ଓଡ଼ିଶାଲାଇଭ୍ ବ୍ୟୁରୋ

ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଗତ ରବିବାର ଦିନ ଯେଉଁ କାଣ୍ଡ କାରଖାନା ହେଲା ତାକୁ ନେଇ ଦେଶ ଉଠୁଥିବା ପଡ଼ୁଥିବା ବେଳେ ଇତି ମଧ୍ୟରେ ସେ ଦିନର ମୁଖାପିନ୍ଧା ଦୁର୍ବୃତ୍ତମାନଙ୍କୁ ଦିଲ୍ଲୀ ପୋଲିସ ପକ୍ଷରୁ ଚିହ୍ନଟ କରାଯାଇଛି। ତେବେ ଗଣ୍ଡଗୋଳରେ ସବୁଠାରୁ ଚର୍ଚ୍ଚାରେ ଥିବା ଆଇଶି ଘୋଷ କିଏ ତାହା ଆସନ୍ତୁ ଜାଣିବା।
ଆଇଶି ପଶ୍ଚିମବଙ୍ଗ ଦୁର୍ଗାପୁରର ଝିଅ। ଗତ ସେପ୍ଟେମ୍ବର ମାସରେ ହୋଇଥିବା ଜେଏନ୍ୟୁ ଛାତ୍ର ସଂସଦ ନିର୍ବାଚନରେ ସେ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଦିଲ୍ଲୀ ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ଦଉଲତ ରାମ କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ବେଳେ ଏବେ ଜେଏନୟୁରେ ଇଣ୍ଟରନ୍ୟାସନଲ ଷ୍ଟଡିଜ୍ରେ ଏମ୍ ଫିଲ କରୁଛନ୍ତି। ଛାତ୍ରଛାତ୍ରୀମାନଙ୍କ ପାଇଁ ସବୁ କିଛି କରିବେ ବୋଲି ସେ ସଭାପତି ହେବା ପରେ ଘୋଷଣା କରିଥିଲେ।
ଷ୍ଟୁଡେଣ୍ଟ ଫେଡରେସନ ଅଫ ଇଣ୍ଡିଆ ବା ଏସଏଫ ଆଇ ସହିତ ଜଡ଼ିତ ଆଇଶି ଘୋଷଙ୍କ ଜିତିବା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ବୋଲି ବିବେଚନା କରାଯାଏ କାରଣ ଏସଏଫ ଆଇରୁ କେହି ଗତ ୧୩ ବର୍ଷ ମଧ୍ୟରେ ସଭାପତି ଭାବେ ନିର୍ବାଚିତ ହୋଇନଥିଲେ। ସଭାପତି ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ଯେତେବେଳେ ପଚରାଗଲା ତାଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା କ’ଣ ସେ କହିଥିଲେ ରାଜନୀତିରେ ଯୋଗ ଦେବେ।
ଉଲ୍ଲେଖଯୋଗ୍ୟ ଯେ, ଆଇଶିଙ୍କ ସହ ସତୀଶ ଯାଦବ ଓ ସାକେତ ମୁନ୍ ଯଥାକ୍ରମେ ସମ୍ପାଦକ ଓ ଉପସଭାପତି ନିର୍ବାଚିତ ହୋଇଥିଲେ।


















