ଓଡ଼ିଶାଲାଇଭ୍ ବ୍ୟୁରୋ

ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଡକାଯାଇଥିବା ଭାରତ ବନ୍ଦ ରାଜଧାନୀ ଭୁବନେଶ୍ୱର ଉପରେ ଆଂଶିକ ପ୍ରଭାବ ପକେଇଛି।

  • ରାଜଧାନୀରେ ଭାରତ ବନ୍ଦର ଆଂଶିକ ପ୍ରଭାବ
  • ବନ୍ଦକୁ ସମର୍ଥନ କରୁଛି ଓଡ଼ିଶା ପ୍ରଦେଶ କଂଗ୍ରେସ
  • ରେଲୱେ ଷ୍ଟେସନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ
  • ରାଜରାସ୍ତାରେ ଅଟକି ରହିଲା ଯାନବାହନ
  • ଲୋକସେବା ଭବନକୁ ବାଇକରେ ଆସିଲେ କର୍ମଚାରୀ

ରାଜଧାନୀରେ ଅଖ ଚକ ବନ୍ଦ। ରେଲୱେ ଷ୍ଟେସନଠାରୁ ଆରମ୍ଭ କରି ବସଷ୍ଟାଣ୍ଟ ପର୍ଯ୍ୟନ୍ତ ସବୁଠି ଅଟକି ରହିଛି ଯାନବାହନ। ବିଭିନ୍ନ ଟ୍ରେଡ୍ ୟୁନିୟନ ପକ୍ଷରୁ ୧୨ ଦଫା ଦାବି ନେଇ ଡକାଯାଇଥିବା ଭାରତ ବନ୍ଦର ପ୍ରଭାବ ରାଜଧାନୀ ଭୁବନେଶ୍ୱରରେ ଉପରେ ପଡ଼ିଛି।ଦେଶରେ ବେକାରୀ ସମସ୍ୟା, ଦରଦାମ ବୃଦ୍ଧି ଓ ନାଗରିକତା ଆଇନକୁ ବିରୋଧ କରି ବିଭିନ୍ନ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଭାରତ ବନ୍ଦର ଡାକରା ଦିଆଯାଇଥିଲା। ଫଳରେ ବୁଧବାର ରାଜ୍ୟରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ରାଜ୍ୟରେ ଏହାକୁ କଂଗ୍ରେସ ଦଳ ସମର୍ଥନ ଜଣାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବନ୍ଦକୁ ନେଇ କହିଛନ୍ତି ଯେ, ବିଜେପି ଶାସନରେ ଦେଶରେ ବେକାରୀ ସମସ୍ୟା ବୃଦ୍ଧି ପାଇବା ସହ ଦରଦାମ ବ୍ୟାପକ ଭାବରେ ବଦ୍ଧି ପାଇଛି। ତେଣୁ ଟ୍ରେଡ୍ ୟୁନିୟନର ଏହି ବନ୍ଦକୁ କଂଗ୍ରେସ ସମର୍ଥନ ଜଣାଉଛି।

ସକାଳୁ ସକାଳୁ ଭୁବନେଶ୍ୱର ରେଳ ଷ୍ଟେସନରେ ଟ୍ରେନ୍ ଗୁଡ଼ିକ ଧାରଣା ଉପରେ ଅଟକି ରହିଥିଲା। ଏଆଇଏସ୍ଏଫର କର୍ମୀମାନେ ଲାଲ୍ ପତାକା ଧରି ରେଳଧାରଣା ଉପରେ ବସି ଆନ୍ଦୋଳନ କରିଥିଲେ। ଫଳରେ ଟ୍ରେନ ଚଳାଚଳ ବ୍ୟାପକ ଭାବେ ବାଧାପ୍ରାପ୍ତ ହୋଇଥିଲା। ତେବେ କିଛି ସମୟ ପରେ ଏହି ଆନ୍ଦୋଳନ ଥମିବା ସହ ଟ୍ରେନ୍ ଚଳାଚଳ  ସ୍ୱାଭାବିକ ହୋଇଛି।ଅନ୍ୟପଟେ ସଡ଼କ ପଥ କଥା ଦେଖିବାକୁ ଗଲେ ମାଷ୍ଟର କ୍ୟାଣ୍ଟିନ ଛକରୁ ବିଧାନସଭା, ରାଜମହଲ, ବାଣୀବିହାର ରାସ୍ତା ବନ୍ଦ ଯୋଗୁଁ ପୂରାପୂରି ଖାଲି ରହିଥିଲା। ରାସ୍ତାରେ ଶ୍ରମିକ ସଙ୍ଗଠନର କର୍ମକର୍ତ୍ତାଙ୍କ ସହ କଂଗ୍ରେସ କର୍ମୀମାନେ ଗାଡ଼ି ଚାଳକମାନଙ୍କୁ ରୋକିବା ସହ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଥିଲା। ଫଳରେ ରାସ୍ତା ଉପରେ ଅନେକ ଯାନବାହନ ଅଟକି ରହିଥିଲା।ରାଜ୍ୟ ସଚିବାଳୟରେ ମଧ୍ୟ ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି। ଲୋକସେବା ଭବନର ଅଧିକାଂଶ କର୍ମଚାରୀ ବନ୍ଦ ହେତୁ ବାଇକରେ ଅଫିସକୁ ଆସିଥିବା ଦେଖିବାକୁ ମିଳିଥିଲା। କିଛି ଅଧିକାରୀ ସାଇକେଲ୍ ଚଳାଇ ମଧ୍ୟ ଲୋକସେବା ଭବନକୁ ଆସିଥିବା ଦେଖିବାକୁ ମିଳିଛି।

Comment