ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଟିଏ ତିଥିରେ ରଥଯାତ୍ରା ଆୟୋଜନ ନିଷ୍ପତ୍ତିକୁ ମାନୁ ନାହାନ୍ତି ଇସ୍କନ କର୍ତ୍ତୃପକ୍ଷ।

ସୁଧରୁନି ଇସ୍କନ୍‌। ମନଇଚ୍ଛା କରୁଛି ରଥ ଯାତ୍ରା। ଗୋଟିଏ ତିଥିରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା କରିବା ପାଇଁ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଆଲୋଚନା ହୋଇଥିଲେ ମଧ୍ୟ ଏହାକୁ ଗ୍ରହଣ କରୁ ନାହାନ୍ତି ଇସ୍କନ କର୍ତ୍ତୃପକ୍ଷ। ଫଳରେ ଅଦିନରେ ଆଜି ମୁମ୍ବାଇରେ ରଥଯାତ୍ରା ଅନୁଷ୍ଠିତ ହୋଇଛି।

ଇସ୍କନର ଏହି ରଥଯାତ୍ରାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଗନ୍ନାଥ ସଂସ୍କୃତି ଗବେଷକ, ସେବାୟତ ଏହାକୁ ନେଇ ସମାଲୋଚନା କରିଛନ୍ତି।

ଗତ ନଭେମ୍ବର ୨୭ରେ ପଞ୍ଜାବର ଲୁଧିଆନାରେ ରଥଯାତ୍ରା ଆୟୋଜନ କରିବା ପାଇଁ ଇସ୍କନ କର୍ତ୍ତୃପକ୍ଷ ଉଦ୍ୟମ କରିଥିଲେ। ଏହି ଖବର ପ୍ରଘଟ ହେବା ପରେ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଅଦିନରେ ରଥଯାତ୍ରା ଆୟୋଜନ କରିବା ଜଗନ୍ନାଥ ସଂସ୍କୃତିର ବିରୋଧୀ ବୋଲି ଇସ୍କନକୁ ବୁଝାଇ ଦିଆଯାଇଥିଲା। ଶେଷରେ ଇସ୍କନ ଏହି ରଥଯାତ୍ରା ଆୟୋଜନରୁ ଓହରି ଯାଇଥିଲା

ସେହିପରି ଡିସେମ୍ବର ୨୮ରେ ମଧ୍ୟ ଗାଜିଆବାଦରେ ରଥଯାତ୍ରା ଆୟୋଜନ କରିବାକୁ ଉଦ୍ୟମ କରିଥିଲା ଇସ୍କନ୍‌। ହେଲେ ବିରୋଧ ହେବାରୁ ସେଥିରୁ ମଧ୍ୟ ଓହରି ଯାଇଥିଲା। ଏବେ ମୁମ୍ବାଇରେ କାହିଁକି ଅଦିନରେ ରଥଯାତ୍ରା ପାଳନ କରାଗଲା ବୋଲି ପ୍ରଶ୍ନବାଚୀ ଉଠିଛି। ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ବ୍ୟବସାୟ କରାଯାଉଥିବା ଶ୍ରୀମନ୍ଦିର ସେବାୟତମାନେ କହିଛନ୍ତି।

‘‘ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ବ୍ୟବସାୟ କରାଯାଉଛି। ଜଗନ୍ନାଥ ସଂସ୍କୃତିକୁ ଇସ୍କନ ସଂସ୍ଥା ଭଳଭାବେ ବୁଝିନି। ରଥଯାତ୍ରା ପାଳନ କରିବା ପୂର୍ବରୁ ସେମାନଙ୍କୁ ପ୍ରଥମେ ଜଗନ୍ନାଥ ସଂସ୍କୃତି ବିଷୟରେ ବୁଝିବା ଦରକାର’’, କହିଛନ୍ତି ପୁରୀ ଶ୍ରୀମନ୍ଦିରର ସେବାୟତ।

ପ୍ରତି ବର୍ଷ ଆଶାଢ଼ ଦ୍ଵିତୀୟ ଶୁକ୍ଲପକ୍ଷରେ ପୁରୀରେ ଅନୁଷ୍ଠିତ ହୋଇଥାଏ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଅନ୍ୟ ରାଜ୍ୟରେ ଥିବା ଜଗନ୍ନାଥ ମନ୍ଦିରରେ ମଧ୍ୟ ଏହି ତିଥି ଅନୁସାରେ ରଥଯାତ୍ରା ପାଳନ କରାଯାଏ। ଭୁବନେଶ୍ୱର ଇସ୍କନ ପକ୍ଷରୁ ମଧ୍ୟ ଏହି ତିଥିରେ ରଥଯାତ୍ରା ହୋଇଥାଏ। ହେଲେ ବାହାରେ ଇସ୍କନ କର୍ତ୍ତୃପକ୍ଷ କାର୍ହିକି ଅଦିନିଆ ରଥଯାତ୍ରା ପାଳନ କରୁଛନ୍ତି ତାକୁ ନେଇ ଝଡ଼ ଉଠିଛି।

