ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ବିଶ୍ୱ କର୍କଟ ଦିବସ। କ୍ୟାନ୍‌ସର ସମୟରେ ଲୋକଙ୍କୁ ସଚେତନ କରାଇବା ଏହି ଦିବସର ମୂଳ ଲକ୍ଷ୍ୟ। ତେବେ ଜାଣନ୍ତୁ, ଓଭାରି କ୍ୟାନ୍‌ସରର କାରଣ ଓ ଏହାର ନିରାକରଣ?

ସାଧାରଣତଃ ମହିଳାମାନେ ଗର୍ଭାଶୟ, ଅଣ୍ଡାଶୟ ଏବଂ ସ୍ତନ କର୍କଟର ଅଧିକ ଶିକାର ହୋଇଥା’ନ୍ତି। ଅବହେଳା ଏବଂ ସଚେତନତାର ଅଭାବରୁ ମହିଳାମାନଙ୍କୁ କ୍ୟାନସର ହୋଇଥାଏ। ଏହି ଓଭାରି କ୍ୟାନସର ବିଷୟରେ ‘ଓଡ଼ିଶାଲାଇଭ୍’କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଦିପକ ଦାସ।

ଓଭାରି କ୍ୟାନ୍‌ସର ସାଧାରଣତଃ ମହିଳାମାନଙ୍କଠାରେ ଦେଖିବାକୁ ମିଳେ। ଏହାପଛରେ ବିଭିନ୍ନ ପ୍ରକାର କାରଣ ରହିଛି। ଯେପରିକି ନଲ୍ଲୀପାରସ୍ ବା ନଲ୍ଲୀପାରିଟି, ହର୍ମୋନ୍ ରିପ୍‌ଲେସ୍ ମେଣ୍ଟ ଥେରାପି, ଜେନେଟିକ ବା ବଂଶାନୁକ୍ରମିକ।

ଓଭାରି କ୍ୟାନ୍ସର ବା ଗର୍ଭାଶୟ କର୍କଟର କାରଣ?

 

କେବେ ବି ଗର୍ଭଧାରଣ କରି ନଥିଲେ ବା ପ୍ରସବ ହୋଇ ନଥିଲେ ତାହାକୁ “ନଲ୍ଲୀପାରସ୍” କୁହାଯାଏ। କେତେକ କ୍ଷେତ୍ରରେ ଓଭାରି କ୍ୟାନ୍‌ସର ଜେନେଟିକ କାରଣରୁ ମଧ୍ୟ ହୋଇଥାଏ। ଯଦି ଘରେ ପୂର୍ବରୁ କିଏ ଓଭାରି କ୍ୟାନ୍ସରରେ ପୀଡ଼ିତ ଥା’ନ୍ତି, ତେବେ ତାଙ୍କର କୌଣସି ପିଢ଼ିର ମହିଳାଙ୍କୁ ଓଭାରି କ୍ୟାନ୍ସର ହେବାର ଆଶଙ୍କା ଥାଏ।

ବ୍ରେଷ୍ଟ୍ କ୍ୟାନ୍ସରରେ ପୀଡ଼ିତ ମହିଳାଙ୍କ ମଧ୍ୟରେ ୧୫ରୁ ୨୦ ପ୍ରତିଶତ ଓଭାରି କ୍ୟାନ୍ସର୍ ହେବାର ଆଶଙ୍କା ରହିଥାଏ। ୩୦ରୁ ୭୦ ବର୍ଷ ବୟସର ମହିଳାଙ୍କୁ ଓଭାରି କ୍ୟାନ୍ସର୍ ହେବାର ଆଶଙ୍କା ଥାଏ।

ବର୍ତ୍ତମାନର ଛୋଟପିଲା ଓ ଯୁବପିଢ଼ି ବି ଓଭାରି କ୍ୟାନ୍ସର୍‌ର ଶିକାର ହେଉଛନ୍ତି। ପରିବାରରେ କୌଣସି ସଦସ୍ୟ ଓଭାରି କ୍ୟାନ୍ସର୍‌ରେ ପୀଡ଼ିତ ଥିଲେ ସେହି ଜିନ୍‌ ପରିବାରର ଯୁବପିଢ଼ିକୁ ବି ଆକ୍ରାନ୍ତ କରେ। ଏହାକୁ ଆମେ ବଂଗଶତ ରୋଗ ବୋଲି ବି କହିପାରିବା।

