ଓଡ଼ିଶାଲାଇଭ୍‌ ବ୍ୟୁରୋ

ତୃତୀୟ ଦିନରେ ପହଞ୍ଚିଛି ସେସୁର ବିଦ୍ୟୁତ କାଟ୍‌ ଅଭିଯାନ। ବିଦ୍ୟୁତ ବିଲ୍‌ ଦେଉ ନଥିବା ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ ସିଧାସଳଖ କାଟି ଦେଉଛି ସେସୁ। ଆଜି ତୃତୀୟ ଦିନରେ ୧ହଜାର ୬୨୨ ଜଣଙ୍କ ବିଦ୍ୟୁତ କଟାଯାଇଛି। ଏହାସହ ୪ କୋଟି ୮୬ ଲକ୍ଷ ଟଙ୍କା ବକେୟା ମଧ୍ୟ ଆଦାୟ କରାଯାଇଛି।

ପ୍ରଥମ ଦିନରେ ସେସୁ ୧୫୪୫ ଉପଭୋକ୍ତାଙ୍କ ବିଜୁଳି ସଂଯୋଗ କାଟିଥିଲା ବେଳେ ବକେୟା ବିଲ୍‌ ବାବଦରେ ୫ କୋଟି ୩୮ ଲକ୍ଷ ୯୮ ହଜାର ଟଙ୍କା ଆଦାୟ କରିଥିଲା। ସେହିପରି ଦ୍ଵିତୀୟ ଦିନରେ ୧୯୫୬ ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ କାଟି ଥିଲା ସେସୁ। ବକେୟା ବାବଦକୁ ୪ କୋଟି ୬୭ ଲକ୍ଷ ଟଙ୍କା ଆଦାୟ କରାଯାଇଥିଲା।

୧୫ ତାରିଖ ସୁଦ୍ଧା ବକେୟା ବିଦ୍ୟୁତ ବିଲ୍‌ ପଇଠ କରିବାକୁ ସେସୁ ପକ୍ଷରୁ କୁହାଯାଇଥିଲା। ନହେଲେ ୧୬ ତାରିଖରୁ ବିଜୁଳି କାଟ୍‌ ହେବ ବୋଲି ସେସୁ ସିଇଓ ଅରୁଣ ବୋଥ୍ରା ଚରମବାଣୀ ଶୁଣାଇଥିଲେ। ୧୫ ତାରିଖ ଭିତରେ କିଛି ଉପଭୋକ୍ତା ସେମାନଙ୍କୁ ବକେୟା ବିଲ୍‌ ପଇଠ କରିଥିଲେ।

ଯେଉଁମାନେ ନିର୍ଦ୍ଧାରିତ ସମୟ ସୁଦ୍ଧା ବିଲ୍‌ ଦେଇ ନଥିଲେ ସେମାନଙ୍କ ପାଖରେ ଆଜି ପହଞ୍ଚିଥିଲେ ସ୍କ୍ୱାଡ୍‌। ପ୍ରଥମ ଦିନରେ ସେସୁ ସ୍କ୍ୱାଡ୍‌ ବ୍ୟବସାୟ ପ୍ରତିଷ୍ଠାନରେ ପହଞ୍ଚିଥିଲା। ଖୋର୍ଦ୍ଧା ଗୁରୁଜଙ୍ଗରେ ପ୍ରଥମେ ବିଦ୍ୟୁତ ସଂଯୋଗ କଟା ଯାଇଥିଲା। ଏହାପରେ କଟକ, ନିମାପଡ଼ା, ପୁରୀ ଡିଭିଜନରେ କିଛି ଉପଭୋକ୍ତାଙ୍କର ବିଜୁଳି କଟା ଯାଇଥିଲା।

Comment