ଓଡ଼ିଶାଲାଇଭ୍‌ ବ୍ୟୁରୋ

 ‘‘ଚାଷୀ ଦେଶର ଶକ୍ତି, ଅର୍ଥନୀତିର ଶକ୍ତି। ଦେଶର ଗୌରବ ବୃଦ୍ଧି କରିଥାଏ ଚାଷୀ। କୃଷି ବିକାଶ ପାଇଁ ମୋ ସରକାର ନିଷ୍ଠାର ସହ କାମ କରିବା ସହ କାଳିଆ ଯୋଜନା ଚାଷୀମାନଙ୍କ ସମ୍ମାନ ବୃଦ୍ଧି କରିଛି। ନୂଆ କୃଷି ନୀତି ଜରିଆରେ ଚାଷୀମାନଙ୍କର ରୋଜଗାର ବୃଦ୍ଧି କରିବା ଆମର ଲକ୍ଷ୍ୟ। ମୁଁ ଚାହେଁ ମୋ’ ରାଜ୍ୟର ଚାଷୀ ନୂଆ ନୂଆ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରନ୍ତୁ। ମୁଁ ଚାହେଁ ମୋ’ ରାଜ୍ୟର ଚାଷୀ ବିକାଶର ସାରଥୀ ହେଉ’’, କୃଷି ଓଡ଼ିଶା ୨୦୨୦’ରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ୱର ଜନତା ମଇଦାନରେ ଆଜିଠୁ ଆରମ୍ଭ ହୋଇଛି ‘କୃଷି ଓଡ଼ିଶା ୨୦୨୦’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା କୃଷି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଛନ୍ତି। ଫିକି ସହଯୋଗରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ବିଶାଳ ପ୍ରଦର୍ଶନୀ ଆୟୋଜନ କରାଯାଇଛି।

ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ଫିକିର ସାଧାରଣ ସମ୍ପାଦକ ଦିଲ୍ଲୀପ ଚିନୋୟ ଯୋଗ ଦେଇଛନ୍ତି।

‘ଲାଭଜନକ କୃଷି ପାଇଁ ପ୍ରୟାସ’ – ଚଳିତ ବର୍ଷ ଏହି ଥିମ୍‌କୁ ଆଧାର କରି ଆୟୋଜନ କରାଯାଉଛି କୃଷି ଓଡ଼ିଶା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ କୃଷି ନୀତି ‘ସମୃଦ୍ଧି’ ୨୦୨୦ ପୁସ୍ତିକା ଉନ୍ମୋଚନ କରିଛନ୍ତି।

‘‘ଓଡ଼ିଶାରେ କୃଷି କ୍ଷେତ୍ରର ବିକାଶ ସହ କୃଷକର ଆୟ କିଭଳି ବଢ଼ି ପାରିବ ସେ ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। ମାଣ୍ଡିଆ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ନୂଆ ଦିଶା ଦେଖାଇଛି। କୃଷି ନୀତି, ବୈଷୟିକ ଜ୍ଞାନ କୌଶଳ, କୃଷି ସରଞ୍ଜାମ, ଚାଷୀକୁ ୠଣ ଏବଂ କୃଷି ଉପରେ ଆଧାରିତ ଶିଳ୍ପର ବିକାଶ କ୍ଷେତ୍ରରେ ଓଡ଼ିଶା ଆଜି ଆଗଧାଡ଼ିରେ ରହିଛି’’, କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।

‘‘ଓଡ଼ିଶାର କୃଷି କ୍ଷେତ୍ରକୁ ଆହୁରି ସଶକ୍ତ କରିବାର ଲକ୍ଷ୍ୟ ନେଇ ଆୟୋଜନ କରାଯାଉଛି ‘କୃଷି ଓଡ଼ିଶା’। ଏ ବର୍ଷର ଥିମ୍‌ ରହିଛି – ଲାଭଜନକ କୃଷି ପାଇଁ ପ୍ରୟାସ। ଓଡ଼ିଶାର ଚାଷୀ କିପରି ଲାଭଜନକ ଚାଷ କରିପାରିବେ ଏହା ହେଉଛି ଆମର ମୂଳ ଲକ୍ଷ୍ୟ’’, କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ସୌରଭ ଗର୍ଗ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସଫଳ ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଦଶ ହଜାର ଟଙ୍କା ସହ ଉପଢ଼ୌକନ ଓ ମେମେଣ୍ଟୋ ଦେଇ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ସମ୍ମାନିତ କରିଥିଲେ।

ଆଜିଠାରୁ ପାଞ୍ଚ ଦିନ ଧରି ଏହି କୃଷି ମହାକୁମ୍ଭ ଚାଲିବ। ଜାନୁଆରି ୨୪ରେ ଏହି କାର୍ଯ୍ୟକ୍ରମ ଉଦ୍‌ଯାପିତ ହେବ। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏଥର ‘କୃଷି ଓଡ଼ିଶା’ରେ ୨୨୮ଟି ଷ୍ଟଲ ରହିଛି। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରାୟ ୧୧୨ଟି କମ୍ପାନି ଭାଗ ନେବେ। ଏହି ଷ୍ଟଲଗୁଡ଼ିକରେ କୃଷି ଓ କୃଷକଙ୍କ ସଶକ୍ତିକରଣର ଚିତ୍ର ଦେଖିବାକୁ ମିଳିବ।

କୃଷିକ୍ଷେତ୍ର ଉପଯୋଗୀ ନୂତନ ଜ୍ଞାନ କୌଶଳ ଓ କୃଷି ପ୍ରଣାଳୀ ସହିତ ଓଡ଼ିଶାର ଚାଷୀମାନଙ୍କୁ ପରିଚିତ କରାଇବା ନିମନ୍ତେ ପ୍ରତିଦିନ ଆଲୋଚନାଚକ୍ର ଆୟୋଜନ କରାଯିବ। ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନର ନାମୀ କୃଷି ବିଜ୍ଞାନୀ, କୃଷି ବିଶେଷଜ୍ଞ, କୃଷି ଅଧିକାରୀ ଓ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀମାନେ ଯୋଗଦେବେ।

Comment