ମାଆ କିମ୍ବା ମାଉସୀଙ୍କୁ ବ୍ରେଷ୍ଟ୍ କ୍ୟାନ୍ସର୍ ତଥା ଓଭାରି କ୍ୟାନ୍ସର୍ ହୋଇଥିଲେ, ତାହା ପିଢ଼ି ପରେ ପିଢ଼ି ବ୍ୟାପେ। ଏପରି କ୍ଷେତ୍ରରେ ଗୋଟିଏ ଝିଅର ବୟସ ଅର୍ଥାତ୍ ୧୯ରୁ ୨୦ ବର୍ଷ ହେବା ପରେ ବ୍ରେଷ୍ଟ ଓ ଓଭାରି ସମ୍ବନ୍ଧୀୟ ସମସ୍ତ ଜେନେଟିକ ଟେଷ୍ଟ୍ ତଥା ଜେନେଟିକ କାଉନସିଲିଂ କରାଯାଇଥାଏ।

ଜେନେଟିକ୍ ଟେଷ୍ଟରେ ଗୋଟିଏ ଝିଅର ବ୍ରାକା-୧, ବ୍ରାକା-୨, ସିଏ ୧୨୫ ଭଳି ବିଭିନ୍ନ ପରୀକ୍ଷା କରାଯାଏ। ଏହିସବୁ ପରୀକ୍ଷାରୁ ଓଭାରି କ୍ୟାନ୍ସର୍ ହେବା ସମ୍ଭାବନା କେତେ ପରିମାଣରେ ରହିଛି ତାହା ସ୍ପଷ୍ଟ ଭାବେ ଜଣାପଡ଼ିଥାଏ।

ଓଭାରି କ୍ୟାନ୍ସର୍ ଶାରିରୀକ ସମ୍ପର୍କ ଉପରେ କୌଣସି କୁପ୍ରଭାବ ପକାଇନଥାଏ। କିନ୍ତୁ ଗର୍ଭଧାରଣ ନ କରିବା ସମସ୍ୟାର କାରଣ ହୋଇପାରେ। ଗର୍ଭଧାରଣ କରିବା ବି ନିହାତି ଜରୁରି। ଗର୍ଭଧାରଣ ନ ହେଲେ ଶରୀରରେ ହରମୋନ୍‌ ଅସନ୍ତୁଳନ ହୋଇଥାଏ।

ଓଭାରି କ୍ୟାନ୍ସରର ଲକ୍ଷଣ

ଓଭାରି କ୍ୟାନ୍ସରର ବିଭିନ୍ନ ପ୍ରକାର ଲକ୍ଷଣ ରହିଛି। ଯେପରିକି ପେଟ ଦରଜ ରହିବା, ମାସିକ ୠତୁଚକ୍ର ଠିକ୍ ଭାବେ ନ ହେବା, ବୟସ୍କ ମହିଳାଙ୍କ ପେଟ ଫୁଲିଯିବା, ପେଟରେ ପାଣି ଜମିବା ଯାହାକୁ ଏସ୍‌ଆଇଟିସ୍ ବୋଲି କୁହାଯାଏ। ଗୋଟିଏ ରୁଟିନ୍ ସ୍କ୍ରିନିଙ୍ଗ୍ ଟେଷ୍ଟ୍ କରାଗଲା ବେଳେ ସେଥିରେ ଗୋଟିଏ ଟ୍ୟୁମର୍ ମାର୍କ ଥାଏ। ସିଏ- ୧୨୫, ସିଏ- ୧୯.୯ ଆଦି ବିଭିନ୍ନ ଟ୍ୟୁମର୍ ମାର୍କ ଟେଷ୍ଟ୍ ରହିଛି। ଯେଉଁଥିରେ ଆକସ୍ମିକ ଭାବେ ଓଭାରି କ୍ୟାନ୍ସରର ସଙ୍କେତ ମିଳେ। ଏହାପରେ ସ୍କାନ କରି କ୍ୟାନ୍ସର୍ ହୋଇଛି ନା ନାହିଁ ସ୍ପଷ୍ଟ କରାଯାଏ।

ଟ୍ୟୁମର୍ ମାର୍କ ଟେଷ୍ଟରେ ଓଭାରି କ୍ୟାନ୍ସର୍ ଥିବା ସ୍ପଷ୍ଟ ହେବା ପରେ ରୋଗୀକୁ ସ୍ତ୍ରୀପ୍ରସୂତି ବିଶେଷଜ୍ଞ ବା ଗାଇନାକୋଲୋଜିଷ୍ଟଙ୍କ ପାଖକୁ ପରୀକ୍ଷା ନିରୀକ୍ଷା କରିବା ପାଇଁ ପଠାଯାଏ। ସେଠାରେ ଗାଇନିକ୍ ସମ୍ବନ୍ଧୀୟ ସମସ୍ତ ପରୀକ୍ଷା, “ପର୍ ଭେଜିନାଲ୍” ପରୀକ୍ଷା କରାଯାଏ।

