ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ପାଣିପାଗ କେମିତି ରହିବ? ସେ ସମ୍ପର୍କରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।

  • ଶନିବାର ସକାଳ ସାଢ଼େ ୮ଟା ଯାଏଁ ଘଡ଼ଘଡ଼ି ସହ ବର୍ଷା
  • ରାଜ୍ୟର ବିଭିନ୍ନ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି
  • ଜାନୁଆରି ୬ ତାରିଖରୁ ଶୀତର ପ୍ରକୋପ ବଢ଼ିବ
  • ତାପମାତ୍ରାରେ ଚାରିରୁ ପାଞ୍ଚ ଡିଗ୍ରୀ ହ୍ରାସ ଘଟିବା ନେଇ ପୂର୍ବାନୁମାନ

“ଶନିବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ମାରିବା ସହ ଘଡ଼ଘଡ଼ି ଓ ବର୍ଷା ହେବ। ସେଥିପାଇଁ ଏହି ଜିଲ୍ଲାମାନଙ୍କରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ ଆଗକୁ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବା ସହ ତାପମାତ୍ରାରେ ଚାରିରୁ ପାଞ୍ଚ ଡିଗ୍ରୀ ହ୍ରାସ ଘଟିବ”,କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝିପିଝିପି ବର୍ଷା ହେବା ସହ ସୋନପୁର ଜିଲ୍ଲାରେ ସର୍ବାଧିକ ୩୧.୨ ମିଲିମିଟର ବର୍ଷା ହୋଇଛି । ଏଥିସହିତ ବଲାଙ୍ଗିରରେ ୨୮ ମିଲିମିଟର, ରାଇରଙ୍ଗପୁରରେ ୨୩ ମିଲିମିଟର, ହେମଗିରିରେ ୧୯.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ବୋଲି ସୂଚନା ଦିଆଯାଇଛି।ଶନିବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷାର ପୂର୍ବାନୁମାନ କରାଯାଇଛି। କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ୱର, କଟକ, ଢ଼େଙ୍କାନାଳ, ସୁନ୍ଦରଗଡ଼, ବୌଦ୍ଧ, ସୋନପୁର,ଖୋର୍ଦ୍ଧା, ନୂଆପଡ଼ା ଆଦି ଜିଲ୍ଲାମାନଙ୍କରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି।

ଅନ୍ୟପଟେ ଶୁକ୍ରବାର ବର୍ଷା ହେବା ପରେ ଶନିବାରଠାରୁ ରାଜ୍ୟରେ ବର୍ଷାର ପରିମାଣ କମ୍ ହୋଇଯିବ। କେବଳ ଦୁଇ କିମ୍ବା ତିନୋଟି ଜିଲ୍ଲାରେ ସ୍ୱଳ୍ପ ପରିମାଣର ଝିପିଝିପି ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।ଏଥିସହିତ ଆସନ୍ତା ଜାନୁଆରି ୬ ତାରିଖରୁ ରାଜ୍ୟରେ ଶୀତପ୍ରବାହ ବୃଦ୍ଧି ପାଇବ। ସେତେବେଳକୁ ରାଜ୍ୟର ତାପମାତ୍ରାରେ ଚାରିରୁ ପାଞ୍ଚ ଡିଗ୍ରୀ ହ୍ରାସ ଘଟିବା ସହ ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଦେଖାଯିବାର ମଧ୍ୟ ସମ୍ଭାବନ ରହିଛି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

Comment