କପିଳାସ ଭୂୟାଁ

ମନମୋହନ ମହାପାତ୍ର, ଯାହାଙ୍କୁ ଆମେ ଶ୍ରଦ୍ଧାରେ ମୁନା ଭାଇ ବୋଲି ସମ୍ବୋଧନ କରୁଥିଲୁ ସୋମବାର ସନ୍ଧ୍ୟାରେ ତାଙ୍କ ଘରେ ପହଞ୍ଚିଲା ବେଳକୁ ସେ ଶୋଇଥିଲେ ପରମ ଶାନ୍ତିରେ। ସେ ଦିଶୁଥିଲେ ତାଙ୍କର କୌଣସି ଚଳଚ୍ଚିତ୍ରର ଦୃଶ୍ୟରେ ଥିବା ଘରର ମୁରବିଙ୍କ ଦେହାନ୍ତ ପରେ ଶବାଧାରରେ ଉପବିଷ୍ଟ ଥିବା ଚରିତ୍ର ପରି।

ପୂର୍ବରୁ ଯେବେ ତାଙ୍କ ଘରେ ପହଞ୍ଚୁଥିଲୁ ଏକ ଉଚ୍ଛଳ ଭାବୋତ୍ସାହ ସହ ସହାସ୍ୟ ମୁହଁରେ ସେ ବାହାରି ଆସୁଥିଲେ। ଅତି ସ୍ନେହରେ ଡାକି ନେଉଥିଲେ ତାଙ୍କ ଡ୍ରଇଂ ରୁମକୁ। ସେମିତି ହସହସ ମୁହଁରେ ଭଲମନ୍ଦ ପଚାରୁଥିଲେ। ରୁମ ଭିତରେ ଥିବା ଆଲମାରି ସବୁ ଚଳଚ୍ଚିତ୍ର ସମ୍ପର୍କିତ ବହିରେ ଭରପୁର ହୋଇ ରହିଥିଲା। ଘର ଭିତରୁ ଚା’ ଆସୁଥିଲା। ଚା’ ପିଆ ସହିତ ଆରମ୍ଭ ହେଉଥିଲା ଏମିତି ଅସରନ୍ତି ଆଲୋଚନା ଯେ ସମୟ କେମିତି ଗଡି ଯାଉଥିଲା ଆଦୌ ଜଣା ପଡୁ ନଥିଲା। ସେହି ରୁମଟିକୁ ଏବେ ବୋଧେ ବଦଳେଇ ଦିଆ ଯାଇଛି। ସେଠାରେ ଆଉ ସେହି ବହି ଭର୍ତ୍ତି ଆଲମାରିଗୁଡିକ ନଥିଲା। ସୋଫା ବି ନଥିଲା। ମୁନା ଭାଇ ବି ବସି ନଥିଲେ, ଶୋଇଥିଲେ ପରମ ଶାନ୍ତିରେ। ପରିବେଶରେ ଛାଇ ହୋଇ ରହିଥିଲା ଅସହନୀୟ ନୀରବତା।

ଓଡିଆ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ମୁନା ଭାଇ ବା ମନମୋହନ ମହାପାତ୍ର (୧୦ ନଭେମ୍ବର, ୧୯୫୧ – ୧୩ ଜାନୁୟାରୀ, ୨୦୨୦) ନିଶ୍ଚିତରେ ଥିଲେ ଏକ ବଳିଷ୍ଠ ସ୍ଵର। ସେ ସ୍ଵରର ପରାକାଷ୍ଠା ଜାଣିବା ପାଇଁ ଆମକୁ ଫେରିବାକୁ ହେବ ପ୍ରାୟ ୪୫ ବର୍ଷ ପଛକୁ, ଯେଉଁ ସମୟ ଖଣ୍ଡରେ ଭଲ ଓଡିଆ ଚଳଚିତ୍ର ନିର୍ମାଣ ଥିଲା ଅତି ନିଶ୍ଚଳ ଅବସ୍ଥାରେ।

