ଓଡ଼ିଶାଲାଇଭ୍‌ ବ୍ୟୁରୋ

‘କୃଷି ଓଡ଼ିଶା ୨୦୨୦’ ଅବସରରେ ଗବେଷକ ମାନସ ରଂଜନ ସାହୁ ଶିଖାଉଛନ୍ତି ଜୈବିକ ପଦ୍ଧତିରେ ସାର ପ୍ରସ୍ତୁତିର କୌଶଳ।

ଦିନେ ‘ସବୁଜ ବିପ୍ଳବ’ ସ୍ଲୋଗାନ୍‌ ପଛରେ ଥିଲା ରାସାୟନିକ ସାରର ପ୍ରୟୋଗ କରି କ୍ଷେତରେ ଉତ୍ପାଦନ ବଢ଼ାଇବାର ଲକ୍ଷ୍ୟ। କିନ୍ତୁ ଏହି ଧାରାରେ ଉତ୍ପାଦିତ ଖାଦ୍ୟ ଶସ୍ୟ ଆମ ଶରୀରରେ ରୋଗର କାରଣ ହେଉଛି, ଏକଥାକୁ ଅନୁଭବ କରି ସାରା ପୃଥିବୀରେ ଆଜି ଜୈବିକ ପଦ୍ଧତିରେ ଚାଷ ଉପରେ ଜୋର ଦିଆଯାଉଛି।

ଆଗେ ଚାଷୀ ଗୋବର ଖତ, ଗୋମୁତ୍ର, କୁଟା, ପତ୍ର, ନିମ ପତ୍ର ଓ ପାଉଁଶ ଆଦି ବ୍ୟବହାର କରୁଥିଲେ। ଏହି ପଦ୍ଧତିରେ ଜମିର ସାରର ଆବଶ୍ୟକତା ପୂରଣ ହେବା ସହ କୀଟନାଶକ ବ୍ୟବସ୍ଥାର ମଧ୍ୟ ପରିଚାଳନା ହୋଇପାରୁଥିଲା। କିନ୍ତୁ ସେ ରାସ୍ତାକୁ ଭୁଲି ଆମେ ସିଧା ରାସାୟନିକ ସାରକୁ ଲମ୍ଫ ପ୍ରଦାନ କରିବା ଫଳରେ ମାଟିର ଗୁଣବତା ଉପରେ ଏହାର ଭୟଙ୍କର କୁପ୍ରଭାବ ପଡ଼ିଲା।

ଏବେ କିନ୍ତୁ ଏହି ରାସାୟନିକ ସାରକୁ ରୋଗପୋକମାନଙ୍କ ଦେହସୁହା ହୋଇଗଲାଣି। ତେଣୁ ସାର ବି ଆଉ କାମ ଦେଉନି। ଫଳରେ ଫସଲ ନଷ୍ଟ ହେଲେ ଚାଷୀ ଆତ୍ମହତ୍ୟା ଭଳି ଘଟଣା ଦେଖିବାକୁ ମିଳୁଛି। ପଞ୍ଜାବରେ ରାସାୟନିକ ସାରର ପ୍ରୟୋଗ ଅତ୍ୟଧିକ ହେଉଥିବା ଯୋଗୁଁ ସେଠାରେ ଏବେ ୫ ଜଣରେ ଜଣେ କର୍କଟ ଭଳି ବ୍ୟାଧିରେ ପୀଡ଼ିତ ହେଲେଣି।

ତେଣୁ ଜୈବିକ ଚାଷ ନେଇ ଏବେ ସଚେତନତା ବୃଦ୍ଧି ପାଇବାରେ ଲାଗିଛି। ପୃଥିବୀ ପୃଷ୍ଠରେ ୧ ଇଞ୍ଚର ମାଟି ସ୍ତର ସୃଷ୍ଟି ହେବା ପାଇଁ ହଜାର ହଜାର ବର୍ଷ ଲାଗିଯାଏ। ତେଣୁ ଏହି ମାଟିକୁ ଆମେ ବିଷାକ୍ତ କରିଦେବା ଦ୍ୱାରା ଏହାର ପ୍ରଭାବ ଆମକୁ ହିଁ ଭୋଗିବାକୁ ପଡ଼ିବ ବୋଲି କହିଛନ୍ତି ଜୈବିକ ପଦ୍ଧତିରେ ଚାଷ କରିବାର ବାର୍ତା ବାଣ୍ଟୁଥିବା ଧର୍ମଗଡ଼ର ଦି ହ୍ୟୁମାନ ଡେଭଲପମେଣ୍ଟର ମୁଖ୍ୟ ତଥା ଗବେଷକ ମାନସ ରଂଜନ ସାହୁ।