ଗତ ନଭେମ୍ବର ମାସରେ ଲୁଧିଆନା ଏବଂ ଡିସେମ୍ବର ମାସରେ ଗାଜିଆବାଦ ରଥଯାତ୍ରା ଆୟୋଜନରୁ ଓହରିବା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଥିଲା। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଗଜପତି ମହାରାଜା ଦିବ୍ୟସିଂହ ଦେବ ଉପସ୍ଥିତ ଥିଲେ। ପୁରୀରେ ଯେଉଁଦିନ ରଥଯାତ୍ରା ପାଳନ ହେଉଛି ସେହି ତିଥିରେ ବିଶ୍ୱର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳନ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ସମ୍ପର୍କରେ ବିଭିନ୍ନ ସଂସ୍ଥାକୁ ଅବଗତ କରାଯାଇଥିଲେ ମଧ୍ୟ ଇସ୍କନ କର୍ତ୍ତୃପକ୍ଷ କାହିଁକି ମୁମ୍ବାଇରେ ଆଜି ରଥଯାତ୍ରା ଆୟୋଜନ କଲେ ତାହା ହିଁ ବଡ଼ ପ୍ରଶ୍ନ।

‘‘ଶାସ୍ତ୍ର ଅନୁସାରେ ପୁରୀରେ ଯେମିତି ଆଶାଢ଼ ମାସରେ ରଥଯାତ୍ରା ପାଳନ କରାଯାଉଛି ଆମେ ମଧ୍ୟ ଠିକ୍‌ ସେମିତି ଶାସ୍ତ୍ର ଅନୁସାରେ ରଥଯାତ୍ରା ଆୟୋଜନ କରୁଛୁ। ଶାସ୍ତ୍ର ଅନୁସାରେ ଆମେ ବସନ୍ତ ପଞ୍ଚମୀ ତିଥିରେ ରଥଯାତ୍ରା ଆୟୋଜନ କରିଛୁ’’, କହିଛନ୍ତି ମୁମ୍ବାଇ ଇସ୍କନ ସଂସ୍ଥାର ଜଣେ ସଦସ୍ୟ।

ତେବେ ଭୁବନେଶ୍ୱର ଇସ୍କନ କର୍ତ୍ତୃପକ୍ଷ ନିଜ ମୁଣ୍ଡରୁ ସବୁ ଦୋଷ ଖସାଇ ଦେଇଛନ୍ତି। ସେଠାକାର ସରକାର କାହିଁକି ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦେଲେ ତାଙ୍କୁ ପଚରାଯାଉ ବୋଲି କହିଛନ୍ତି। ଏହାସହ ଆମେ ଆଲୋଚନା ଜାରି ରଖିଛୁ ବୋଲି କହିଛନ୍ତି।

ଜଗନ୍ନାଥ ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥ କହିଛନ୍ତି, “ଇସ୍କନମାନେ ହିନ୍ଦୁ ନୁହନ୍ତି, ସେମାନେ ଅଣହିନ୍ଦୁ। ବାହାରୁ ଟଙ୍କା ଆଦାୟ କରିବା ପାଇଁ ସେମାନ ଏମିତି କରୁଛନ୍ତି। ଧର୍ମ ନାଁରେ ସେମାନେ ଲୋକଙ୍କୁ ଠକୁଛନ୍ତି। ସେମାନେ ହିନ୍ଦୁ ଶାସ୍ତ୍ରର ବିରୋଧୀ।”

ତେବେ ପ୍ରଶ୍ନ ଉଠୁଛି କେଉଁ ସାହସରେ ମୁମ୍ବାଇରେ ଅଦିନିଆ ରଥଯାତ୍ରା ପାଳନ ହେଲା? ଗୋଟିଏ ତିଥିରେ ରଥଯାତ୍ରା ପାଳନ ପାଇଁ ଶ୍ରୀମନ୍ଦିର ପ୍ରଶାସନ କ’ଣ ଇସ୍କନ ସଂସ୍ଥା ସହ ଆଲୋଚନା କରି ନଥିଲେ? ଯଦି କରିଥିଲେ ମୁମ୍ବାଇରେ କାହିଁକି ବ୍ୟତିକ୍ରମ ଦେଖାଦେଲା? ଏହା ଉପରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Comment