ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୮ ମସିହାରେ ଓଡ଼ିଶାରେ ଚାଷୀ କିମ୍ବା ଚାଷ ସହ ଜଡ଼ିତ କୌଣସି ଶ୍ରମିକ ଆତ୍ମହତ୍ୟା କରିନାହାନ୍ତି। ୨୦୧୮ ମସିହାରେ ରାଜ୍ୟରେ କୃଷକ ଆତ୍ମହତ୍ୟା ସଂଖ୍ୟା ଶୂନ ରହିଛି। ଏଭଳି ଏକ ରିପୋର୍ଟ ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନ୍ଆରସିବି) ତରଫରୁ ଘୋଷଣା କରାଯାଇଛି।

ଦେଶରେ କୃଷି ସହିତ ଜଡ଼ିତ କୃଷକ ଓ ଶ୍ରମିକ ଆତ୍ମହତ୍ୟା ରିପୋର୍ଟକୁ ନେଇ ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ ‘କ୍ରାଇମ୍ ଇନ୍ ଇଣ୍ଡିଆ -୨୦୧୮’ ନାମରେ ଏକ ରିପୋର୍ଟ ପ୍ରକାଶ କରିଛି। ଏଥିରେ ଦର୍ଶାଯାଇଛି ଯେ ୨୦୧୮ ମସିହାରେ ଦେଶରେ କୃଷି ସହିତ ଜଡ଼ିତ ଥିବା ମୋଟ ୧୦ ହଜାର ୩୪୯ ଲୋକ ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ଭିତରୁ ୫ ହଜାର ୭୬୩ ଜଣ କେବଳ ଚାଷୀ ହୋଇଥିବାବେଳେ ଅନ୍ୟମାନେ କୃଷି କ୍ଷେତ୍ରରେ କାମ କରୁଥିବା ଶ୍ରମିକ।

ଏହି ରିପୋର୍ଟ ଅନୁସାରେ କିନ୍ତୁ ଓଡ଼ିଶାରେ ୨୦୧୮ରେ କୌଣସି କୃଷକ କିମ୍ବା କୃଷି ଶ୍ରମିକ ଆତ୍ମହତ୍ୟା କରିନାହାନ୍ତି। କେବଳ ଓଡ଼ିଶା ନୁହେଁ ପଶ୍ଚିମବଙ୍ଗ, ବିହାର, ଓଡ଼ିଶା, ଉତ୍ତରାଖଣ୍ଡ, ମେଘାଳୟ, ଗୋଆ, ଚଣ୍ଡୀଗଡ଼, ଦିଲ୍ଲୀ ଓ ପୁଡୁଚେରୀରେ ମଧ୍ୟ କୌଣସି କୃଷକ ଆତ୍ମହତ୍ୟା କରିନାହାନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି।
ଅନ୍ୟପଟେ ରିପୋର୍ଟ ଅନୁସାରେ କିନ୍ତୁ ସର୍ବଭାରତୀୟ ସ୍ତରରେ କୃଷକ ଆତ୍ମହତ୍ୟାର ପରିମାଣ ୧୦ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୭ରେ ସାରା ଦେଶରେ ମୋଟ ୧ ଲକ୍ଷ ୨୯ ହଜାର ୮୮୭ ଜଣ ଚାଷୀ ଓ ଚାଷ ସହ ସମ୍ପୃକ୍ତ ଲୋକ ଆତ୍ମହତ୍ୟା କରିଥିଲାବେଳେ ୨୦୧୮ରେ ଏହା ବୃଦ୍ଧି ପାଇ ୧ ଲକ୍ଷ ୩୪ ହଜାର ୫୧୬ରେ ପହଞ୍ଚିଛି।

Comment