଣିକି ରାମ ମନ୍ଦିର ନିର୍ମାଣ ସମ୍ପର୍କିତ ସମସ୍ତ କାର୍ଯ୍ୟର ଦେଖାଶୁଣା ଏହି ଡେସ୍କ ହାତରେ ରହିବ। ଏଥିସହିତ ରାମ ମନ୍ଦିର ନିର୍ମାଣ ଉପରେ ସମସ୍ତ ରିପୋର୍ଟକୁ ମଧ୍ୟ ଏହି ଡେସ୍କ ଯାଞ୍ଚ କରିବ। ଗୃହ ମନ୍ତ୍ରାଳୟକୁ ରାମ ମନ୍ଦିର ନିର୍ମାଣ ପାଇଁ ଯେଉଁ ସବୁ ପ୍ରସ୍ତାବ ଆସିଛି ସେଥିପ୍ରତି ମଧ୍ୟ ଡେସ୍କ ଧ୍ୟାନ ଦେବ ବୋଲି କୁହାଯାଇଛି।
ଏଥିସହିତ ଅଯୋଧ୍ୟାରେ ସୁନ୍ନୀ ୱାକଫ୍ ବୋର୍ଡକୁ ମଧ୍ୟ ଜମି ଯୋଗାଇଦେବା ପକ୍ରିୟା ଉପରେ ମଧ୍ୟ ଏହି ଡେସ୍କ ନଜର ରଖିବ ବୋଲି ସୂଚନା ମିଳିଛି।ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ନେଇ ସୁପ୍ରିମକୋର୍ଟ ନିଜର ରାୟ ଶୁଣାଇସାରିଛନ୍ତି। ଏଥିପାଇଁ ଏକ ସ୍ୱତନ୍ତ୍ର ଟ୍ରଷ୍ଟର ଗଠନ କରିବା ପାଇଁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପର୍ଯ୍ୟନ୍ତ ଏହି ଟ୍ରଷ୍ଟର ଗଠନ କରାଯାଇନାହିଁ। ଫେବ୍ରୁଆରି ୯ ତାରିଖ ସୁଦ୍ଧା ଏହି ଟ୍ରଷ୍ଟର ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମକର ସଂକ୍ରାନ୍ତି ପରେ ପରେ ଏହି ଟ୍ରଷ୍ଟର ଗଠନ ହେବ ବୋଲି ସୂଚନା ମିଳିଛି।