ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୧୧ ମାସ ଧରି ରୁଷରେ ତାଲିମ ନେବେ ୪ ଭାରତୀୟ ମହାକାଶଚାରୀ
  • “ବାହୁବଳୀ” ଜିଏସଏଲଭି ମାର୍କ-ଥ୍ରୀରେ କରିବେ ମହାକାଶକୁ ଯାତ୍ରା
  • “ଗଗନଯାନ” ଭାରତର ସମ୍ପୂର୍ଣ୍ଣ ନିଜସ୍ୱ ପ୍ରଥମ ମାନବ ମହାକାଶ ଅଭିଯାନ

ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ “ଗଗନଯାନ”ର ମହାକାଶଚାରୀମାନଙ୍କୁ ଜାନୁଆରି ତୃତୀୟ ସପ୍ତାହଠାରୁ ପ୍ରଶିକ୍ଷଣ ଦିଆଯିବ। ଏହି ପ୍ରଶିକ୍ଷଣ ରୁଷରେ ହେବ। ଏହି ଅଭିଯାନ ପାଇଁ ୪ ଜଣ ମହାକାଶଚାରୀଙ୍କୁ ଚୟନ କରାଯାଇଛି। ୧୧ ମାସ ଧରି ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ।

ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସାଧାରଣ ଅଭିଯୋଗ, ପେନସନ, ଆଣବିକ ଶକ୍ତି ଓ ମହାକାଶ ମନ୍ତ୍ରାଳୟ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଡକ୍ଟର ଜିତେନ୍ଦ୍ର ସିଂ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ପ୍ରଥମ ମହାକାଶ ଅଭିଯାନରେ ସାମିଲ ହେବାକୁ ଥିବା ମହାକାଶଚାରୀଙ୍କ ପ୍ରଶିକ୍ଷଣ ରୁଷରେ ହେବ। ଏହି ଅଭିଯାନ ପାଇଁ ୪ ଜଣ ମହାକାଶଚାରୀଙ୍କୁ ଚୟନ କରାଯାଇଛି ।

୧୧ ମାସ ଧରି ଏହି ୪ ଜଣ ମହାକାଶଚାରୀ ପ୍ରଶିକ୍ଷଣ ନେବେ। ମହାକାଶ ଅଭିଯାନରେ ସାମିଲ ହେବାକୁ ଥିବା ୪ଜଣ ମହାକାଶଚାରୀ ପୁରୁଷ, ତେବେ ସେମାନଙ୍କ ପରିଚୟ ସର୍ବସାଧାରଣରେ ପ୍ରକାଶ କରାଯାଇପାରିବ ନାହିଁ।

ରୁଷରେ ୧୧ ମାସ ଧରି ତାଲିମ ନେବା ପରେ ଏହି ମହାକାଶଚାରୀମାନେ ଭାରତରେ ସ୍ୱତନ୍ତ୍ର ମଡ୍ୟୁଲ ତାଲିମ ନେବେ। ଏଥିରେ ସେମାନେ ଇସ୍ରୋ ଦ୍ୱାରା ଡିଜାଇନ ହୋଇଥିବା କ୍ରିଉ ଓ ସର୍ଭିସ ମଡ୍ୟୁଲ ସମ୍ପର୍କରେ ପ୍ରଶିକ୍ଷଣ ନେବେ। ଇସ୍ରୋ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭାରତର ସବୁଠୁ ଭାରୀ ମହାକାଶ ଉତକ୍ଷେପଣ ଯାନ “ବାହୁବଳୀ” ଜିଏସ୍‌ଏଲଭି ମାର୍କ-ଥ୍ରୀ ଜରିଆରେ ମହାକାଶଚାରୀମାନେ ମହାକାଶକୁ ଯିବେ।

ଗଗନଯାନ ପ୍ରକଳ୍ପ ଲାଗି କେନ୍ଦ୍ର କ୍ୟାବିନେଟ ପୂର୍ବରୁ ୧୦ ହଜାର କୋଟି ଟଙ୍କା ମଞ୍ଜୁର କରିସାରିଛନ୍ତି। ଗତବର୍ଷ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସମ୍ପର୍କରେ ଘୋଷଣା କରିଥିଲେ।

ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ଗଗନଯାନ ଅଭିଯାନ ଆରମ୍ଭ କରାଯିବ। ୧୯୮୪ରେ ପ୍ରଥମ ଭାରତୀୟ ଭାବେ ରାକେଶ ଶର୍ମା ମହାକାଶ ଯାତ୍ରା କରିଥିଲେ। ତେବେ ଯେଉଁ ମହାକାଶଯାନରେ ସେ ମହାକାଶକୁ ଯାଇଥିଲେ ତାହା ଭାରତୀୟ ନଥିଲା। ତେଣୁ  ପ୍ରଧାନମନ୍ତ୍ରୀଙ୍କ “ମେକ ଇନ ଇଣ୍ଡିଆ” ସ୍ୱପ୍ନକୁ ବାସ୍ତବରେ ପ୍ରତିଫଳିତ କରୁଥିବା “ଗଗନଯାନ” ହେବ ଭାରତ ଦ୍ୱାରା କଳ୍ପିତ ଏବଂ ବିକଶିତ ପ୍ରଥମ ମାନବ ମହାକାଶ ଅଭିଯାନ।

Comment