ଓଡ଼ିଶାଲାଇଭ୍ ବ୍ୟୁରୋ
ଜଣେ ୯୭ ବର୍ଷୀୟ ମହିଳା, ଯିଏ ଚାଲିବା ପାଇଁ ଅନ୍ୟର ସାହାଯ୍ୟ ଲୋଡ଼ିଥାନ୍ତି। ସେହି ବୃଦ୍ଧ ମହିଳା ଗୋଟିଏ ପଞ୍ଚାୟତର ନୂଆ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। କଥାଟି ଆପଣଙ୍କୁ ଟିକେ ଅଲଗା ଲାଗିପାରେ, କିନ୍ତୁ ରାଜସ୍ଥାନରେ ଏଭଳି ଏକ କଥା ସାମନାକୁ ଆସିଛି।
ରାଜସ୍ଥାନର ସିକର ଅଞ୍ଚଳରେ ଜଣେ ୯୭ ବର୍ଷୀୟ ବୃଦ୍ଧ ମହିଳା ନୂଆକରି ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କର ନାଁ ହେଉଛି ବିଦ୍ୟା ଦେବୀ। ବର୍ତ୍ତମାନ ଏହି ବୃଦ୍ଧା ସରପଞ୍ଚଙ୍କୁ ନେଇ ଚାରିଆଡ଼େ ଜୋରଦାର ଚର୍ଚ୍ଚା ସେହି ଅଞ୍ଚଳର ତିନିଜଣ ଯୁବ ପ୍ରାର୍ଥୀଙ୍କୁ ହରାଇ ସେ ଏହି ବିରଳ କାର୍ଯ୍ୟ କରିଦେଖାଇଛନ୍ତି।
ବିଦ୍ୟା ଦେବୀଙ୍କ ସ୍ୱାମୀ ମଧ୍ୟ ୫୫ ବର୍ଷ ପୂର୍ବେ ସେହି ଅଞ୍ଚଳର ସରପଞ୍ଚ ଭାବେ ବିନା କୌଣସି ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଥିଲେ। ଏପରିକି ବିଦ୍ୟା ଦେବୀଙ୍କ ଶ୍ୱଶୁର ମଧ୍ୟ ବହୁ ବର୍ଷ ଧରି ସେ ଅଞ୍ଚଳର ସରପଞ୍ଚ ରହିଥିଲେ। ବର୍ତ୍ତମାନ ବିଦ୍ୟା ଦେବୀ ନିଜେ ସରପଞ୍ଚ ହେବା ସହ ତାଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କ ଏହି ଲିଷ୍ଟରେ ନିଜକୁ ସାମିଲ କରିଛନ୍ତି।