ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁରତରୁ ଆସିଲା ଚାଞ୍ଚଲ୍ୟକର ଖବର। ନିଜ ନାବାଳିକା ଝିଅକୁ ଦୁଷ୍କର୍ମ ଓ ହତ୍ୟା କରିବା ଅଭିଯୋଗରେ ବାପାଙ୍କୁ ମିଳିଛି ଫାଶୀ ଦଣ୍ଡ। ଏହି ଦଣ୍ଡାଦେଶ ଶୁଣାଇଛନ୍ତି ସୁରତର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ। ଦୋଷୀ ବାପାଙ୍କର ନାଁ ହେଉଛି ଟୁକୁନା ଦାସ। ତାଙ୍କ ଘର ଓଡ଼ିଶାରେ।

ଟୁକୁନା ସୁରତରେ ତାଙ୍କ ପରିବାର ସହ ରହୁଥିଲେ। ଏକ କମ୍ପାନିରେ ସେ ଶ୍ରମିକ ଭାବେ କାମ କରୁଥିଲେ। ହେଲେ ୨୦୧୭ ଜୁନ୍‌ ୨୯ରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଟୁକୁନା ନିଜ ୧୪ ବର୍ଷର ଝିଅକୁ ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଥିଲା।

ପୋଲିସ ଏହି ଘଟଣାରେ ତଦନ୍ତ କରିଥିଲା। ଖୋଳତାଡ ଭିତରେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଥିଲା। ମୃତ ଝିଅର ପୋଷ୍ଟମର୍ଟମ କରାଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟରୁ ନାଳିକା ଗର୍ଭବତୀ ଥିବା ଜଣାପଡ଼ିଥିଲା। ପରେ ଟୁକୁନାର ଡିଏନଏ ପରୀକ୍ଷା କରାଯାଇଥିଲା।

ଝିଅର ଭ୍ରୁଣ ସହ ଟୁକୁନାର ଡିଏନ୍‌ଏ ମେଳ ଖାଇବାରୁ ପୋଲିସର ସନ୍ଦେହ ବଢ଼ିଥିଲା। ପୋଲିସ ଟୁକୁନାକୁ ଅଟକ ରଖି ପଚରା ଉଚରା କରିଥିଲା। ଶେଷରେ ଟୁକୁନା ନିଜ ଦୋଷ ସ୍ୱୀକାର କରିଥିଲା। ନିଜ ଝିଅ ସହ ସେ ପାପ ସମ୍ପର୍କ ରଖିଥିଲା। ଝିଅ ଗର୍ଭବତୀ ହେବା ଖବର ଜଣାପଡ଼ିବା ପରେ ପାପ ଲୁଚାଇବା ପାଇଁ ନିଜ ଝିଅକୁ ତଣ୍ଟି ଚିପି ହତ୍ୟା କରିଥିଲା।

ଏନେଇ ମାମଲା ରୁଜୁ ହୋଇଥିଲା। ପୀଡ଼ିତା ନାବାଳିକା ଥିବାରୁ ସ୍ୱତନ୍ତ୍ର ପୋକ୍ସେ କୋର୍ଟରେ ମାମଲାର ବିଚାର ହୋଇଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟ ଟୁକୁନାକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି।

Comment