ଗୋଟିଏ ପଟେ ଯେତେ ବେଳେ ଓଡିଆ ଚଳଚ୍ଚିତ୍ର ନିର୍ମାଣ ଧାରା ଅବକ୍ଷୟମୁଖୀ ହେବାର ସୂତ୍ରପାତ ହେଉଥିଲା, ଅନ୍ୟ ପଟେ ଠିକ ସେତିକି ବେଳେ ଧାରାରେ ଆଶାର ଆଲୋକ ପରି ଦୃଶ୍ୟପଟ୍ଟକୁ ଆସିଲେ ଆମ ସମୟର ଅନ୍ୟତମ ପ୍ରମୁଖ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ର। ପୁନାସ୍ଥିତ ଫିଲ୍ମ ଇନଷ୍ଟିଚ୍ୟୁଟରୁ ଚଳଚିତ୍ର ନିର୍ଦ୍ଦେଶନାରେ ଶିକ୍ଷା ସମାପ୍ତ କରି ଓଡିଶା ଫେରିବା ପରେ ସେ ନିର୍ମାଣ କଲେ ଓଡିଶାର ସର୍ବ ପ୍ରଥମ କଳାତ୍ମକ ଚଳଚିତ୍ର ‘ଶୀତରାତି‘। ଏହାକୁ ନିର୍ମାଣ କରିବାକୁ ପ୍ରାୟ ପାଞ୍ଚ ବର୍ଷ ସମୟ ଲାଗିଥିଲା। ୧୯୮୧ରେ ‘ଶୀତରାତି‘କୁ ଓଡିଆ ଭାଷାରେ ନିର୍ମିତ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ରୂପେ ରାଷ୍ଟ୍ରପତିଙ୍କ ଜାତୀୟ ଚଳଚିତ୍ର ପୁରସ୍କାର।

ଅବଶ୍ୟ ଏହା ପୂର୍ବରୁ ‘ମାଟିର ମଣିଷ’, ‘ମଲାଜହ୍ନ’ ଓ ‘ଅମଡାବାଟ’ ପରିବେଶ କିଛି ଜନପ୍ରିୟ ଉପନ୍ୟାସର କାହାଣୀକୁ ଆଧାର କରି କିଛି ହାତ ଗଣତି ଭଲ ଚଳଚିତ୍ର ନିର୍ମାଣ ହୋଇଥିଲା। ତେବେ ସତୁରୀ ଦଶକରେ ସର୍ବଭାରତୀୟ ସ୍ତରରେ ଆରମ୍ଭ ହୋଇଥିବା ସମାନ୍ତରାଳ ଚଳଚିତ୍ର ଆନ୍ଦୋଳନ ପୃଷ୍ଠଭୂମିରେ ‘ଶୀତରାତି ‘ ଥିଲା ଓଡିଶାର ଅନ୍ୟତମ ଅବଦାନ।

ବାସ୍ତବ ଦୃଷ୍ଟିରୁ ବିଚାର କଲେ ମୃଣାଳ ସେନଙ୍କ ନିର୍ଦ୍ଦେଶିତ ‘ମାଟିର ମଣିଷ’ ଚଳଚିତ୍ର ଦ୍ଵାରା ଓଡିଶାରେ କଳାତ୍ମକ ଚଳଚିତ୍ର ନିର୍ମାଣ ଧାରା ଆରମ୍ଭ ହୋଇ ସାରିଥିଲା। କିନ୍ତୁ ଏକ ବିଧିବଦ୍ଧ ଚିନ୍ତନ ପ୍ରକ୍ରିୟା ଅନୁଯାୟୀ ଓଡିଆ ଚଳଚ୍ଚିତ୍ର ନିର୍ମାଣଧାରାରେ ଏକ ଆନ୍ଦୋଳନାତ୍ମକ ଆଭିମୁଖ୍ୟ ରଖି ମନମୋହନ ମହାପାତ୍ର ‘ଶୀତରାତି ‘ ନିର୍ମାଣ ସହ ଆରମ୍ଭ କଲେ ତାଙ୍କ ଜୟଯାତ୍ରା।

ମାତ୍ର ୧୧ ବର୍ଷ ଭିତରେ ସମୁଦାୟ ୧୦ଟି ପୂର୍ଣ୍ଣାଙ୍ଗ କଳାତ୍ମକ ଚଳଚିତ୍ର ନିର୍ମାଣ, ଓ ସେଥିରୁ ପୁଣି ଆଠଟି ଚଳଚିତ୍ରକୁ ଶ୍ରେଷ୍ଠ ଆଞ୍ଚଳିକ ଚଳଚିତ୍ର ରୂପେ ଜାତୀୟ ପୁରସ୍କାର, ଓଡିଆ ଚଳଚିତ୍ର ପାଇଁ ଏହି ସୌଭାଗ୍ୟ ଥିଲା ଅଭୂତପୂର୍ବ! ପରବର୍ତ୍ତୀ ସମୟରେ ସେ ପୁଣି ନିର୍ମାଣ କଲେ ଆଉ ଦୁଇଟି ପୂର୍ଣ୍ଣାଙ୍ଗ କଳାତ୍ମକ ଓଡିଆ ଚଳଚିତ୍ର ‘ମୁହୂର୍ତ୍ତ’ (୨୦୦୨) ଓ ‘ଭିଜାମାଟିର ସ୍ଵର୍ଗ’ (୨୦୧୭) ଏବଂ ଗୋଟିଏ ହିନ୍ଦୀ ଚଳଚିତ୍ର ‘ବିଟ୍ସ ଏଣ୍ଡ ପିସେସ’ (୨୦୧୧)। ଶେଷ ଚଳଚିତ୍ର ‘ଭିଜାମାଟିର ସ୍ଵର୍ଗ’କୁ ଜାତୀୟ ପୁରସ୍କାର ମିଳି ପାରି ନଥିଲେ ମଧ୍ୟ ଗତ ବର୍ଷ ପାଇଁ ଛ’ ଛ’ଟି ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି।

