ଓଡ଼ିଶାଲାଇଭ୍‌ ବ୍ୟୁରୋ

ରିଜର୍ଭ ବ୍ୟାଙ୍କ୍‌ର ମନିଟାରୀ ପଲିସି ଏକ୍ସପର୍ଟ ଓଡ଼ିଆ ପୁଅ ମାଇକେଲ ଦେବବ୍ରତ ପାତ୍ର ହେଲେ ଆର୍‌ବିଆଇ ଡେପୁଟୀ ଗଭର୍ଣ୍ଣର।

ଭାରତୀୟ ରିଜର୍ଭ ବ୍ୟାଙ୍କର ଚତୁର୍ଥ ଡେପୁଟୀ ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଲେ ଓଡ଼ିଆ ପୁଅ ମାଇକେଲ୍‌ ପାତ୍ର। ମଙ୍ଗଳବାର କେନ୍ଦ୍ର ସରକାର ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଏହା ପୂର୍ବରୁ ବିରଳ ଆଚାର୍ଯ୍ୟ ଡେପୁଟୀ ଗଭର୍ଣ୍ଣର ପଦବୀରେ ଥିଲେ। ହେଲେ ଗତ ବର୍ଷ ସେ ଏହି ପଦରୁ ଇସ୍ତଫା ଦେବା ପରେ ସେବେଠୁ ଏହାର ଖାଲି ପଡ଼ିଥିଲା। ମଙ୍ଗଳବାର ସରକାର ମାଇକେଲ୍‌ ପାତ୍ରଙ୍କୁ ଆର୍‌ବିଆଇର ଡେପୁଟୀ ଗଭର୍ଣ୍ଣର ଭାବେ ନିଯୁକ୍ତି ଦେଇଛନ୍ତି। ତେବେ କିଏ ଏହି ଓଡ଼ିଆ ପୁଅ ମାଇକେଲ ପାତ୍ର? ଆସନ୍ତୁ ଜାଣିବା।

ମାଇକେଲ ପାତ୍ରଙ୍କ ପୂରା ନାଁ ହେଉଛି ମାଇକେଲ୍‌ ଦେବବ୍ରତ ପାତ୍ର। ସେ ହେଉଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ଆନାଲିଟିକ୍ସ ଆଣ୍ଡ୍‌ ଆପ୍ଲାଏଡ୍‌ ଇକୋନୋମିକ୍ସ ବିଭାଗର ଜଣେ ପୂର୍ବତନ ଛାତ୍ର। ସେ ଆଇଆଇଟି ମୁମ୍ବାଇରୁ ଅର୍ଥନୀତିରେ ପିଏଚ୍‌ଡି ଲାଭ କରିଛନ୍ତି। ମାଇକେଲ ହାବାର୍ଡ ୟୁନିଭରସିଟିରେ ଫାଇନାନ୍‌ସିଆଲ ଷ୍ଟାବିଲିଟିରେ ଡକ୍ଟରାଲ ରିସର୍ଚ୍ଚ ମଧ୍ୟ କରିଛନ୍ତି।

୧୯୮୫ ମସିହାରେ ମାଇକେଲ ପାତ୍ର ଭାରତୀୟ ରିଜର୍ଭ ବ୍ୟାଙ୍କରେ ଯୋଗ ଦେଇଥିଲେ। ସେ ରିଜର୍ଭ ବ୍ୟାଙ୍କର ବିଭିନ୍ନ ଗରୁତ୍ୱପୂର୍ଣ୍ଣ ପଦବୀରେ ରହିସାରିଛନ୍ତି। ଡେପୁଟୀ ଗଭର୍ଣ୍ଣର ହେବା ପୂର୍ବରୁ ସେ ରିଜର୍ଭ ବ୍ୟାଙ୍କର ମନିଟାରୀ ପଲିସି ବିଭାଗର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ସେ ମନିଟାରୀ ପଲିସି କିମଟି(ଏମ୍‌ପିସି)ର ସଦସ୍ୟ ମଧ୍ୟ ରହିଛନ୍ତି। ଭାରତୀୟ ଅର୍ଥବ୍ୟବସ୍ଥାରେ ଅଗ୍ରଗତି ଆଣିବାକୁ ମାଇକେଲ ଗତ ୩ଟି ଆର୍‌ବିଆଇ ପଲିସିରେ ସୁଧ ହାର କମ୍‌କୁ ସମର୍ଥନ କରିଥିଲେ।

ବର୍ତ୍ତମାନ ଭାରତୀୟ ରିଜର୍ଭ ବ୍ୟାଙ୍କରେ ୩ଟି ଡେପୁଟୀ ଗଭର୍ଣ୍ଣର ରହିଛନ୍ତି। ଏନ୍‌ଏସ୍‌ ବିଶ୍ୱନାଥନ, ବିବି କାନୁନଗୋ ଏବଂ ଏମ୍‌କେ ଜୈନ୍‌। ଜୁଲାଇ ୨୦୧୯ରେ ବିରଳ ଆଚାର୍ଯ୍ୟ ଚତୁର୍ଥ ଡେପୁଟୀ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିଲେ। ସେତେବେଳେ ସରକାରଙ୍କ ବିଭିନ୍ନ ନୀତି ସହ ବିରଳଙ୍କ ମତଭେଦ ସୃଷ୍ଟି ହୋଇଥିଲେ। ତେବେ ନିଜର ବ୍ୟକ୍ତିଗତ ସମସ୍ୟା ଦେଖାଇ ବିରଳ ଏହି ପଦରୁ ଇସ୍ତଫା ଦେଇଥିଲେ।

ଏହାପରଠୁ ଡେପୁଟୀ ଗଭର୍ଣ୍ଣର ପଦ ଖାଲିଥିଲା। ମଙ୍ଗଳବାର କେନ୍ଦ୍ର ସରକାର ଓଡ଼ିଶାର ମାଇକେଲ ଦେବବ୍ରତ ପାତ୍ରଙ୍କୁ ରିଜର୍ଭ ବ୍ୟାଙ୍କର ଚତୁର୍ଥ ଡେପୁଟୀ ଗଭର୍ଣ୍ଣର ଭାବେ ନିଯୁକ୍ତି ଦେଇଛନ୍ତି। ସେ ଆଗାମୀ ୩ ବର୍ଷ ଯାଏଁ ଏହି ଦାୟିତ୍ୱରେ ରହିବେ। ସୂଚନାଯୋଗ୍ୟ, ଆର୍‌ବିଆଇର ଗଭର୍ଣ୍ଣର ଅଛନ୍ତି ଓଡ଼ିଆର ଶକ୍ତିକାନ୍ତ ଦାସ। କହିବାକୁ ଗଲେ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ୍‌ରେ ଏକପ୍ରକାରର ଓଡ଼ିଆଙ୍କ ରାଜ୍‌ ଚାଲିଛି।

Comment