ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଜାନୁଆରି ୨୨ରେ ମୋ ଝିଅର ଦୋଷୀମାନଙ୍କୁ ମିଳିବ ଶାସ୍ତି। ଦୀର୍ଘ ୭ ବର୍ଷ ପରେ ମୋ ଝିଅକୁ ନ୍ୟାୟ ମିଳିବ। ଆମ ଆଖିର ଲୁହ ଏବେ ଶୁଖିବ। ଦୋଷୀମାନେ ଫାଶୀ ପାଇଲା ପରେ ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ଵାସ ବଢ଼ିବ” କହିଛନ୍ତି ନିର୍ଭୟାଙ୍କ ମା’ ଆଶା ଦେବୀ।

ନିର୍ଭୟାଙ୍କୁ ନ୍ୟାୟ ଦେବା ପାଇଁ ୭ ବର୍ଷ ଧରି ଯେଉଁ ସଂଘର୍ଷ ଚାଲିଥିଲା,  କୋର୍ଟଙ୍କ ଏହି ରାୟ ପରେ ତାହା ଶେଷ ହୋଇଛି ବୋଲି କହିଛନ୍ତି ନିର୍ଭୟଙ୍କ ମା’।

ନିର୍ଭୟା କାଣ୍ଡରେ ସମସ୍ତ ଦୋଷୀଙ୍କୁ ଜାନୁଆରି ୨୨ ତାରିଖ ସକାଳ ୭ଟାରେ ଦିଆଯିବ ଫାଶୀ। ଏନେଇ ମଙ୍ଗଳବାର ଦିଲ୍ଲୀର ପଟିୟାଲା ହାଉସ୍‌ କୋର୍ଟ ଦୋଷୀଙ୍କ ବିରୋଧରେ ଡେଥ ଓ୍ଵାରେଣ୍ଟ ଜାରି କରିଛନ୍ତି। ଏହି ନିଷ୍ପତ୍ତି ପରେ ଖୁସିବ୍ୟକ୍ତ କରିଛନ୍ତି ନିର୍ଭୟାଙ୍କ ବାପା,ମା’।

ଏନେଇ ନିର୍ଭୟାଙ୍କ ବାପା ବଦ୍ରିନାଥ ସିଂ କହିଛନ୍ତି, “ମୁଁ କୋର୍ଟଙ୍କ ନିଷ୍ପତ୍ତିରେ ଖୁସି ଅଛି। ଜାନୁଆରି ୨୨ରେ ଫାଶୀ ଦିଆଯିବ। ୭ ବର୍ଷ ଆମେ ନ୍ୟାୟ ପାଇଁ ବହୁତ ସଂଘର୍ଷ କରିଛୁ। ସେବେଠାରୁ ଆମେ ଆମ ଝିଅ ଫଟୋରେ ଫୁଲମାଳ ଚଢ଼ାଇନୁ। ୨୨ ତାରିଖରେ ଦୋଷୀମାନେ ଫାଶି ପାଇଲା ପରେ ଆମ ଝିଅ ଫଟୋରେ ଫୁଲମାଳ ଦେବୁ।“

ଡିସେମ୍ବର ୧୮ ତାରିଖରେ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ନିର୍ଭୟା ଦୁଷ୍କର୍ମକାରୀଙ୍କ ଫାଶି ଦଣ୍ଡାଦେଶ ଉପରେ ଚୂଡ଼ାନ୍ତ ଶୁଣାଣି ହେବାର ଥିଲା। ହେଲେ କୋର୍ଟ ଦୋଷୀମାନଙ୍କୁ ଜାନୁଆରି ୭ ତାରିଖ ଯାଏଁ ମହଲତ ଦେଇଥିଲେ। ଆଉ ଥରେ ରାଜକ୍ଷମା ଆବେଦନ କରିବାକୁ କୋର୍ଟ ସେମାନଙ୍କୁ ସୁଯୋଗ ଦେଇଥିଲେ।

୨୦୧୨ ଡିସେମ୍ଵର ୧୬ ତାରିଖରେ ଘଟିଥିଲା ଏହି ଲୋମହର୍ଷଣକାରୀ ଗଣଦୁଷ୍କର୍ମ। ସେଦିନ ରାତିରେ ଫିଲ୍ମ ଦେଖି ଫେରିବା ପରେ ନିର୍ଭୟା ଓ ତାଙ୍କ ପୁରଷ ବନ୍ଧୁ ବସ୍‌ ଯୋଗେ ମୁନିରକାରୁ ଦ୍ୱାରକା ଅଭିମୁଖେ ଯାଉଥିଲେ। ବସ୍‌ରେ ନିର୍ଭୟାଙ୍କ ବ୍ୟତୀତ ତାଙ୍କ ବନ୍ଧୁ ଅନ୍ୟ ୬ ଜଣ ଲୋକ ଥିଲେ। ସେହି ୬ ଜଣ ନିର୍ଭୟାଙ୍କୁ ବସ୍‌ ଭିତରେ ଦୁଷ୍କର୍ମ କରିଥିଲେ। ତାଙ୍କ ବନ୍ଧୁ ବିରୋଧ କରିବା ଯୋଗୁଁ ତାଙ୍କୁ ମଧ୍ୟ ଖୁବ ମାରିଥିଲେ। ପରେ ଉଭୟଙ୍କୁ ରକ୍ତାକ୍ତ ଅବସ୍ଥାରେ ବସ୍‌ରୁ ଫିଙ୍ଗି ଦେଇଥିଲେ।

Comment