“ଏଣ୍ଡୋମେଟ୍ରିଆଲ୍ ବାୟୋପ୍ସି” ପରୀକ୍ଷା କରାଯାଏ। ଏଣ୍ଡୋମେଟ୍ରିଆଲ୍ ଯନ୍ତ୍ରରେ ବାୟୋପ୍ସି ଏହି ପରୀକ୍ଷା ହୁଏ।

ପେଟରେ ଜମିଥିବା ପାଣିକୁ ଆଣି ସାଇଟ୍ରୋଲୋଜିକାଲ୍ ପରୀକ୍ଷା କରାଯାଏ। ଯାହାକୁ “ଆସେଟିକ୍ ଫିଡ୍ ଏଗ୍ଜାମିନେସନ୍” ବୋଲି କୁହାଯାଏ। ଏହି ପରୀକ୍ଷଣରେ ଓଭାରିର କ୍ୟାନ୍ସର୍ ଟାଇପ୍ ବା ପ୍ରକାର ଜଣାପଡ଼େ। ଓଭାରି କ୍ୟାନ୍ସର ବିଭିନ୍ନ ଟାଇପ୍ ରହିଛି। ଏହାର ପରିବର୍ତ୍ତୀ ପର୍ଯ୍ୟାୟ ହେଲା ସ୍କାନିଂ। ସିଟି ସ୍କାନ୍, ଏମ୍ଆର୍ ଆଇ ସ୍କାନ୍ ଜରିଆରେ ରୋଗଟି କେଉଁ ଜାଗାରେ ହୋଇଛି ଏବଂ କେତେ ଦୂର ବ୍ୟାପିଛି ତାହା ଜାଣିହୁଏ। ଏହି ସବୁର ରିପୋର୍ଟ ଦେଖିବା ପରେ ଗାଇନାକୋଲୋଜିଷ୍ଟ୍ ନିଷ୍ପତ୍ତି ନିଅନ୍ତି କି କ’ଣ କରିବାକୁ ହେବ। ଅପରେସନ୍ କରାଯିବ କି ଔଷଧ ଦ୍ୱାରା ଏହାର ଉପଚାର କରାଯାଇପାରିବ।

ଓଭାରି କ୍ୟାନ୍ସରର ବିଭିନ୍ନ ସୋପାନ ଓ ଏହାର ଉପଚାର

ଓଭାରି କ୍ୟାନ୍ସରର ପ୍ରଥମ ସୋପାନ (ଷ୍ଟେଜ୍-୧)ରେ ଅସ୍ତ୍ରୋପଚାରକୁ ପ୍ରଥମ ପ୍ରାଥମିକତା ଦିଆଯାଏ। ତାହାମଧ୍ୟ ୧-ଏ, ୧-ବି ଭଳି କେତେକ ଗ୍ରେଡ୍ ଉପରେ ନିର୍ଭର କରେ।

ଗୋଟିଏ ସୋପନରେ ଡାକ୍ତରଙ୍କ ସମ୍ପୂର୍ଣ୍ଣ ନିରୀକ୍ଷଣରେ ବିନା କୌଣସି କେମୋ ଥେରାପିରେ କରାଯାଇଥାଏ।

ଜଣେ ମହିଳା କିମ୍ବା ଯୁବତୀ ଗର୍ଭଧାରଣ କରିନଥିବେ ତେବେ ସେହି କ୍ଷେତ୍ରରେ କେବଳ ଗୋଟିଏ ଓଭାରିକୁ ଅସ୍ତ୍ରୋପଚାର ଦ୍ୱାରା ବାହାର କରାଯାଏ। ଆଉ ଯଦି ମହିଳା ଜଣକ ୪୫ ବର୍ଷ ତଥା ତା’ଠାରୁ ଅଧିକ ବୟସର ହୋଇଥିବେ, ତେବେ ତାହାର ଦୁଇଟି ଓଭାରି ବା ଗର୍ଭାଶୟ ଓ ୟୁଟ୍ରେସକୁ ବାହାର କରିଦିଆଯାଏ।

ଯେଉଁ ପରିବାରର ମହିଳାମାନେ ପୂର୍ବରୁ ବ୍ରେଷ୍ଟ୍ କ୍ୟାନ୍ସର୍ କିମ୍ବା ଓଭାରି କ୍ୟାନ୍ସରରେ ପିଡ଼ିତ ଅଛନ୍ତି। ସେମାନଙ୍କର ପରିବାରର ଯୁବତୀମାନେ ଗାଇନାକୋଲଜିଷ୍ଟ ପାଖକୁ ଯାଇ ବ୍ରେଷ୍ଟ ଓ ଓଭାରି ସମ୍ବନ୍ଧୀୟ ସମସ୍ତ ପରୀକ୍ଷା କରିନେବା ଉଚିତ୍ ବୋଲି ଡାକ୍ତର ସରୋଜ ଦାସ ପରାମର୍ଶ ଦେଇଛନ୍ତି।

Comment