ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ତ୍ତମାନର ସମୟରେ ମହିଳାମାନଙ୍କ ପାଇଁ ସ୍ତନ କର୍କଟ ଏକ ଗୁରୁତର ସମସ୍ୟା ରୂପେ ମୁଣ୍ଡ ଟେକିଛି। ସ୍ତନ କର୍କଟର କାରଣ କ’ଣ? ଏହାକୁ କିପରି ଚିହ୍ନିବା? ଏହାର ଉପଚାର କ’ଣ? ସେ ନେଇ ହେମଲତା ହସ୍ପିଟାଲର ସ୍ତନ କର୍କଟ ବିଶେଷଜ୍ଞ ଡାକ୍ତର ଦୀପକ କୁମାର ଦାସଙ୍କୁ ଭେଟିଥିଲେ ଓଡ଼ିଶାଲାଇଭ୍‌ ଟିମ୍‌।

ଜାଣନ୍ତୁ, ଡାକ୍ତର ଦାସ କ’ଣ କହନ୍ତି ସ୍ତନ କର୍କଟର କାରଣ ନିରାକରଣ ବିଷୟରେ…

ପ୍ରତିବର୍ଷ ଅକ୍ଟୋବର ମାସକୁ ସ୍ତନ କର୍କଟ ସଚେତନତା ମାସ ରୂପେ ପାଳନ କରାଯାଏ। ଏହି ସପ୍ତାହ ପାଳନ କରିବା ପଛର କାରଣକୁ ନେଇ ଡାକ୍ତର ଦୀପକ କୁମାର ଦାସ କହିଥିଲେ ଯେ, ଲୋକଙ୍କ ମଧ୍ୟରେ କ୍ୟାନସରର ସଚେତନତା ସୃଷ୍ଟି କରିବା ପାଇଁ ବର୍ଷର ବିଭିନ୍ନ ମାସକୁ ବିଭିନ୍ନ କ୍ୟାନସର ରୋଗ ସହ ଯୋଡ଼ି ଦିଆଯାଇଛି। ଏହି କ୍ରମରେ ସ୍ତନ କର୍କଟ ପାଇଁ ଅକ୍ଟୋବର ମାସକୁ ବଛାଯାଇଛି।

ସ୍ତନ କର୍କଟ ହେବାର କାରଣ କ’ଣ?

ସ୍ତନ କର୍କଟ ହେବା ପଛରେ ଅନେକ କାରଣ ରହିଛି। ଯଦି କୌଣସି ମହିଳା ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ମା’ ହୁଅନ୍ତି, ସେମାନଙ୍କଠାରେ ସ୍ତନ କର୍କଟ ହେବାର ଆଶଙ୍କା ଅଧିକ ଥାଏ।

ସେହିଭଳି ପିଲା ନ ହେଉଥିଲେ ମଧ୍ୟ ସ୍ତନ କର୍କଟ ହେବାର ଆଶଙ୍କା ଦେଖାଦେଇଥାଏ। ବୟସ ବଢ଼ିବା ସହ ରିସ୍କ ମଧ୍ୟ ବଢ଼ି ବଢ଼ି ଚାଲେ।

ଅଧିକ ମଦ୍ୟପାନ ସ୍ତନ କର୍କଟର କାରଣ ହୋଇପାରେ।

କମ୍‌ ବୟସରେ ୠତୁସ୍ରାବ ଆରମ୍ଭ ହେବା ଏବଂ ଅଧିକ ବୟସରେ ୠତୁସ୍ରାବ ବନ୍ଦ ହେବା ସ୍ତନ କର୍କଟର କାରଣ ହୋଇଥାଏ।

ତା’ସହ ମୋଟାପଣ ମଧ୍ୟ ସ୍ତନ କର୍କଟର ଆଉ ଏକ କାରଣ।

ଯଦି କୌଣସି ଲୋକ ହରମୋନାଲ ରିପ୍ଲେସମେଣ୍ଟ ଥେରାପି ନେଉଛନ୍ତି, ତାଙ୍କୁ ଏହି ରୋଗ ହୋଇପାରେ। ବଂଶଗତ କାରଣ ଯୋଗୁଁ ମଧ୍ୟ ସ୍ତନ କର୍କଟ ମହିଳାମାନଙ୍କ ପାଖରେ ଦେଖିବାକୁ ମିଳିଥାଏ। ଯେଉଁମାନଙ୍କ ମା’ କିମ୍ବା ମାଉସୀ, ଭଉଣୀଙ୍କୁ ସ୍ତନ କକର୍ଟ ହୋଇଥାଏ, ତେବେ ତାଙ୍କ ପର ପିଢ଼ିଙ୍କଠାରେ ସ୍ତନ କର୍କଟ ହେବାର ଆଶଙ୍କା ଅଧିକ ଥାଏ। ଏହି ମହିଳାମାନେ ସ୍ତନ କର୍କଟ ପାଇଁ ଅଧିକ ସଚେତନ ହେବା ଜରୁରୀ।

