ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ତୀର୍ଥଯାତ୍ରୀ ବସ୍‌ ଓ ଏକ ସରକାରୀ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଚିତୁର ଜିଲ୍ଲା ଅନ୍ତର୍ଗତ କାସିପେଣ୍ଟାଲ ନିକଟରେ। ସମସ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବିଜୟୱାଡାରୁ କୂପମ ଯାଉଥିବା ଗୋଟିଏ ଆନ୍ଧ୍ରପ୍ରଦେଶ ସଡ଼କ ପରିବହନ ନିଗମର ଭୋଲଭୋ ବସ୍‌ଟି ଆଜି ସକାଳ ୪ଟା ସମୟରେ ସାବରିମାଳା ଦର୍ଶନ ସାରି ଫେରୁଥିବା ଏକ ତୀର୍ଥଯାତ୍ରୀକୁ ସାମ୍ନାରୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଭୋଲଭୋ ବସ୍‌ ଚାଳକଙ୍କ ସହ ଅନ୍ୟ ଜଣେ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫ ଜଣ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିବା ଜଣାପଡିଛି।

ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଘନ ଅନ୍ଧାର ଓ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି।

Comment