ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ଚାଷୀଙ୍କୁ ବୈଷୟିକ ଜ୍ଞାନ କୌଶଳ, କୃଷି ସରଞ୍ଜାମ ଏବଂ ବଜାର ସହ ଯୋଡ଼ିବା ପାଇଁ ଏକ ପ୍ରୟାସ – କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବାର୍ଷିକ କାର୍ଯ୍ୟକ୍ରମ ‘କୃଷି ଓଡ଼ିଶା’।

  • ଜାନୁଆରି ୨୦ରୁ ଭୁବନେଶ୍ୱର ଜନତା ମଇଦାନରେ ‘କୃଷି ଓଡ଼ିଶା’
  • ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ଜାନୁଆରି ୨୪ ଯାଏଁ ଚାଲିବ କାର୍ଯ୍ୟକ୍ରମ
  • ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେବେ ରାଜ୍ୟପାଳ
  • ‘କୃଷି ଓଡ଼ିଶା’ରେ ରହିବ ୨୨୮ ଷ୍ଟଲ୍‌
  • ଦେଶ ବିଦେଶରୁ ୧୧୨ କୃଷି ଉତ୍ପାଦ କମ୍ପାନି ଯୋଗ ଦେବେ
  • କୃଷି ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ସାମ୍ବାଦିକ ସମ୍ମିଳନୀ

‘‘ଓଡ଼ିଶାରେ କୃଷି କ୍ଷେତ୍ରର ବିକାଶ ସହ କୃଷକର ଆୟ କିଭଳି ବଢ଼ି ପାରିବ ସେ ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। ପାରମ୍ପରିକ ଧାରାକୁ ଛାଡ଼ି ଆଜିର ଚାଷୀ କିଭଳି ଲାଭଜନକ ଚାଷ କରିପାରିବ ସେଥିପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି। କୃଷି ନୀତି, ବୈଷୟିକ ଜ୍ଞାନ କୌଶଳ, କୃଷି ସରଞ୍ଜାମ, ଚାଷୀକୁ ୠଣ ଏବଂ କୃଷି ଉପରେ ଆଧାରିତ ଶିଳ୍ପର ବିକାଶ କ୍ଷେତ୍ରରେ ଓଡ଼ିଶା ଆଜି ଆଗଧାଡ଼ିରେ ରହିଛି’’, କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।

ଜାନୁଆରି ୨୦ରୁ ୨୪ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି ବାର୍ଷିକ ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମ। ଏଥିପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହୋଇଥିଲା ସାମ୍ବାଦିକ ସମ୍ମିଳନୀ। ଏଥିରେ ମନ୍ତ୍ରୀ ଡକ୍ଟର ସାହୁ ପାଞ୍ଚ ଦିନିଆ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଫିକି ସହଯୋଗିତାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ‘କୃଷି ଓଡ଼ିଶା’ ଆୟୋଜନ କରାଯାଉଛି।

ଏଥର ‘କୃଷି ଓଡ଼ିଶା’ରେ ୨୨୮ଟି ଷ୍ଟଲ ରହିବ। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରାୟ ୧୧୨ଟି କମ୍ପାନି ଭାଗ ନେବେ। ଏହି ଷ୍ଟଲଗୁଡ଼ିକରେ କୃଷି ଓ କୃଷକଙ୍କ ସଶକ୍ତିକରଣର ଚିତ୍ର ଦେଖିବାକୁ ମିଳିବ।

କୃଷିକ୍ଷେତ୍ର ଉପଯୋଗୀ ନୂତନ ଜ୍ଞାନ କୌଶଳ ଓ କୃଷି ପ୍ରଣାଳୀ ସହିତ ଓଡ଼ିଶାର ଚାଷୀମାନଙ୍କୁ ପରିଚିତ କରାଇବା ନିମନ୍ତେ ପ୍ରତିଦିନ ଆଲୋଚନାଚକ୍ର ଆୟୋଜନ କରାଯିବ। ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନର ନାମୀ କୃଷି ବିଜ୍ଞାନୀ, କୃଷି ବିଶେଷଜ୍ଞ, କୃଷି ଅଧିକାରୀ ଓ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀମାନେ ଯୋଗଦେବେ।

‘କୃଷି ଓଡ଼ିଶା’ରେ ଆକର୍ଷଣୀୟ ପ୍ରଦର୍ଶନୀ ମଣ୍ଡପର ଆୟୋଜନ କରାଯାଇଛି। ଏହି ମଣ୍ଡପରେ କୃଷି ଓ ଆନୁଷଙ୍ଗିକ କୃଷି ସମ୍ବନ୍ଧିତ କ୍ଷେତ୍ରର ପ୍ରଗତି ସମ୍ପର୍କରେ ତଥ୍ୟ ପ୍ରଦାନ କରାଯିବ। କୃଷି ବିଜ୍ଞାନୀ, କୃଷି ଛାତ୍ର ଓ କୃଷକମାନଙ୍କ ମଧ୍ୟରେ ଭାବ ଆଦାନ ପ୍ରଦାନ କରାଯିବ। ଏହାଦ୍ୱାରା କୃଷକମାନେ ନୂତନ କୃଷି ପଦ୍ଧତି ସମ୍ବନ୍ଧରେ ଅବଗତ ହୋଇପାରିବେ।

‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଫଳ ଚାଷୀ, ଯୁବ କୃଷି ଉଦ୍ୟୋଗୀ ଓ ଜିଲ୍ଲା ସ୍ତରରେ ପୁରସ୍କୃତ ହୋଇଥିବା ଅଗ୍ରଣୀ ଚାଷୀମାନେ ଯୋଗଦେବେ।

‘କୃଷି ଓଡିଶା’ ଅବସରରେ ପ୍ରତ୍ୟେକ ସନ୍ଧ୍ୟାରେ ରାଜ୍ୟ ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଅଗ୍ରଣୀ ଚାଷୀ ଓ ଉତ୍ପାଦକ ସଂସ୍ଥାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ।

କୃଷି ଓଡ଼ିଶା-୨୦୨୦ର ମଝି ତିନି ଦିନର କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବା ପାଇଁ ପ୍ରତିଦିନ ସ୍ୱତନ୍ତ୍ର ଫୋକସ୍‌ ସ୍ଥିର କରାଯାଇଛି। ୨୧ ତାରିଖକୁ ସମବାୟ ଓ ବ୍ୟାଙ୍କିଙ୍ଗ୍ ଦିବସ, ୨୨କୁ ପଞ୍ଚାୟତିରାଜ ଜନ ପ୍ରତିନିଧି ଦିବସ ଏବଂ ୨୩ ତାରିଖକୁ ମହିଳା ଦିବସ ଭାବରେ ରଖାଯାଇଛି। ପ୍ରତିଦିନ ସଂପୃକ୍ତ ବିଷୟ ଉପରେ ଆଧାର କରି କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ସୂଚନା ଦେଇଛନ୍ତି।

କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶ ପାଇଁ ଋଣ ଯୋଗାଣ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ତେଣୁ ‘କୃଷି ଓଡ଼ିଶା’ ଅବସରରେ ୨୨ ତାରିଖରେ ରାଜ୍ୟର ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ସମବାୟ ବ୍ୟାଙ୍କର ଅଧିକାରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଏଥିରେ ୫୦୦ ବ୍ୟାଙ୍କ ଅଧିକାରୀମାନେ ଯୋଗଦେବେ।

 ‘‘ରାଜ୍ୟ ଅର୍ଥନୀତିରେ କୃଷି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ରାଜ୍ୟର ପ୍ରାୟ ୬୨ ପ୍ରତିଶତ ଜନସାଧାରଣ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଉପରେ ନିର୍ଭର କରିଥାନ୍ତି। ଓ କୃଷକମାନଙ୍କ ଆୟକୁ ବହୁଗୁଣିତ କରିବା ପାଇଁ ରାଜ୍ୟ ସରକାର ଅନେକଗୁଡିଏ ଯୋଜନା ପ୍ରଣୟନ କରି ଚାଷୀମାନଙ୍କୁ ଏହାର ଲାଭ ସିଧାସଳଖ ଯୋଗାଇ ଦେଉଛନ୍ତି। ଫଳରେ ଆମେ ଆଜି କୃଷି କ୍ଷେତ୍ରରେ ଏକ ପ୍ରଗତିଶୀଳ ରାଜ୍ୟ ଭାବରେ ପରିଗଣିତ ହୋଇପାରିଛେ’’, କହିଛନ୍ତି ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।

ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ଆଗକୁ ଯାଇପାରିଛି। କେତେକ କ୍ଷେତ୍ରରେ ଏହା ଜାତୀୟ ହାରଠାରୁ ମଧ୍ୟ ଅଧିକ ରହିଛି, ଯେଉଁଥିପାଇଁ ବିଗତ ୭ ବର୍ଷ ମଧ୍ୟରେ ରାଜ୍ୟ ୫ ଥର କୃଷି କର୍ମଣ ପୁରସ୍କାର ପାଇଛି।  କୃଷି କର୍ମଣ ପୁରସ୍କାର ଅନ୍ତର୍ଗତ ମୋଟ ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ବିଶେଷ ସଫଳତା ଅର୍ଜନ କରିଥିବାରୁ ଚଳିତ ବର୍ଷ ଓଡ଼ିଶା ‘କମେଣ୍ଡସନ’ ପୁରସ୍କାର ମଧ୍ୟ ପାଇଛି।

କୃଷି କ୍ଷେତ୍ରରେ ଓଡ଼ିଶା ଯେଉଁଭଳି ଭାବେ ଆଗକୁ ଯାଉଛି ତାର ସଫଳତାକୁ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ ଏବଂ କୃଷକମାନଙ୍କୁ ନୂତନ ଜ୍ଞାନକୌଶଳ ସହିତ ପରିଚିତ କରାଇବା ଲକ୍ଷ୍ୟ ନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରତିବର୍ଷ ରାଜ୍ୟ ସ୍ତରୀୟ କୃଷି ମହୋତ୍ସବ ‘କୃଷି ଓଡିଶା’ ଆୟୋଜନ କରାଯାଉଛି।

ଶୁକ୍ରବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା, କୃଷି ବିଭାଗର ଅତିରିକ୍ତ ସଚିବ ମନ୍ମଥ ପାଣି ଏବଂ ମ୍ୟାରି ଲାକ୍ରା, ଓୟୁଏଟିର ଡିନ୍‌ (ଏକ୍ସଟେନ୍‌ସନ୍‌) ଡକ୍ଟର ପ୍ରଭାତ କୁମାର ରାଉଳ ଉପସ୍ଥିତ ଥିଲେ।

Comment