ସ୍ତନ କର୍କଟର ଲକ୍ଷଣ

ସ୍ତନ କର୍କଟ ହେଲେ ଆପଣଙ୍କ ସ୍ତନର ଗୋଟିଏ ପାଖ ଗେଟାଳିଆ ହେଲା ପରି ଲାଗିବ। କାଖରେ ବି ଗେଟାଳିଆ ଭଳି ହୋଇଥାଏ।

ଏହାସହ ସ୍ତନର ଅଗ୍ରଭାଗ ସଙ୍କୁଚିତ ହୋଇଯିବ।

କେତେକ ମହିଳାଙ୍କ କ୍ଷେତ୍ରରେ ସ୍ତନରୁ ରକ୍ତ ମଧ୍ୟ ବାହାରିଥାଏ। ସ୍ତନ କର୍କଟ ହେଲେ କେତେକଙ୍କ ସ୍ତନ ସମ୍ପୂର୍ଣ୍ଣ ଲାଲ ହୋଇଯାଇଥାଏ।

ସ୍ତନ କର୍କଟର କେମିତି କରିବେ ପ୍ରତିକାର?

ଜଣେ ମହିଳା ତାଙ୍କ ସ୍ତନର ଆକାରକୁ ଜାଣିବା ନିହାତି ଦରକାର। କାରଣ ଯଦି ହଠାତ୍ ତାଙ୍କ ସ୍ତନରେ କୌଣସି ପ୍ରକାର ପରିବର୍ତ୍ତନ ଲକ୍ଷ୍ୟ କରନ୍ତି ତେବେ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।

ଡାକ୍ତରଙ୍କଠାରୁ ଉପଯୁକ୍ତ ପରାମର୍ଶ ନେବା ସହ ଚିକିତ୍ସା ସାହାଯ୍ୟରେ ଏହାର ପ୍ରତିକାର କରାଯାଇପାରିବ ବୋଲି ଡାକ୍ତର ଦୀପକ କୁମାର ଦାସ କହିଛନ୍ତି।

ଆଧୁନିକ ସମୟରେ ମାମୋଗ୍ରାଫି ସାହାଯ୍ୟରେ ପରୀକ୍ଷା କରି ମଧ୍ୟ ସ୍ତନ କର୍କଟର ପ୍ରତିକାର କରାଯାଇପାରିବ। ତା’ସହ କେମୋଥେରାପି, ରେଡିଓଥେରାପି ଆଦି ନେଇ ଏହି ରୋଗର ପ୍ରତିକାର କରାଯାଇପାରିବ।

କେଉଁ ବୟସର ପିଲାଙ୍କୁ ହୋଇଥାଏ ସ୍ତନ କର୍କଟ?

ସ୍ତନ କର୍କଟ ଉଭୟ ଯୁବ ଓ ବୟସ୍କ ମହିଳାଙ୍କ ପାଖରେ ଦେଖାଯାଇଥାଏ। ମୁଖ୍ୟତଃ ଯୁବତୀମାନଙ୍କୁ ବଂଶଗତ କାରଣ ଯୋଗୁଁ ସ୍ତନ କର୍କଟ ହୋଇଥାଏ।

ମୋଟାପଣ ବୃଦ୍ଧି ହେବା ଫଳରେ ଶରୀରରେ ଏଷ୍ଟ୍ରୋଜେନ୍‌ ହରମୋନ୍‌  ବୃଦ୍ଧି ପାଇଥାଏ, ଯାହାକି ସ୍ତନ କର୍କଟର ମୁଖ୍ୟ କାରଣ ହୋଇଥାଏ।

ଯୁବବର୍ଗଙ୍କ ସହ ବୟସ୍କ ମହିଳାଙ୍କ ପାଖରେ ମଧ୍ୟ ଏହି ରୋଗ ଦେଖିବାକୁ ମିଳିଥାଏ।  ୭୦ ବର୍ଷ ବୟସ ପର୍ଯ୍ୟନ୍ତ ଏହି ରୋଗରେ ବିପଦ ବଢ଼ି ବଢ଼ି ଚାଲିଥାଏ ବୋଲି କହିଛନ୍ତି ଡାକ୍ତର ଦୀପକ କୁମାର ଦାସ।

