ଓଡ଼ିଶାଲାଇଭ୍‌ ବ୍ୟୁରୋ

୬୯ ବର୍ଷ ବୟସରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ବିୟୋଗ ଓଡ଼ିଶା ଏବଂ ଓଡ଼ିଆ ସିନେମା ପାଇଁ ଏକ ଅପୁରଣୀୟ କ୍ଷତି କହିଲେ ଅତ୍ୟୁକ୍ତି ହେବନାହିଁ। ଶ୍ରୀ ମହାପାତ୍ର ୧୯୫୧ ମସିହାରେ ଖୋର୍ଦ୍ଧାରେ ଜନ୍ମ ଗ୍ରହଣ କରିଥିଲେ।

ବିଜେବି କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ପୁନା ଟେଲିଭିଜନ ଓ ଫିଲ୍ମ ଇନଷ୍ଟିଚ୍ୟୁଟରେ ଫିଲ୍ମ ନିର୍ମାଣ ଉପରେ ଉଚ୍ଚ ଶିକ୍ଷା  ହାସଲ କରିଥିଲେ। ଏହି ଅନୁଷ୍ଠାନରେ ପଢ଼ିବା ପାଇଁ ନିରଦ ମହାପାତ୍ର ତାଙ୍କୁ  ଉତ୍ସାହିତ କରିଥିଲେ। ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟରୁ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମହାପାତ୍ରଙ୍କ ପ୍ରଥମ କ୍ଷୁଦ୍ର ଚଳଚିତ୍ର ଥିଲା ‘ଆଣ୍ଟି-ମେମୋଇର୍ସ’।

ମନମୋହନ ମହାପାତ୍ରଙ୍କ ପ୍ରଥମ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ଥିଲା ଶୀତ ରାତି(୧୯୭୬)। ଏହା ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଣିଦେଇଥିଲା। ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିବା ଏହି  ଚିତ୍ରଟି ୧୯୮୨ ମସିହାରେ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ  ପ୍ରଦର୍ଶିତ ହୋଇଥିଲା। ସେ ନିଜେ ଅଧିକାଂଶ ଚିତ୍ରର କାହାଣୀ, ସଂଳାପ ଓ ଚିତ୍ରନାଟ୍ୟ ଲେଖିଛନ୍ତି।

ତା’ ପରେ ସେ ଲଗାତର ନଅ ଥର ଜାତୀୟ ଫିଲ୍ମ ପୁରସ୍କାର ପାଇଥିଲେ। ‘ନିଶିଥ ସ୍ୱପ୍ନ, ମଝି ପାହାଚ, କ୍ଲାନ୍ତ ଅପରାହ୍‌ଣ, ନୀରବ ଝଡ଼, ଅଗ୍ନି ବୀଣା, ଅନ୍ଧ ଦିଗନ୍ତ,  କୁହୁଡି,  ତ୍ରିସନ୍ଧ୍ୟା, ତଥାପି, କିଛି ସ୍ମୃତି କିଛି ଅନୁଭୂତି ଭିନ୍ନ ସମୟ’ ଆଦି ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର।

ନିକଟରେ ‘ଭିଜା ମାଟିର ସ୍ୱର୍ଗ’ ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମିଳିଥିଲା। ଚଳଚ୍ଚିତ୍ର ବ୍ୟତୀତ ସେ ଅନେକ ପ୍ରାମାଣିକ ଚିତ୍ର ନିର୍ମାଣ କରିଛନ୍ତି। ଏଥିମଧ୍ୟରୁ କୋଣାର୍କ ପ୍ରାମାଣିକ ଚିତ୍ର ଅନ୍ୟତମ। ମନମୋହନ ମହାପାତ୍ର ବେଶ୍ କିଛି ଚିତ୍ର ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବି ଲାଭ କରିଛନ୍ତି।

ଓଡ଼ିଶାର ମାଟି ପାଣି ପବନକୁ ନେଇ ସେ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଓଡ଼ିଆ ଜୀବନ ଓ ସମାଜ ପ୍ରତି ତାଙ୍କର ଥିବା ଅଙ୍ଗୀକାରବଦ୍ଧତା ବିଭିନ୍ନ ଚଳଚ୍ଚିତ୍ରରେ ସୁନ୍ଦର ଭାବରେ ଫୁଟି ଉଠିଥିଲା। ଆତ୍ମ ପ୍ରଚାରରେ ବିଶ୍ୱାସ କରୁନଥିବା ସ୍ୱର୍ଗତ ମହାପାତ୍ର ଓଡ଼ିଶାରେ ହିଁ ନିଜ କର୍ମକ୍ଷେତ୍ରକୁ ସୀମିତ ରଖିଥିଲେ। ଅଧିକନ୍ତୁ ପରୀକ୍ଷାମୂଳକ ଚିତ୍ର ନିର୍ମାଣରେ ସେ ଥିଲେ ସିଦ୍ଧହସ୍ତ।

ଜଣେ ଚଳଚ୍ଚିତ୍ର ତତ୍ତ୍ୱବିତ ଭାବେ ପରିଚିତ ମନମୋହନ ମହାପାତ୍ର କିଛି ହିନ୍ଦୀ ଚିତ୍ରର ନିର୍ଦ୍ଦେଶନା ବି ଦେଇଛନ୍ତି। ଏଗୁଡ଼ିକ ହେଲା ‘ଫୋରବିଡ଼ ନ୍ ଲଭ ଓ ବିଟସ୍ ଆଣ୍ଡ ପିସେସ। ‘ନନ୍ଦିତା ଦାସ, ରାହୁଲ ବୋଷ ଓ ଦିଆ ମିର୍ଜା ପ୍ରମୁଖ ଜାତୀୟ ସ୍ତରର କଳାକାର ଏହି ଚିତ୍ରରେ ଅଭିନୟ କରିଛନ୍ତି।

ମନମୋହନ ମହାପାତ୍ରଙ୍କୁ ଓଡ଼ିଆ ସମାନ୍ତରାଳ ଚିତ୍ରର ଜନକ ବୋଲି କୁହାଯାଏ। ସେ ଓ ତାଙ୍କ ଅଗ୍ରଜ ନିରଦ ମହାପାତ୍ର  ଓଡ଼ିଶାରେ ନ୍ୟୁୱେଭ ସିନେମାର ମୂଳଦୁଆ ପକାଇଥିଲେ।

Comment