ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଦେଶର ପ୍ରାୟ ୨୦୦ ଶିକ୍ଷାବିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖି କହିଛନ୍ତି ଯେ, ବାମ ଦଳମାନେ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ପରିବେଶକୁ ନଷ୍ଟ କରୁଛନ୍ତି। ଏହି ଅଭିଯୋକାରୀଙ୍କ ମଧ୍ୟରେ ଅଛନ୍ତି କିଛି ପ୍ରତିଷ୍ଠିତ ବିଶ୍ଵବିଦ୍ୟାଳୟର କୁଳପତି। ପତ୍ରରେ ଲେଖାଯାଇଛି ଯେ ଲେଫ୍ଟ ଉଇଙ୍ଗ ବା ବାମପନ୍ଥୀ ସମର୍ଥିତ ଛାତ୍ର ଓ କର୍ମୀମାନେ ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଶାନ୍ତି ସୃଷ୍ଟି କରିବା ବ୍ୟତୀତ ପାଠପଢ଼ାର ମାହୋଲକୁ ବିଗାଡୁଛନ୍ତି।

ଚିଠିରେ ଲେଖା ଯାଇଛି, ‘ଆମର ହୃଦବୋଧ ହୋଇଛି ଯେ ଛାତ୍ର ରାଜନୀତିର ନାଁରେ ଅତିବାଦୀ ବାମପନ୍ଥୀ ଅଜେଣ୍ଡାକୁ ଆଗେଇ ନେବା ପାଇଁ ଉଦ୍ୟମ ଚାଲୁଛି। ଜେଏନ୍‌ୟୁରୁ ଜାମିଆ ଓ ଯାଦବପୁର ପର୍ଯ୍ୟନ୍ତ ଅନେକ ବିଶ୍ୱବିଦ୍ୟାଳୟରେ ଯେଉଁ ସବୁ ଘଟଣା ଘଟିଚାଲିଛି ସେଥିରୁ ଏହା ସ୍ପଷ୍ଟ। ‘ଏହା ପଛରେ ବାମପନ୍ଥୀ ଆକ୍ଟିଭିଷ୍ଟମାନଙ୍କ ବଦମାସି କାମ କରୁଛି ବୋଲି ସେମାନେ କହିଛନ୍ତି।

ଏହି ପତ୍ରରେ ସ୍ଵାକ୍ଷର କରିଥିବା ଶିକ୍ଷାବିତ୍‌ମାନଙ୍କ ମଧ୍ୟରେ ଅଛନ୍ତି ହରି ସିଂହ ଗୌର ବିଶ୍ୱବିଦ୍ୟାଳୟର କୁଳପତି ଆର ପି ତିବାରୀ, ସାଉଥ ବିହାର ସେଣ୍ଟ୍ରାଲ ୟୁନିଭରସିଟିର କୁଳପତି ଏଚସିଏସ ଠାକୁର ଓ ସର୍ଦାର ପଟେଲ ବିଶ୍ଵବିଦ୍ୟାଳୟର ଭିସି ଶିରିଶ କୁଳକର୍ଣ୍ଣି। ଏହି ଚିଠିରେ ମୋଟ୍‌ ୨୦୮ ଜଣଙ୍କ ସ୍ୱାକ୍ଷର ରହିଛି।

ନାଗରିକତା ଆଇନ ସଂଶୋଧନ ବିରୋଧରେ ବିକ୍ଷୋଭ ଓ ଜେଏନ୍‌ୟୁରେ ଚାଲିଥିବା ଗଣ୍ଡଗୋଳ ପରିପ୍ରେକ୍ଷୀରେ ଏହି ଚିଠି ଲେଖିଛନ୍ତି ଉପରୋକ୍ତ ଶିକ୍ଷାବିତଗଣ। ନାଗରିକତା ଆଇନ ସପକ୍ଷରେ ଶିକ୍ଷା ଜଗତରେ ସମର୍ଥନ ଯୋଗାଡ଼ କରିବା ପାଇଁ ଏହା ଏକ ଉଦ୍ୟମ ବୋଲି ଆଲୋଚନା ହେଉଛି। ବାମପନ୍ଥୀ ସମର୍ଥକଙ୍କୁ ଟାର୍ଗେଟ କରି ଲେଖାଯାଇଥିବା ଏହି ପତ୍ରରେ କୁହାଯାଇଛି ଯେ କ୍ୟାମ୍ପସଗୁଡ଼ିକରେ ବାମପନ୍ଥୀ ରାଜନୀତିର ପ୍ରାଦୁର୍ଭାବ ଯୋଗୁଁ  କିଛି କହିବା, ମତ ଦେବା  ଓ ସାଧାରଣ ଭାବେ କିଛି କାର୍ଯ୍ୟକ୍ରମ  କରିବା କଷ୍ଟକର ହୋଇପଡ଼ିଛି।

Comment