ସ୍ତନ କର୍କଟ ଜୀବନ ପାଇଁ ବିପଦ

ଏହି ରୋଗ ହେବା ଦ୍ୱାରା ଯଦି ରୋଗୀ ଜଣକ ଷ୍ଟେଜ୍ ୧, ଷ୍ଟେଜ ୨ ବା ଷ୍ଟେଜ୍‌ ୩ରେ ଅଛନ୍ତି ତେବେ ଏହାର ସମ୍ପୂର୍ଣ୍ଣ ଚିକିତ୍ସା ହୋଇପାରିବ। କିନ୍ତୁ ଯଦି ରୋଗଟି ଷ୍ଟେଜ ୪ରେ ପହଞ୍ଚିଯାଇଛି, ତେବେ ଏହାକୁ ସମ୍ପୂର୍ଣ୍ଣ ଭାବେ ଭଲ କରିବା କଷ୍ଟକର ହୋଇଥାଏ। ଏହା ଜୀବନପ୍ରତି ବିପଦ ମଧ୍ୟ ହୋଇଥାଏ।

ଯଦି ଆପଣ ଏହି ରୋଗକୁ ୨୧ଦିନ ଭିତରେ ଚିହ୍ନଟ କରିବେ, ସଙ୍ଗେସଙ୍ଗେ ଡାକ୍ତରଙ୍କ ସହ ପରାମର୍ଶ କରି ଉପଯୁକ୍ତ ଚିକିତ୍ସା କଲେ, ଏହାର ସମ୍ପୂର୍ଣ୍ଣ ପ୍ରତିକାର ପାଇପାରିବେ।

ବର୍ତ୍ତମାନ ଓଡ଼ିଶାରେ କ୍ୟାନସର ରୋଗର ସ୍ଥିତି

ଡାକ୍ତରଙ୍କ କହିବା ଅନୁସାରେ, ବର୍ତ୍ତମାନ ଓଡ଼ିଶାରେ ମୁଖ କର୍କଟ ରୋଗୀଙ୍କ ସଂଖ୍ୟା ଅଧିକ। ଅଧିକ ପାନ ଓ ଗୁଟୁଖାର ବ୍ୟବହାର ଯୋଗୁଁ ମୁଖ କର୍କଟ ଦେଖାଦେଇଥାଏ।

ବର୍ତ୍ତମାନ ସମୟରେ ମୁଖ କ୍ୟାନସର ସହିତ ସ୍ତନ କର୍କଟ ମଧ୍ୟ ବହୁଳ ଭାବେ ମହିଳାଙ୍କ ପାଖରେ ଦେଖାଯିବାରେ ଲାଗିଛି। ଆମର ଦୈନନ୍ଦିନ ଜୀବନ ଶୈଳୀରେ ପରିବର୍ତ୍ତନ ହେବାରୁ ରିସ୍କ ଫ୍ୟାକ୍ଟର ବଢ଼ି ବଢ଼ି ଚାଲିଛି। ସେଥିପାଇଁ ଓଡ଼ିଶାରେ ବ୍ରେଷ୍ଟ କ୍ୟାନ୍‌ସର ରୋଗୀଙ୍କ ସହଖ୍ୟା ବଢ଼ିଚାଲିଛି।

ଶେଷରେ ଡାକ୍ତର ଦୀପକ କୁମାର ଦାସ କହିଥିଲେ ଯେ, ଏହି ସ୍ତନ କର୍କଟକୁ ଚିକିତ୍ସା କରି ପ୍ରତିକାର କରାଯାଇପାରିବ। ମହିଳାମାନଙ୍କୁ ନିଜର ସ୍ତନର ଆକାର ଓ ପ୍ରକାର ପ୍ରତି ଯତ୍ନବାନ ହେବାକୁ ପଡ଼ିବ। ଯଦି ଆପଣଙ୍କ ସ୍ତନରେ କୌଣସି ପ୍ରକାର ପରିବର୍ତ୍ତନ ଦେଖାଦେଉଛି, ଆପଣ ଡାକ୍ତରଙ୍କ ସହ ପରାମର୍ଶ କରି ଏହି ରୋଗକୁ ରୋକିପାରିବେ।

Comment