ତାଙ୍କ ମତରେ ରାସାୟନିକ ସାରର କୁପ୍ରଭାବ ଏବେ ଜଳଜଳ ଦିଶୁଛି। ଆଜିର ସମାଜରେ ଉଚ୍ଚ ରକ୍ତଚାପ, ଡାଇବେଟିସ, ହୃଦରୋଗ, କିଡ୍‌ନି ଓ କ୍ୟାନ୍‌ସର ଭଳି ମାଡ଼ି ଚାଲିଥିବା ବ୍ୟାଧି ପଛର ପ୍ରମୁଖ କାରଣ ସାଜିଛି ଏହି ରାସାୟନିକ ସାର।

ଜୈବିକ ଚାଷ ପାଇଁ ଜୈବିକ ପଦ୍ଧତିରେ ସାର ପ୍ରସ୍ତୁତିର କୌଶଳ ଶିଖାଉଛନ୍ତି ଗବେଷକ ମାନସ ରଂଜନ ସାହୁ। ଏହି ପ୍ରତ୍ୟେକ ଜୈବିକ ସାରର ସେ ଭିନ୍ନ ନାଁ ଦେଇଛନ୍ତି।

ରୋଗ ପୋକ ଦୂରେଇବା ପାଇଁ ‘ବ୍ରହ୍ମାସ୍ତ୍ର’

୩  କିଲୋଗ୍ରାମ ବଟା ହୋଇଥିବା ନିମ ପତ୍ର, ୨ କିଲୋଗ୍ରାମ ଲେଖାଏଁ ବଟା ହୋଇଥିବା ସୀତାଫଳ, ଅମୃତଭଣ୍ଡା ପତ୍ର, ଡାଳିମ୍ବ ପତ୍ର, ପିଜୁଳିପତ୍ର, ଦୁଦୁରା ପତ୍ର, ଲ୍ୟାଂଟେନା କ୍ୟାମେଲା ପତ୍ରକୁ ୧୦ ଲିଟର ଗୋମୁତ୍ରରେ ବଡ଼ପାତ୍ରରେ ମିଶାଇ ୫ଥର ଫୁଟାଇ ଆଉଟେଇବାକୁ ପଡ଼ିବ। ପରେ ତାହା ଛାଣିଦେଇ ଏହି ମିଶ୍ରଣକୁ ୨୪ ଘଂଟା ପଚାଇବା ପରେ ଏହା ବ୍ରହ୍ମାସ୍ତ୍ର ଭାବେ ୬ ମାସ ପର୍ଯ୍ୟନ୍ତ ବ୍ୟବହାର କରିହେବ। ପ୍ରତି ଏକରରେ ୨ଲିଟର ବ୍ରହ୍ମାସ୍ତ୍ରକୁ ୧୦୦ ଲିଟର ପାଣିରେ ମିଶାଇ ସିଂଚନ କଲେ ଛୋଟରୁ ବଡ଼ ରୋଗପୋକ ଦୂରେଇ ଯିବ ବୋଲି ସେ କହିଛନ୍ତି।

