ଓଡ଼ିଶାଲାଇଭ୍‌ ବ୍ୟୁରୋ

ସହରାଞ୍ଚଳରେ ବିନା ଅନୁମୋଦନରେ ନିର୍ମାଣ ହୋଇଥିବା ଗୃହକୁ ଅନୁମୋଦନ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ‘ସର୍ବକ୍ଷମା’ ଯୋଜନାର ଅବଧି ଆଉ ୧୫ ଦିନ ପାଇଁ ବଢ଼ିଲା। ଏନେଇ ଆଜି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

‘‘ସର୍ବକ୍ଷମା ଯୋଜନାରେ ଆମେ ଲୋକଙ୍କ ଆଗ୍ରହ ଦେଖିବାକୁ ପାଇଲୁ। ଶେଷ ମୁହୂର୍ତ୍ତରେ ବି ବହୁତ ଲୋକ ଆବେଦନ କରୁଛନ୍ତି। ଜନସାଧାରଣଙ୍କ ସୁବିଧା ପାଇଁ ଆମେ ଏହି ସର୍ବକ୍ଷମା ଯୋଜନାକୁ ଆଉ ୧୫ ଦିନ ପାଇଁ ବୃଦ୍ଧି କରୁଛୁ। ୧୫ ଦିନର ମହଲତ ସରିବା ପରେ ଆଉ ସୁଯୋଗ ମିଳିବ ନାହିଁ’’, କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା।

ସୂଚନା ମୁତାବକ, ସର୍ବକ୍ଷମା ଯୋଜନାରେ ହିତାଧିକାରୀଙ୍କୁ ବିଭିନ୍ନ ବିଭାଗରେ ବଣ୍ଟାଯାଇଛି। ୯ଟି ଉନ୍ନୟନ କର୍ତ୍ତୃପକ୍ଷ ଅଞ୍ଚଳରେ ଏହି ନିୟମ ଲାଗୁ ହୋଇଥିଲା। ମହାନଗର ନିଗମ, ମ୍ୟୁନିସିପାଲିଟି, ଏନଏସି ଓ ଗ୍ରାମାଞ୍ଚଳ ଭଳି ୪ଟି ଭାଗରେ ବିଭକ୍ତ କରାଯାଇଛି। କମ୍ପାଉଣ୍ଡିଂ ଫି, ଏଫଏଆର ମୁଲ୍ୟ(ବେଞ୍ଚମାର୍କ ମୁଲ୍ୟ) ଏବଂ ପାର୍କିଂ ଫି ହିସାବ କରି ଜରିମାନା ଧାର୍ଯ୍ୟ କରାଯାଇଛି । ବିଭିନ୍ନ କର୍ତ୍ତୃପକ୍ଷଙ୍କ ପାଇଁ ଭିନ୍ନ ନିୟମ ଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ରହିଛି।

ସର୍ବକ୍ଷମା ଯୋଜନା କ’ଣ?

ସହରାଞ୍ଚଳରେ ବିନା ଅନୁମୋଦନରେ ନିର୍ମାଣ ହୋଇଥିବା ଗୃହକୁ ଅନୁମୋଦନ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ସର୍ବକ୍ଷମା’ ଯୋଜନା। ୨୦୧୮ ଜୁନ୍‌ ୨୦ରେ ନଗର ଉନ୍ନୟନ ବିଭାଗ ସର୍ବକ୍ଷମା ଯୋଜନା ଆରମ୍ଭ କରିଥିଲେ।

ଏହି ଯୋଜନା ଅନୁସାରେ ହିତାଧିକାରୀ ଜରିମାନା ଦେଇ ଅନିୟମିତତାକୁ ନିୟମିତ କରିପାରିବେ। ରାଜ୍ୟର ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷ ଓ ଆଞ୍ଚଳିକ ବିକାଶ ପରିଷଦ ଏବଂ ପୌର ସଂସ୍ଥା ଅଧୀନରେ ଥିବା ନିର୍ମାଣ ଲାଗି ଏହା ଉଦ୍ଦିଷ୍ଟ।

ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମୋଦନ ହୋଇ ନଥିବା ଗୃହକୁ ଅନୁମୋଦନ ଦେବାରେ ଏହି ଯୋଜନା ସାହାଯ୍ୟ କରିଥାଏ। ଏହି ଯୋଜନାରେ ସମସ୍ତ ନିର୍ମାଣ କାର୍ଯ୍ୟ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପରିସୀମା ଭିତରେ ହେବ।

Comment