ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ସଡ଼କ ଦୁର୍ଘଟଣା। ଜଳିଗଲା ଟୁରିଷ୍ଟ ବସ। ଫଳରେ ୪୫ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ୧୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଉତ୍ତରପ୍ରଦେଶରୁ ବିଶାଖାପାଟଣା ଅଭିମୁଖେ ଆସୁଥିବା ଶ୍ୟାମ କ୍ରିଷ୍ଟାନ ଟ୍ରାଭେଲର ଏକ ଘରୋଇ ବସ୍‌ ଶ୍ରୀକାକୁଲମ ଜିଲ୍ଲାର ପାଇଦିଭୀମାଭରମ ନିକଟ ନେଳିଭଡା ଛକ ନିକଟରେ ଅନ୍ୟ ଏକ ବସକୁ ଓଭରଟେକ କରିବା ବେଳେ ସାମ୍ନାରେ ଯାଉଥିବା ଏମୋନିଆ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ପରେ ଟୁରିଷ୍ଟ ବସରେ ନିଆଁ ଲାଗିଯାଇଥିଲା।

ଏଥିରେ ବସରେ ଯାତ୍ରା କରୁଥିବା ୪୫ ଜଣ ଯାତ୍ରୀ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ଜଣାପଡିଛି। ଏହି ଦୁର୍ଘଟଣାରେ ୧୨ ଜଣ ଟୁରିଷ୍ଟ ଯାତ୍ରୀ ଗୁରୁତର ଆହତ ହୋଇ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଦୁର୍ଘଟଣାର ଖବର ପାଇଁ ପୋଲିସ ଓ ଅଗ୍ନିଶମ ବିଭାଗର ୨ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ବସ୍‌ରେ ଟୁରିଷ୍ଟ ଯାତ୍ରୀଙ୍କ ରହିଥିବା ସମସ୍ତ ଜିନିଷପତ୍ର ଜଳିପୋଡ଼ି ନଷ୍ଟ ହୋଇଯାଇଛି।

Comment