ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହେଲା ପଦୋନ୍ନତି ଅଦାଲତ। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହି ଅଦାଲତ ଆରମ୍ଭ ହୋଇଛି।

ଏହି ଅଦାଲତରେ ଯେଉଁ ସରକାରୀ କର୍ମଚାରୀମାନେ ପଦୋନ୍ନତିରୁ ବଞ୍ଚିତ ଅଛନ୍ତି ସେମାନଙ୍କର ଅଭିଯୋଗର ଶୁଣାଣି କରାଯିବ। ଏଥିସହିତ ସେମାନଙ୍କୁ ନିଜର ଯୋଗ୍ୟତା ଅନୁସାରେ ପଦୋନ୍ନତି ଦିଆଯିବ। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ଅଦାଲତ ତିନି ଦିନ ଧରି ଚାଲିବ।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସହ ମୋଟ୍ ଛଅଟି ସ୍ଥାନରେ ଏହି ଅଦାଲତ ଆରମ୍ଭ  କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏଥିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର କର୍ମଚାରୀମାନଙ୍କ ଶୁଣାଣି କରାଯାଉଛି। ଏହାପରେ ଯୋଜନା ଓ ସଂଯୋଜନା ବିଭାଗର କର୍ମଚାରୀମାନଙ୍କ ଅଭିଯୋଗର ଶୁଣାଣି ହେବ ବୋଲି ସୂଚନା ମିଳିଛି।

ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସରକାରୀ କର୍ମଚାରୀମାନେ ପ୍ରଶଂସା କରିଛନ୍ତି। ସେମାନେ କହିଛନ୍ତି ଯେଉଁ ସରକାରୀ କର୍ମଚାରୀମାନେ ବିନା କୌଣସି କାରଣରେ ଯୋଗ୍ୟତା ଥାଇ ମଧ୍ୟ ପଦୋନ୍ନତି ପାଇନାହାନ୍ତି, ସେହି କର୍ମଚାରୀମାନେ ଏହାଦ୍ୱାରା ଲାଭବାନ ହୋଇପାରିବେ। ଏହା ସରକାରୀ କର୍ମଚାରୀମାନଙ୍କୁ ପଦୋନ୍ନତି ଦେବାରେ ସହାୟକ ହେବ ବୋଲି କୁହାଯାଉଛି।

Comment