ଓଡ଼ିଶାଲାଇଭ୍ ବ୍ୟୁରୋ

“ରାଜ୍ୟର ସହରାଞ୍ଚଳରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଅଧିକ ଶକ୍ତିଶାଳୀ କରାଯିବ। ଏହାଦ୍ୱାରା ସେମାନେ ରୋଜଗାରକ୍ଷମ ହେବା ସହିତ ଆତ୍ମନିର୍ଭରଶୀଳ ହୋଇପାରିବେ”, ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥା (ସୁଡା)ର ୨୦ ତମ ପରିଚାଳନାମଣ୍ଡଳୀ ବୈଠକରେ ଯୋଗଦେଇ ମନ୍ତ୍ରୀ ପ୍ରତାପ ଜେନା ଏପରି କହିଛନ୍ତି।

ଏଥିସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଉତ୍ପାଦିତ ହେଉଥିବା ସାମଗ୍ରୀ ଯେଭଳି ବଜାରରେ ପ୍ରତିଦ୍ୱନ୍ଦିତା ସୃଷ୍ଟି କରିପାରିବ ସେନେଇ ଦୃଷ୍ଟି ରଖିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ମୁଖ୍ୟତଃ ପୌରସଂସ୍ଥାମାନଙ୍କରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ବଜାରର ଚାହିଦା ଅନୁସାରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ସହ ଏହାକୁ କିଭଳି ବଜାରରେ ବିକ୍ରି କରାଯାଇପାରିବ ସେନେଇ ମନ୍ତ୍ରୀ ଉପସ୍ଥିତ ଅଧିକାରୀମାନଙ୍କୁ ଜଣାଇଥିଲେ।

ଡେ-ଏନୟୁଏଲ୍ଏମ୍, ଏସ୍ଏମ୍ଆଇଡି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହାୟତାରେ ସହରାଞ୍ଚଳରେ ଜଳ ସାଥୀ, ସ୍ୱଚ୍ଛ ସାଥୀ ଓ ସ୍ୱଚ୍ଛ ସୁପରଭାଇଜର ମୂତୟନ କରିବାକୁ ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା। ଏହାସହ ସହରାଞ୍ଚଳରେ ଦକ୍ଷତା ବିକାଶ ତାଲିମ, ସୁରକ୍ଷିତ ଖାଦ୍ୟ ଜୋନ, ସହରର ସୌନ୍ଦର୍ଯ୍ୟକରଣ ଓ ସ୍ୱଚ୍ଛତା ବଜାୟ ରଖିବା, ବାସହୀନମାନଙ୍କୁ ଆଶ୍ରୟ ପ୍ରଦାନ କରିବା ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା।ସୁଡାର ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥନନଙ୍କ ସହ ପୌର ପ୍ରଶାସକ ସଂଗ୍ରାମଜିତ ନାୟକ, ସ୍ୱତନ୍ତ୍ର ସଚିବ ତଥା ସୁଡାର ପ୍ରକଳ୍ପ ନିର୍ଦ୍ଦେଶକ ଶୁଭେନ୍ଦୁ କାନୁନଗୋ, ସୁଡାର ଅତିରିକ୍ତ ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡାଙ୍କ ସମେତ ପରିଚାଳନା ମଣ୍ଡଳୀର ସଦସ୍ୟମାନେ ଉପସ୍ଥିତ ରହିଥିଲେ।

Comment