ଫଳ କାଟୁଥିବା ପୋକ ପାଇଁ ଅଗ୍ନିଅସ୍ତ୍ର

ଦେଶୀ ଗାଈ ମୁତ୍ର ୧୦ ଲିଟର, ୫ଶହ ଗ୍ରାମ କୁଟା ହୋଇଥିବା ଶୁଖିଲା ଲଙ୍କା, ୧ କେଜି କୁଟା ହୋଇଥିବା ଧୂଆଁ ପତ୍ର, ୫ଶହ ଗ୍ରାମ ବଟା ରସୁଣ ଓ ୫କେଜି ନିମ ପତ୍ର ବଟାକୁ ନେଇ ଭଲ ଭାବେ ମିଶାଇ ୫ଥର ଫୁଟାଇ ଆଉଟେଇ ଦେବାକୁ ପଡ଼ିବ। ଏହି ମିଶ୍ରଣକୁ ୨୪ ଘଂଟା ପଚାଇବା ପରେ ମିଶ୍ରଣକୁ କପଡ଼ାରେ ଭଲରେ ଛାଣିଦେବାକୁ ପଡ଼ିବ। ଅଗ୍ନିଅସ୍ତ୍ର ପ୍ରସ୍ତୁତିର ୩ ମାସ ପର୍ଯ୍ୟନ୍ତ ବ୍ୟବହାର କରିହେବ। ପ୍ରତି ଏକରରେ ୨ରୁ ଅଢ଼େଇ ଲିଟର ଅଗ୍ନିଅସ୍ତ୍ରକୁ ୧୦୦ ଲିଟର ପାଣିରେ ମିଶାଇ ସିଂଚନ କଲେ ପତ୍ର ମୋଡ଼ୁଥିବା ପୋକ, ଗଛ କାଣ୍ଡ, ଶାଖା, ଚେର ଓ ଫଳକୁ ଖୋଳୁଥିବା ପୋକ ନିବାରଣ କରିହେବ।

ପତ୍ର ଶୋଷୁଥିବା ପୋକ ପାଇଁ ନିମାସ୍ତ୍ର

୧୦୦ ଲିଟର ପାଣି, ୫ କେଜି ଦେଶୀ ଗାଈ ଗୋବର, ୫ଲିଟର ଗୋମୂତ୍ର, ୫କେଜି ନିମ ଗଛ ଛେଦ ବା ନିମ ଖଦା ବା ପତ୍ରକୁ ନେଇ ଡ୍ରମରେ ଭଲ ଭାବେ ମିଶାଇ ପାତ୍ର ବା ଡ୍ରମକୁ ୨୪ ଘଂଟା ପର୍ଯ୍ୟନ୍ତ ଘୋଡ଼ାଇ ରଖାଯାଏ। କାଠି ଦ୍ୱାରା ମିଶ୍ରଣକୁ ଦୁଇଥର ଭଲ ଭାବେ ଗୋଳାଇବାକୁ ପଡ଼େ। ୨୪ ଘଂଟା ପରେ ମିଶ୍ରଣକୁ କନା ଦ୍ୱାରା ଛାଡ଼ି ନିମାସ୍ତ୍ର ଭାବେ ପ୍ରୟୋଗ କରାଯାଇପାରେ।

ଏକ ବଡ଼ପାତ୍ରରେ ନୀମାସ୍ତ୍ରକୁ ସଂଗ୍ରହ କରି ସେଥିରେ ପାଣି ନ ମିଶାଇ ସନ୍ଧ୍ୟା ସମୟରେ ଗଛ ଉପରେ ସିଂଚିବାକୁ ପଡ଼େ। ଏହାକୁ ୧ ସପ୍ତାହ ମଧ୍ୟରେ ବ୍ୟବହାର କରିବାକୁ ପଡ଼େ। ଏହାଦ୍ୱାରା ପତ୍ରର ରସ ଶୋଷୁଥିବା ପୋକ ଓ ମିଲିବଗ ପୋକ ନଷ୍ଟ ହୋଇଯାଆନ୍ତି।

ଜୀବାମୃତରୁ ବୀଜାମୃତ

ଦେଶୀ ଗାଈର ୧୦ କେଜି ସଜ ଗୋବର, ଦେଶୀ ଗାଈର ୧୦ଲିଟର ମୂତ୍ର, ଗୁଡ଼ ୨କେଜି, କଳାଚଣା, ନାଲିଚଣା, ମଟର କିମ୍ବା ହରଡର ଗୁ଼ଣ୍ଡ ୨ କେଜି, କୂଳ, ନଳକୂପ କିମ୍ବା ନଦୀର ୨ଶହ ଲିଟର ପରିଷ୍କାର ପାଣି, ସାର ପଡ଼ିନଥିବା ଚାଷ ଜମିରୁ ମୁଠାଏ ମାଟିକୁ ନେଇ ଏହାକୁ ଏକାଠି କରି ପ୍ରସ୍ତୁତ କରାଯାଏ।

