ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମୟ ବଦଳି ଯାଇଛି। ଆଜି ଅନେକ ଘରେ ବୁଢ଼ା ବାପା, ମା’ ପାଲଟି ଯାଉଛନ୍ତି ଅଲୋଡ଼ା। ସେମାନଙ୍କ ସେବା ତ ଦୂରର କଥା ସେମାନଙ୍କୁ ଘରେ ଶାନ୍ତିରେ ରହିବାକୁ ଜାଗା ମିଳୁନାହିଁ। ଦେଖନ୍ତୁ, ନାଟକ ମାଧ୍ୟମରେ କିଭଳି ଏହି ସାମାଜିକ ସମସ୍ୟା ଜଳ ଜଳ ହୋଇ ଦିଶିଯାଉଛି।

ବୁଢ଼ା ବୟସରେ ବାପା, ମା’ ପୁଅଙ୍କ ପାଇଁ ବୋଝ ହୋଇଯାଉଛନ୍ତି। ନିଜ ମୁଣ୍ଡରୁ ଏହି ବୋଝକୁ କାଢ଼ିବା ପାଇଁ ପୁଅ ବାପା ମା’ଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଦେଉଛନ୍ତି। ଫଳରେ ପରିଣତ ବୟସରେ ପରିବାରଠୁ ଦୂରେଇ ଏକୁଟିଆ ବୃଦ୍ଧାଶ୍ରମରେ ଦିନ ବିତାଉଛନ୍ତି ଅନେକ ବାପା, ମା’। ଏଭଳି ଅନେକ ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି।

ସପ୍ତମ ରାଜ୍ୟ ଟେଲି ପୁରସ୍କାର ଉତ୍ସବରେ ଏହି ପ୍ରସଙ୍ଗରେ ଏକ ନାଟକ ପରିବେଷଣ ହୋଇଥିଲା। କେମିତି ଜଣେ ପୁଅ, ବୁଢ଼ା ବୟସରେ ବାପାଙ୍କୁ ଭୁଲେଇ ବାହାନା କରି ବୃଦ୍ଧାଶ୍ରମରେ ଛାଡ଼ିବାକୁ ଚାହୁଁଛି ତାହା ଏହି ନାଟକରେ ଦେଖାଯାଇଥିଲା। ପୁଅର ଏହି ଚାଲ୍‌କୁ ବାପା କେମିତି ଫେଲ୍‌ କରୁଛନ୍ତି ସେକଥା ମଧ୍ୟ ଏହି ନାଟକରେ ଦେଖିବାକୁ ମିଳିଥିଲା।

ପୁଅ ବାପାକୁ ବୃଦ୍ଧାଶ୍ରମରେ ଛାଡ଼ିବାକୁ ଚାହୁଁଥିଲା ବେଳେ ବାପା କିନ୍ତୁ ଘର ଛାଡ଼ି ବୃଦ୍ଧାଶ୍ରମ ଯିବାକୁ ଚାହୁଁନଥିଲେ। କାରଣ ସେ ଯଦି ବୃଦ୍ଧାଶ୍ରମ ଚାଲି ଯାଆନ୍ତି ତେବେ ତାଙ୍କ ପୁଅକୁ ଜେଲ ହୋଇଯିବ।

ଯେଉଁ ପୁଅମାନେ ଏଭଳି ଚିନ୍ତା କରୁଛନ୍ତି ସେମାନେ ସାବଧାନ ହୋଇଯାଆନ୍ତୁ। କାରଣ ଆଉ ପୁଅଙ୍କର ଏ ନୀତି ଚଳିବ ନାହିଁ। କାରଣ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ବାପା, ମା’ଙ୍କ ବିନା ଅନୁମତିରେ ତାଙ୍କୁ ଯଦି ବୁଦ୍ଧାଶ୍ରମରେ ଛଡ଼ାଯାଏ ତେବେ ପୁଅ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ହିଁ ଏହି ନାଟକରେ ଦେଖିବାକୁ ମିଳିଥିଲା।

ଯଦି ଆପଣ ବି ଏହି ନିୟମ ବିଷୟରେ ଜାଣି ନାହାନ୍ତି ତାହାଲେ ନିଶ୍ଚୟ ଏହି ଡ୍ରାମା ଦେଖନ୍ତୁ। ପରିଣତ ବୟସରେ ଘରେ ନିଜ ବାପା, ମା’ଙ୍କ ସମ୍ପୂର୍ଣ୍ଣ ଯତ୍ନ ନିଅନ୍ତୁ। ଲୋକଙ୍କୁ ସଚେତନ କରିବା ଏହି ନାଟକର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

Comment