ମନମୋହନ ମହାପାତ୍ର ବୁଝିଥିଲେ ଯେ ଓଡିଶାର ଆତ୍ମା ରହିଛି ଏହାର ଗ୍ରାମାଞ୍ଚଳରେ। କିନ୍ତୁ ସାମାଜିକ ବୈଷମ୍ୟ ଓ ଧନୀ ଗରିବ ଭେଦଭାବ ଭିତରେ ସାଧାରଣ ଜୀବନ ହନ୍ତସନ୍ତ। ଗୋଟିଏ ସମ୍ଭ୍ରାନ୍ତ ଶ୍ରେଣୀ ଶୋଷଣରେ ଲିପ୍ତ ରହିଥିଲା ବେଳେ ଅନ୍ୟ ଗୋଟିଏ ବିଶାଳ ବର୍ଗ ଅହରହ ଶୋଷିତ। ଏହି ସାମାଜିକ ସଂଘର୍ଷ ହିଁ ତାଙ୍କ ଚଳଚିତ୍ରଗୁଡିକର ବିଷୟବସ୍ତୁର ଭିତ୍ତି।

ତାଙ୍କର ଶ୍ରେଷ୍ଠ ଚଳଚ୍ଚିତ୍ର ବୋଲି ମନେ କରାଯାଉଥିବା ୧୯୮୪ରେ ନିର୍ମିତ୍ତ ‘ନୀରବ ଝଡ’ର ପୃଷ୍ଠଭୂମି ହେଉଛି ଓଡିଶାର ଗୋଟିଏ ଛୋଟିଆ ଗାଁ। ଜମିଦାର ଜନାର୍ଦ୍ଦନ ପାଖରୁ ଗାଁ ଲୋକେ ଅଭାବ ଅସୁବିଧାରେ ଜମି ବନ୍ଧକ ରଖି ଋଣ କରି ଟଙ୍କା ନିଅନ୍ତି। ଭ୍ରମର ହେଉଛି ଗାଁର ଗୋଟିଏ ଚାଷୀ। ଅଭାବ ଯୋଗୁଁ ସେ ବି ଜନାର୍ଦ୍ଦନଠାରୁ ଋଣ ନେଇଛି। ତା’ ଝିଅ ଫୁଲର ପ୍ରେମ ସମ୍ପର୍କ ପ୍ରଘଟ ହେଲା ପରେ ତାକୁ ଏକ ଘାରିକିଆ କରି ଦିଆ ଯାଇଛି। ଋଣ ଶୁଝି ନପାରିବାରୁ ଜନାର୍ଦ୍ଦନ ତା’ର ଜମିକୁ ଅକ୍ତିଆର କରି ନେଉଛି। ଏଭଳି ଶୋଷଣର ଶିକାର ହେଲା ପରେ ଭ୍ରମର ତା’ ଝିଅ ଫୁଲକୁ ନେଇ ଦାଦନ ଭାବେ କାମ କରି ଜୀବନ ବଞ୍ଚେଇବାକୁ ଗାଁ ଛାଡି ସହରକୁ ଯିବାକୁ ବାଧ୍ୟ ହୋଇଛି। ଝଡ ହେଲେ ଯେମିତି ଘରଦ୍ଵାର ନଷ୍ଟଭ୍ରଷ୍ଟ ହୁଏ ଓ ମଣିଷ ନିରାଶ୍ରୟ ହୋଇଯାଏ, ସେମିତି ସାମାଜିକ ସଂଘର୍ଷ ମଧ୍ୟରେ ଶୋଷଣ ଓ ଅତ୍ୟାଚାର ଜଣେ ସାଧାରଣ ଲୋକ ଭିତରେ ନୀରବରେ ଯେଉଁ ଭଳି ଝଡ ସୃଷ୍ଟି କରେ ଭ୍ରମର ତା’ର ଶିକାର ହୋଇଛି।

