ଓଡ଼ିଶାଲାଇଭ୍‌ ବ୍ୟୁରୋ

Samir Dash

ଯୁକ୍ତ ୨ ପ୍ରଥମ ବର୍ଷ ପରୀକ୍ଷାରେ ୩୩ ପ୍ରତିଶତ ମାର୍କ ରଖିବା ବାଧ୍ୟତାମୂଳକ ହେବା ପରେ ରାଜ୍ୟରେ ବିଭିନ୍ନ କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସରକାର ଏନେଇ ବିଚାର କରିବେ ବୋଲି ମନ୍ତ୍ରୀ କହିଛନ୍ତି।

ସମୀର ଦାଶ କହିଛନ୍ତି, ‘‘ଛାତ୍ରଛାତ୍ରୀଙ୍କୁ ଯୁକ୍ତ ଦୁଇ ପରୀକ୍ଷାରେ ଫେଲ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। ଯଦି ପିଲା ଭାବୁଛନ୍ତି ସେମାନେ ପ୍ରସ୍ତୁତ ନୁହଁନ୍ତି, ତେବେ ଏହି ବ୍ୟବସ୍ଥା ଏବର୍ଷ ଲାଗୁ କରା ନଯିବା ନେଇ ସରକାର ବିଚାର କରିବେ।’’

ଅନ୍ୟପଟେ ଆଜି ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାକୁ ବିରୋଧ କରି ଭୁବନେଶ୍ୱରସ୍ଥିତ ରମାଦେବୀ ଜୁନିୟର କଲେଜର ଛାତ୍ରୀ ଓ ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟରେ ଥିବା ଛାତ୍ର ଆନ୍ଦୋଳନକୁ ଓହ୍ଲାଇଥିଲେ। ବର୍ଷ ଶେଷରେ ସରକାରଙ୍କ ଏଭଳି ନିଷ୍ପତ୍ତି ଗ୍ରହଣୀୟ ନୁହେଁ ବୋଲି ଛାତ୍ରଛାତ୍ରୀ ଦାବି କରିଥିଲେ।

ଛାତ୍ରଛାତ୍ରୀମାନେ କହିବା କଥା, “ପରୀକ୍ଷାକୁ ଆଉ ମାତ୍ର ଗୋଟିଏ ମାସ ରହିଲା। ଏତେ ଜଲଦି ଯଦି ସରକାର ଏଭଳି ନିଷ୍ପତ୍ତି ନେବେ ତେବେ ପରୀକ୍ଷାରେ ପାସ୍ ହେବା କଷ୍ଟକର। ସରକାର ଏ ନିୟମକୁ ଆର ବର୍ଷଠାରୁ ଲାଗୁ କରନ୍ତୁ।”

କିଛି ଦିନ ତଳେ ରାଜ୍ୟ ସରକାର ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପାସ୍ ଫେଲ୍ ବ୍ୟବସ୍ଥାକୁ ଲାଗୁ କରିଥିଲେ। ଏହାଦ୍ୱାରା ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ୩୩ ପ୍ରତିଶତ ମାର୍କ ରଖି ପାସ୍ କରିବା ପରେ ଦ୍ୱିତୀୟ ବର୍ଷକୁ ଯାଇପାରିବେ ବୋଲି କୁହାଯାଇଥିଲା। ନଚେତ୍ ଛାତ୍ରଛାତ୍ରୀମାନେ ପୁଣିଥରେ ପ୍ରଥମ ବର୍ଷରେ ପାଠ ପଢ଼ି ପାସ୍ କରିବାକୁ ପଡ଼ିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଥିଲେ।

Comment