ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ଅଡୁଆରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଅନୁଭବଙ୍କ ନାଁରେ ମିଥ୍ୟା ସତ୍ୟପାଠ ଅଭିଯୋଗ। ୨୦୧୪ ନିର୍ବାଚନ ବେଳେ ଅନୁଭବ ଦାଖଲ କରିଥିବା ସାର୍ଟିଫିକେଟ ଜାଲ ବୋଲି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି।

ଆର୍‌ଟିଆଇ ତଥ୍ୟ ଅନୁସାରେ ଅନୁଭବ ବର୍ତ୍ତମାନ କଟକ କନ୍ଦରପୁର କଲେଜର ଛାତ୍ର ଅଛନ୍ତି। ବର୍ତ୍ତମାନ ସୁଦ୍ଧା ସେ କନ୍ଦରପୁର କଲେଜରୁ ମାଇଗ୍ରେସନ ସାର୍ଟିଫିକେଟ ନେଇ ନାହାନ୍ତି। ହେଲେ ୨୦୧୪ ନିର୍ବାଚନୀ ସତ୍ୟପାଠ ଅନୁସାରେ ଅନୁଭବ ମିରଟର ସୋଭିଏତ୍‌ ୟୁନିଭରସିଟି ଅଫ ଟେକ୍ନୋଲୋଜିରୁ ଗ୍ରାଜୁଏସନ୍‌ କରିଥିବା ସୂଚନା ମିଳିଛି।

ହେଲେ ଅନୁଭବ ମିରଟ୍‌ର ଯେଉଁ ବିଶ୍ଵବିଦ୍ୟାଳୟରୁ ଗ୍ରାଜୁଏସନ୍‌ ପାସ୍‌ କରିଥିବା ଉଲ୍ଲେଖ କରିଛନ୍ତି, ସେହି ବିଶ୍ଵ ବିଦ୍ୟାଳୟକୁ ୨୦୧୦ରେ କେନ୍ଦ୍ର ମାନବ ସମ୍ଵଳ ମନ୍ତ୍ରାଳୟ ପକ୍ଷରୁ ଡିରେକଗନାଇଜ କରାଯାଇ ଥିବା ନେଇ କଂଗ୍ରେସ ଅଭିଯୋଗ କରିଛି।

ତେଣୁ ଏଠାରେ କଂଗ୍ରେସ ପ୍ରଶ୍ନ କରିଛି ଯେ, ଗୋଟେ ବିନା ସ୍ଵିକୃତୀ ପ୍ରାପ୍ତ କଲେଜରେ ଅନୁଭବ କେମିତି ପାଠ ପଢ଼ିଲେ? ଅନ୍ୟପକ୍ଷରେ କନ୍ଦରପୁର କଲେଜରୁ ସେ ମାଇଗ୍ରେସନ ନେଇ ନାହାନ୍ତି, ବିନା ମାଇଗ୍ରେସନରେ ସେ କେମିତି ଆଡ୍‌ମିସନ କଲେ?

ଏହାସହ ଅନୁଭବଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର।

Comment