ଉଲ୍ଲେଖ ଅନିବାର୍ଯ୍ୟ କି ‘ନୀରବ ଝଡ’ ତତ୍କାଳୀନ ଗ୍ରାମୀଣ ଜୀବନର ଯେଉଁ ନିଛକ ଚିତ୍ର ପ୍ରଦାନ କରେ, ନିଶ୍ଚିତ ରୂପେ ତାହା ଜଣେ ନିର୍ଦ୍ଦେଶକ ରୂପେ ମନମୋହନଙ୍କର କଳାକୁଶଳତା ଓ ସ୍ଵତନ୍ତ୍ରତାର ପ୍ରମାଣ ବହନ କରେ।

ସେହି ଭଳି ‘କ୍ଳାନ୍ତ ଅପରାହ୍ନ’ (୧୯୮୫) ତିନି ଜଣ ଗାଁ ସ୍କୁଲ ଶିକ୍ଷୟିତ୍ରୀଙ୍କ ଜୀବନରେ ଘଟିଥିବା ପ୍ରେମ, ଓ ତହିଁରେ ଯୌତୁକ ପ୍ରଥା କିପରି ଅନ୍ତରାୟ ସୃଷ୍ଟି କରେ ଏବଂ ସମାଜର ନାଲିଆଖି କିପରି ସେମାନଙ୍କ ସ୍ଵପ୍ନସବୁକୁ କିପରି ଭାଙ୍ଗିରୁଜି ଚୁରମାର କରି ଦେଇଛି ତା’ର ଏକ ବାସ୍ତବ ଚିତ୍ର ପ୍ରଦାନ କରେ। ଅନ୍ୟ ପକ୍ଷରେ ‘ମଝି ପାହାଚ’ (୧୯୮୭)ର କଥାବସ୍ତୁରେ ରହିଛି ଜଣେ ମଧ୍ୟବିତ ପରିବାରର ଯୁବକ ନିଜ କବିତାରେ ଯୌତୁକ ବିରୋଧୀ ଆଦର୍ଶ ପ୍ରଦର୍ଶନ କରୁଥିବା ବେଳେ ବାସ୍ତବ ଜୀବନରେ କିପରି ପରିସ୍ଥିତିର ତାଡନା ଯୋଗୁଁ ନିଜେ ଯୌତୁକ ନେଇ ବିବାହ କରିବାକୁ ବାଧ୍ୟ ହୋଇଛି ତାହାର ମର୍ମସ୍ପର୍ଶୀ ଚିତ୍ର।

ମନମୋହନ ମହାପାତ୍ରଙ୍କ ଅନ୍ୟ ଚଳଚ୍ଚିତ୍ରଗୁଡିକ ମଧ୍ୟରେ ରହିଛି ‘ତ୍ରିସନ୍ଧ୍ୟା’ (୧୯୮୭), ‘ନିଷିଦ୍ଧ ସ୍ଵପ୍ନ’ (୧୯୮୮), ‘କିଛି ସ୍ଵପ୍ନ କିଛି ଅନୁଭୂତି’ (୧୯୮୯), ‘ଅନ୍ଧ ଦିଗନ୍ତ’ (୧୯୯୦), ‘ଅଗ୍ନି ବୀଣା’ (୧୯୯୧) ଓ ‘ଭିନ୍ନ ସମୟ’ (୧୯୯୩)।

ଓଡିଆ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ମଧ୍ୟବିତ ଶ୍ରେଣୀର ଜୀବନ ଜିଜ୍ଞାସା ଓ ଭାବାବେଗକୁ ସର୍ବାଧିକ କେବଳ କାହାଣୀ ବର୍ଣ୍ଣନା ନୁହେଁ, ବରଂ ଏକ ନିର୍ଦ୍ଧିଷ୍ଟ ସମୟ ପରିଧି ଭିତରେ ଥିବା ଘଟଣା ପ୍ରବାହର ନିଖୁଣ ଚିତ୍ରରୂପ ପ୍ରଦାନ କରିବାରେ ତାଙ୍କର ଚଳଚିତ୍ରଗୁଡିକରେ ମନମୋହନଙ୍କ ସ୍ଵର ଅତି ବଳିଷ୍ଠ।

ଆଜି ପରିତାପର ବିଷୟ ହେଲା ଯେ ସେହି ବଳିଷ୍ଠ ସ୍ଵର ଆଗକୁ ଆଉ ଆମକୁ ଶୁଣିବାକୁ ମିଳିବ ନାହିଁ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)

Comment