ମିଶ୍ରଣକୁ ୩ ଦିନ ପର୍ଯ୍ୟନ୍ତ ଝୋଟ ବସ୍ତାରେ ଘୋଡ଼ାଇ ରଖାଯାଏ। ଝୋଟ ବସ୍ତାରେ ଘୋଡ଼ା ଯାଇଥିବାରୁ ଏଥିରୁ ବିଷାକ୍ତ ଆମୋନିଆ, ମିଥେନ, କାର୍ବନ ମନୋକସାଇଡ୍ ଓ କାର୍ବନ ଡାଇଅକ୍ସାଇଡ୍ ଭଳି ଗ୍ୟାସ ନିର୍ଗତ ହୋଇଯାଏ।

୩ ଦିନ କାଳ ପ୍ରତିଦିନ ୩ ଥର ଲେଖାଏଁ ଘାଂଟିବାକୁ ପଡ଼ିଥାଏ। ୩ ଦିନ ପରେ ଏହା ବ୍ୟବହୃତ କରିହୁଏ। ଏହା କୌଣସି ସାର ନୁହେଁ, ବରଂ ଅସଂଖ୍ୟ ଅଣୁଜୀବର ଏକ ପ୍ରଭାବଶାଳୀ କଲ୍‌ଚର ମାତ୍ର। ଏଥିରେ ହରମୋନ ଭରପୂର ରହିଥିବାରୁ ଏହା ବହୁତ ଉପଯୋଗୀ। ଏହାକୁ ଆହୁରି ପ୍ରକ୍ରିୟାକରଣ ମାଧ୍ୟମରେ ୭ଦିନ ମଧ୍ୟରେ ବ୍ୟବହାର କରିବାକୁ ପଡ଼େ।

ଜୀବାମୃତ ଗଛ ଓ ଫସଲ ପାଇଁ ଅମୃତ ସଦୃଶ ବୋଲି ମାନସ କହିଛନ୍ତି। ସେହିପରି ବୀଜାମୃତ ସ୍ରସ୍ତୁତି ପାଇଁ ୨୦ ଲିଟର ପାଣିରେ ୫କେଜି ଦେଶୀ ଗାଈ ଗୋବରକୁ କପଡ଼ାରେ ଝୁଲାମଣି ଭଳି ବାନ୍ଧି ୧୨ ଘଣ୍ଟା ପାଣିରେ ବୁଡ଼ାଇ ରଖିବା ପରେ ୩ ଥର କ୍ରମାଗତ ଭାବେ ଚିପୁଡ଼ି ଗୋବର ଝୁଲାକୁ କାଢ଼ିଦେବାକୁ ପଡ଼ିବ।

ସେଇ ପାଣିରେ ମୁଠାଏ ମାଟିକୁ ଭଲ ଭାବେ ମିଶାଇବାକୁ ପଡ଼ିବ। ସେଇ ନିର୍ଦିଷ୍ଟ ସମୟ ବ୍ୟବଧାନ ୧୨ ଘଂଟା ପର୍ଯ୍ୟନ୍ତ ୧ ଲିଟର ପାଣିରେ ୫୦ ଗ୍ରାମ ଚୁନ ମିଶାଇ ରଖାଯିବ। ଶେଷରେ ଚୁନ ପାଣି ଓ ଗୋବର ପାଣିକୁ ୫ଲିଟର ଦେଶୀ ଗାଈ ମୂତ୍ରରେ ମିଶାଇ ବୀଜାମୃତ ପ୍ରସ୍ତୁତି କରାଯାଇପାରିବ।

ଏହା ବିହନ ଶୁଦ୍ଧି ପାଇଁ କାମ ଦିଏ। ୪୮ ଘଂଟା ମଧ୍ୟରେ ଏହାକୁ ବିହନ ଉପରେ ଭଲ ଭାବେ ଛିଂଚି ବିହନକୁ ଦୁଇ ହାତରେ ଘଷି ଛାଇରେ ଶୁଖାଇଲେ ତାହା ବେଶ୍ ଉପାଦେୟ ହୋଇଥାଏ।

Comment