ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ଜନତା ମଇଦାନରେ ‘କୃଷି ଓଡ଼ିଶା ୨୦୨୦’ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି। ଏହି ଅବସରରେ ନବୀନ କୃଷିନୀତି ‘ସମୃଦ୍ଧି’ ପୁସ୍ତିକା ଉନ୍ମୋଚନ କରିଛନ୍ତି।

‘‘ଚଳିତ ବର୍ଷ ରାଜ୍ୟ ସରକାର ‘ସମୃଦ୍ଧି’ ନାମକ ଏକ ନୂଆ କୃଷିନୀତି ପ୍ରଣୟନ କରିବାକୁ ଯାଉଛନ୍ତି। ଏହି କୃଷିନୀତି ମାଧ୍ୟମରେ କୃଷି ଉତ୍ପାଦନର ସଂରକ୍ଷଣ, ଉନ୍ନତ ବଜାର, ଉନ୍ନତ ଜ୍ଞାନ କୌଶଳର ପ୍ରୟୋଗକୁ ଅଗ୍ରାଧିକାର ଦିଆଯିବ। ଏହି କୃଷିନୀତି ଏକ ଉତ୍ତମ ଶାସନ ବ୍ୟବସ୍ଥା କରିବା ଲକ୍ଷ୍ୟରେ ପ୍ରସ୍ତୁତ ହୋଇଛି’’, କହିଛନ୍ତି କୃଷି ଉତ୍ପାଦନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।

ଭୁବନେଶ୍ୱର ଜନତା ମଇଦାନରେ ‘କୃଷି ଓଡ଼ିଶା ୨୦୨୦’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ପ୍ରଦୀପ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କଥା କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି।

krushi Odisha

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଓଡ଼ିଶା ଅର୍ଥନୀତି କୃଷି ଉପରେ ନିର୍ଭର କରିଥାଏ। ରାଜ୍ୟର ପ୍ରାୟ ୬୧ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି। କୃଷିର ଉନ୍ନତି ବିନା ରାଜ୍ୟର ଉନ୍ନତି କଥା ଭାବିବା ଅସମ୍ଭବ। ରାଜ୍ୟ ସରକାରଙ୍କ କୃଷିର ବିକାଶ ପାଇଁ ପ୍ରତିବଦ୍ଧତା ଓ ଚାଷୀଭାଇଙ୍କର ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ବିଗତ ୨୦ ବର୍ଷରେ ଓଡ଼ିଶା କୃଷି କାର୍ଯ୍ୟରେ ଅନେକ ସଫଳତା ହାସଲ କରିଛି।’’

ବିଗତ ୧୩ ବର୍ଷରେ ଆମ ରାଜ୍ୟର ଚାଷୀମାନଙ୍କର ହାରାହାରି ଆୟ ୭ ଗୁଣ ବଢ଼ିଛି। କୃଷିକୁ ଅଧିକ ଲାଭଜନକ କରି ଚାଷୀଙ୍କର ଆୟକୁ ବହୁଗୁଣିତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର କୃଷି ବଜେଟ ପ୍ରଣୟନ କରାଯାଇଛି ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ୧୦ ହଜାର ଟଙ୍କାର ଅର୍ଥରାଶି ସହ ଉତ୍ତରୀୟ ଦେଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସମ୍ମାନିତ କରିଛନ୍ତି।

Comment